Latest Odisha News

BREAKING NEWS

‘ଥ୍ୟାଙ୍କ ୟୁ ସବ୍ୟଭାଇ’

ଭୁବନେଶ୍ୱର : ରାଜସ୍ଥାନରେ ଫସି ରହିଥିବା ୮୦ ଜଣ ଓଡିଆ ଛାତ୍ରଛାତ୍ରୀ ବସ୍ ଯୋଗେ ଓଡିଶା ଫେରିଛନ୍ତି । ବସରେ ବସିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସବୁ ପିଲା ହାତରେ ସ୍ମାଇଲ ପ୍ଲିଜ ହାରିବନି ଓଡିଶା ଲେଖାଥିବା ପୋଷ୍ଟର ହାତରେ ଧରିଥିଲେ । ଏଥି ସହ ପ୍ରତ୍ୟେକ ପିଲା ‘ଥ୍ୟାଙ୍କ ୟୁ ସବ୍ୟଭାଇ’ ବୋଲି କହୁଥିଲେ ।

ଫସି ରହିଥିବା ଏହି ଛାତ୍ରଛାତ୍ରୀ ଘରକୁ ଫେରିବା ପଛରେ ସବ୍ୟଭାଇ ଓରଫ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବେଶ୍ ଉଦ୍ୟମ ରହିଛି । ଗତ ୧୧ ତାରିଖରେ ଫସି ରହିଥିବା ଜଣେ ଛାତ୍ରୀ ରୋଜାଲିନ ମିଶ୍ର ସବ୍ୟସାଚୀଙ୍କୁ ଟ୍ୱିଟରରେ ଲେଖିଥିଲେ ଯେ, ‘ସବ୍ୟଭାଇ ଆମକୁ ସାହାଯ୍ୟ କରନ୍ତୁ । ମୁଁ କଟକର । ମୁଁ ଓ ମୋ ସହ ୮୦ ଜଣ ପିଲା ଜୟପୁର, ରାଜସ୍ଥାନରେ ସଂସ୍କୃତରେ ବିଇଡି କରୁଛୁ । ଏଠି ଦିନକୁ ଦିନ କରୋନା ସଂକ୍ରମଣ ବଢି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଏଠାରୁ ନେବାର ବ୍ୟବସ୍ଥା କର । ପ୍ଲିଜ୍ …’

ଏହା ପରେ ସବ୍ୟସାଚୀ ସେମାନଙ୍କ ସହ ଫୋନରେ କଥା ହେଲେ । ଏହା ପରେ ସେ ରାଜସ୍ଥାନ ଓ ଓଡିଶା ସରକାରଙ୍କ ସହ ଯୋଗାଯୋଗ କରିଥିଲେ । ସେଠୁ ଆସିବା ପାଇଁ ଅନୁମତି ସହ ଛାତ୍ରଛାତ୍ରୀଙ୍କ ସ୍କ୍ରିନିଂ କରାଯିବା ପରେ ଗତ ଗୁରୁବାର ଦୁଇଟି ବସରେ ସେମାନେ ଓଡିଶା ଅଭିମୁଖେ ବାହାରିଥିଲେ ।

ଲକ ଡାଉନ ଯୋଗୁଁ ଘରେ ରହିଥିବା ବେଳେ ସବ୍ୟସାଚୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଘରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଥିଲେ । ବିଭିନ୍ନ ସ୍ଥାନରେ ଲୋକେ ମେଡିକାଲ ସହାୟତା ପାଇଁ ଅସୁବିଧାରେ ପଡୁଥିବା ବେଳେ ସେ ସେମାନଙ୍କୁ ସହାୟତା କରିଆସୁଛନ୍ତି । ଏଯାଏଁ ସେ ୬୦ରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିସାରିଲେଣି । କିଛି ଲୋକଙ୍କ ପାଖରେ ଔଷଧ ମଧ୍ୟ ପହଞ୍ଚାଇଛନ୍ତି ।

ରିଲ୍‌ରେ ତ ସବ୍ୟସାଚୀ ହିରୋ ଥିଲେ ଏବେ ରିଅଲ ଲାଇଫରେ ବି ହିରୋ ପାଲଟି ଯାଇଛନ୍ତି ।

Leave A Reply

Your email address will not be published.