Latest Odisha News

BREAKING NEWS

ରଥଯାତ୍ରା: ପୁରୀରେ ପହଞ୍ଚିଲା ୧୦ମ ପର୍ଯ୍ୟାୟ ରଥକାଠ

ପୁରୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଅନିଶ୍ଚିତତା ଜାରି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ତିନିରଥ ନିର୍ମାଣ ଲାଗି ରଥ କାଠ ମଧ୍ୟ ପର୍ଯ୍ୟାୟ କ୍ରମେ ପୁରୀରେ ପହଞ୍ଚିବାରେ ଲାଗିଛି । ରବିବାର ଦିନ ୧୦ମ ପର୍ଯ୍ୟାୟରେ ରଥକାଠ ପହଞ୍ଚିଛି ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ସୁପରଭାଇଜର ସୁଦର୍ଶନ ମେକାପ କହିଛନ୍ତି ଯେ, ଆଜି ୨ଟି ଟ୍ରକରେ ୪୬ଟି କାଠ ଆସିଛି । ସେଥିମଧ୍ୟରେ ୧୨ ଫୁଟ ଲମ୍ବର ଅସନ ଗୋଟିଏ, ୧୨ ଫୁଟ ଲମ୍ବର ଦଉରା କାଠ ୧୩ଟି, ୨୦ ଫୁଟ ଲମ୍ବର ଅସନ କାଠ ୬ଟି, ୪୦ ଫୁଟ ଲମ୍ବର ଅସନ ୧୨ଟି, ୪୦ ଫୁଟ ଦଉରା ୧୪ଟି ଆସିଛି । ସର୍ବମୋଟ ୪୬ଟି କାଠ ଆସିଛି ।

ଶ୍ରୀ ମେକାପଙ୍କ କହିବାନୁଯାୟୀ ୩ଟି ରଥ ନିର୍ମାଣ ଲାଗି ସମୁଦାୟ ୮୬୫ ଖଣ୍ଡ କାଠ ଲାଗିବ ।

ଏଠାରେ ସୂଚନାଯୋଗ୍ୟ, ପବିତ୍ର ଅକ୍ଷୟ ତୃତୀୟା ଦିନ ଲକ୍‌ଡ଼ାଉନ ଯୋଗୁଁ ଶ୍ରୀମନ୍ଦିର ବାହାରବେଢା ମଧ୍ୟରେ ପାରମ୍ପରିକ ଭାବେ ରଥକାଠ ଅନୁକୂଳ କରାଯାଇଥିଲା । ବିଧିମୁତାବକ ମନ୍ଦିର ସେବାୟତ ଏବଂ ମହାରଣା ସେବକମାନଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଇ ସୁନା କୁରାଢିରେ ଛେଦନ ହୋଇଥିଲା ।

ପ୍ରତିବର୍ଷ ଶ୍ରୀମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ଡର ରଥଖଳାରେ ରଥଗୁଡ଼ିକ ମହାରଣା ସେବକଙ୍କ ଦ୍ୱାରା ନିର୍ମିତ ହୋଇଥାଏ । ଚଳିତ ବର୍ଷ ସରକାରଙ୍କ ଲକ୍‌ଡ଼ାଉନ ନିମୟକୁ ପାଳନ କରାଯାଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ପରିସରରେ ରଥ ଅନୁକୂଳ ବିଧି ପାଳିତ ହୋଇଛି ।

Leave A Reply

Your email address will not be published.