Latest Odisha News

BREAKING NEWS

ସ୍ୱାମୀ ସରପଞ୍ଚ

ସ୍ୱାମୀ ସରପଞ୍ଚ

ଜ୍ୟୋତି ପ୍ରକାଶ ମହାପାତ୍ର

ଯାଜପୁର ଜିଲ୍ଲାର ହରିଦାସପୁର ଏକଦମ ବକୁଟେ ଜାଗାଟେ । ପାହାଡ଼ ପାଖକୁ । ଖଣି ଖାଦାନ ଅଛି । ଛୋଟିଆ ଷ୍ଟେସନଟେ ଅଛି । ସେଇ ଜାଗାଟି ଏବେ ସାରାରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଛି । ମହିଳା ପଞ୍ଚାୟତ ଅଧିକାରୀଙ୍କ ହତ୍ୟା କିମ୍ବା ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ । ଭତ୍ତା ବାଣ୍ଟି ସାରିବା ପରେ ଜଣେ ପ୍ରଭାବଶାଳୀ ଲୋକଙ୍କ ସହ ଖାଇବାକୁ ଯାଇଥିବା ବେଳେ ଅଚାନକ ସଂପୃକ୍ତ ଅଧିକାରୀଙ୍କ ମୃତଦେହ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଛି ବୋଲି ସାରାରାଜ୍ୟରେ ଚର୍ଚ୍ଚା ଜୋରଦାର ହେଉଛି । ପୁଣି ପୁଲିସ ତଦନ୍ତକୁ ନେଇ ଲକ୍ଷେ ପ୍ରଶ୍ନ ଛିଡ଼ା ହୋଇଛି । ଯୋଉ ବାଗରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ପକ୍ଷ ନେଲେ ଓ ଯେଉଁ ବାଗରେ ସେ ମୃତ ମହିଳା ଅଧିକାରୀଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଲେ, ତାହାକୁ ନେଇ ବିରୋଧୀ ଦଳ ଜୋରଦାର ପ୍ରତିକ୍ରି୍ରୟା ପ୍ରକାଶ କରିଛି ।

ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି- ହରିଦାସପୁର ପଞ୍ଚାୟତର ମହିଳା ସରପଞ୍ଚଙ୍କ ସ୍ୱାମୀ । ଯେଉଁଦିନ ଏହି ମାମଲା ଘଟିଲା, ତାର କେଇଦିନ ପରେ ସରପଞ୍ଚ ଜଣଙ୍କ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । କହିଥିଲେ- ତାଙ୍କ ସ୍ୱାମୀଙ୍କ ବିରୋଧରେ ଏହା ଭୟାନକ ଷଡ଼ଯନ୍ତ୍ର ।

ତେବେ ଏ ଘଟଣାରେ ଆଉ ଏକ ଦିଗ ସିଧାସଳଖ ସାମ୍ନାକୁ ଆସିଛି । ସେ ହତ୍ୟା ଓ ଆତ୍ମହତ୍ୟା ପ୍ରସଙ୍ଗକୁ ଛାଡ଼ି । ତାହା ହେଉଛି- ଧର୍ମଶାଳା ପଞ୍ଚାୟତରେ ମହିଳା ସରପଞ୍ଚ ଜିତିଥିଲେ । କିନ୍ତୁ ବାସ୍ତବରେ କ୍ଷମତାକେନ୍ଦ୍ର ହେଉଛନ୍ତି- ତାଙ୍କ ସ୍ୱାମୀ । ସେ ସବୁ କରୁଥିଲେ । ସରପଞ୍ଚ ଭାବେ କାର୍ଯ୍ୟ ନିର୍ବାହ କରିବାଠାରୁ ଆରମ୍ଭ କରି ବାକିସବୁ ସେ ଦେଖୁଥିଲେ ବୋଲି କୁହାଯାଉଛି । ସ୍ତ୍ରୀ କେବଳ ଜିତିଥିଲେ ଯାହା ।

ରାଜ୍ୟରେ ପଞ୍ଚାୟତ ଓ ଜିଲ୍ଲା ପରିଷଦସ୍ତରରେ ମହିଳାମାନଙ୍କ ନିମନ୍ତେ ୫୦ ଭାଗ ସ୍ଥାନ ସଂରକ୍ଷଣ କରାଯାଇଛି । ଏହା ମହିଳା ସଶକ୍ତିକରଣ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ- ସେହିସବୁ ପଞ୍ଚାୟତରୁ ଅଧିକାଂଶ ଜାଗାରେ ହରିଦାସପୁର ଭଳି କାମ ହିଁ ହେଉଛି । ପୂର୍ବରୁୁ ସରପଞ୍ଚ ଥିବା ପୁରୁଷ, ବା ସେହି ଅଞ୍ଚଳର ସବୁଠାରୁ କ୍ଷମତାଶଳୀ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ସେଠାରେ ସରପଞ୍ଚ ଭାବେ ଛିଡ଼ା କରୁଛନ୍ତି । ମହିଳା ଜଣକ ଜିତିଲା ପରେ ସେହି ପୁରୁଷ ଜଣକ ହିଁ ସବୁ କରୁଛନ୍ତି । ଏମିତିକି- ମହିଳା ଜଣକ ସରପଞ୍ଚ ବୋଲି ୫ ବର୍ଷ ପର୍ଯ୍ୟନ୍ତ ଲୋକେ ବି ଭୁଲି ଯାଉଛନ୍ତି । ତାଙ୍କ ସ୍ୱାମୀ ସରପଞ୍ଚ ଭାବେ ପରିଚିତ ହେଉଛନ୍ତି । ପଞ୍ଚାୟତ ଅଫିସରେ ସରପଞ୍ଚ ସିଟରେ ବି ବସୁଛନ୍ତି । ସବୁ କାମ ସେମାନେ କରୁଛନ୍ତି । ଜେଇ, ବିଡ଼ିଓ, ତହସିଲଦାର ଆସିଲେ ସେମାନଙ୍କୁ ହିଁ ଖୋଜୁଛନ୍ତି । ସେମାନେ ବା ସେଇ ପୁରୁଷ ଦଳ ସବୁବେଳେ ରାଜୁତି କରୁଛନ୍ତି ।

ହରିଦାସପୁର ପଞ୍ଚାୟତକୁ ରାସ୍ତାଘାଟ ଭଲ । ଧର୍ମଶାଳା ବ୍ଲକ ସଦର ମହକୁମା ଜାରକାଠାରୁ ଏହା ଅଳ୍ପ ବାଟ । ଜାତୀୟ ରାଜପଥଠାରୁ ଅଳ୍ପ ଦୂରରେ ହରିଦାସପୁର । ତେଣୁ ସେଠି ଯେତେବେଳେ ଜଣେ ପୁରୁଷ ତାଙ୍କ ସ୍ତ୍ରୀଙ୍କ ବଦଳରେ ସରପଞ୍ଚ ପାଲଟିଛନ୍ତି- ସେକଥା ସଂପୃକ୍ତ ବ୍ଲକର ବିଡ଼ିଓ ନିଶ୍ଚିତ ଜାଣିଥିବେ । ତାଙ୍କ ସହ ବାରବାର ଦେଖା ହୋଇଥିବ । ଯଦି ବିଡ଼ିଓ ଏସବୁ ଜାଣିଥିଲେ- ତାହେଲେ ସେହି ପୁରୁଷଙ୍କ ବିରୋଧରେ ବିଡ଼ିଓ ଆଗୁଆ ପଦକ୍ଷେପ କାହିଁକି ନେଇ ନଥିଲେ?

କାରଣ- ଏହା କେବଳ ସେଇ ବ୍ଲକସ୍ତରରେ ସୀମିତ ନୁହେଁ । ଜିଲ୍ଳା ଓ ରାଜ୍ୟସ୍ତରରେ ମଧ୍ୟ ବିସ୍ତୃତ ଭାବେ ବ୍ୟାପକ । ସେହି ପୁରୁଷମାନେ ଉଭୟସ୍ତରରେ ନିଜ ସ୍ତ୍ରୀମାନଙ୍କର ଆସନର ପରିଚୟରେ ପରିଚୟ ପାଆନ୍ତି । ବଡ଼ବଡ଼ିଆଙ୍କ ପାଖକୁ ସେଇ ପରିଚୟ ନେଇ ଆସନ୍ତି । ବିଧାୟକମାନେ ମଧ୍ୟ ତାହା ବେଶ ଭଲକି ଜାଣି ଥାଆନ୍ତି । ଆଉ ସେମାନେ ଏଥିରେ କିଛି କରନ୍ତି ନାହିଁ ।

ଇହୁ କମ ଜାଗାରେ ମହିଳା ସରପଞ୍ଚ ନିଜ ମର୍ଜିରେ, ସ୍ୱାଧୀନ ଭାବେ କାର୍ଯ୍ୟ କରୁଛନ୍ତି । ଯେଉଁଠାରେ କାର୍ଯ୍ୟ କରୁଛନ୍ତି- ସେଠାରେ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ତିଆରି କରୁଛନ୍ତି । କିନ୍ତୁ ବାକି ଜାଗାରେ ସେଇ ପୁରୁଣାକାଳିଆ ମାନସିକତା । ସେଇ ପୁରୁଣାକାଳିଆ ପୁରୁଷ ପ୍ରାଧାନ୍ୟ ଶାସନ ।

ତେଣୁ ଏ ମହିଳା ବ୍ୟବସ୍ଥାରୁ ଯେ ବେଶି କିଛି ମହିଳା ସଶକ୍ତିକରଣ ହେଉନାହିଁ- ତାହା ହରିଦାସପୁରରେ ସ୍ପଷ୍ଟ ପ୍ରମାଣିତ ହୋଇଯାଇଛି । ନହେଲେ ଷ୍ଟେସନରେ କେଇ ବର୍ଷ ତଳେ ବକୁଟେ ଚାହା ଦୋକାନ କରୁଥିବା ଲୋକ ଜଣକ କୋଟିପତି କେମିତି ହେଲା? କିଏ ତାକୁ ସମର୍ଥନ କଲା? ଜାଣନ୍ତି କି ନାହିଁ- ଯେଉଁ ଷ୍ଟେସନରେ ତାଙ୍କ ଚାହା ଦୋକାନ ଅଛି, ସେ ଷ୍ଟେସନରେ କିଛି ବିଶେଷ ଟ୍ରେନ ରହେନାହିଁ । କେବେଳ ପାସେଞ୍ଜରକୁ ଛାଡ଼ି । ତେଣୁ ସେ ଏତେ ଅର୍ଥ କୁଆକୁ ଉପାର୍ଜନ କଲା? କୋଉଠି ନା କୋଉଠି ତ ଆମ ବ୍ୟବସ୍ଥାରେ ସ୍ପଷ୍ଟ ଫାଟ ଅଛି, ଯାହା ସଭିଙ୍କୁ ଦିଶୁଛି । କିନ୍ତୁ କେହି କିଛି କରୁ ନାହାନ୍ତି । କରିବାକୁ ଚାହୁଁ ନାହାନ୍ତି । କାରଣ- ଏଥିରୁ ସେମାନେ ଭରପୁର ଫାଇଦା ମାରୁଛନ୍ତି ।

ସେଇ ଫାଟ, ସେଇ ବିକଳାଙ୍ଗ ବ୍ୟବସ୍ଥାର ତୋଫା ଉଦାହରଣ ହେଉଛି- ହରିଦାସପୁର ।

Leave A Reply

Your email address will not be published.