ପଦ୍ମାବତୀଙ୍କ ଇଚ୍ଛା ପୂରଣ ହେଲା; ଶ୍ରୀଜଗନ୍ନାଥ ହାତରେ ନେଲେ ତୁଳସୀମାଳ !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଉନ୍ମୋଚନ କରିବା ସାମାନ୍ୟ ମଣିଷ ନିକଟରେ ସମ୍ପୂର୍ଣ୍ଣ ଅସମ୍ଭବ । ତାଙ୍କରି ଇଚ୍ଛା ବିନା କେହି ତାଙ୍କୁ ମଧ୍ୟ ଜାଣି ପାରନ୍ତି ନାହିଁ । ଲୀଳାମୟ ମହାପ୍ରଭୁ କେବଳ ଭାବର ଠାକୁର ଭାବଗ୍ରାହୀ । ଶ୍ରଦ୍ଧାରେ ଡାକିଲେ ଶୁଣନ୍ତି, ପ୍ରେମରେ କହିଲେ ଉତ୍ତର ଦିଅନ୍ତି କିମ୍ବା ତାଙ୍କୁ ଦେଖି ଟିକେ ହସିଦେଲେ ସେ ମୁଚୁକୁନ୍ଦ ହସରେ ଆଶୀର୍ବାଦ କରନ୍ତି । ଅହରହ ତାଙ୍କୁ ସ୍ମରଣ କରୁଥିଲେ କିମ୍ବା ତାଙ୍କୁ ତାଙ୍କରି ନାମମହାତ୍ମ୍ୟରେ ମଜ୍ଜି ରହିଥିଲେ ଠିକଣା ସମୟରେ ସେ ପାଖରେ ଛିଡ଼ା ହୁଅନ୍ତି । ଭକ୍ତ ଶ୍ରେଷ୍ଠ ଦାସିଆ ବାଉରୀଙ୍କ ହାତରୁ ନଡ଼ିଆ ନେବା ପରି ମହାପ୍ରଭୁ ଶ୍ରୀଜଗନ୍ନାଥ ପଦ୍ମାବତୀଙ୍କଠାରୁ ମଧ୍ୟ ଗୀତଗୋବିନ୍ଦର ତୁଳସୀମାଳା ମଧ୍ୟ ଗ୍ରହଣ କରିଛନ୍ତି ।

ସେତେବେଳେ ପଦ୍ମାବତୀ ପୁରୀ ନୀଳାଚଳଧାମର ଦଶାବତାର ମଠରେ ରହୁଥାଆନ୍ତି । ଦିନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୀତଗୋବିନ୍ଦର ଶ୍ଳୋକଗୁଡ଼ିକ ତୁଳସୀମାଳାରେ ଚନ୍ଦନର ଅକ୍ଷରରେ ଲେଖି ମାଳା ଭାବେ ପିନ୍ଧାଇବାକୁ ତାଙ୍କର ଖୁବ୍ ଇଚ୍ଛା ପ୍ରକଟ ହେଲା । ତେବେ ଏହାତ ଦୂରୁହ ବ୍ୟାପାର, ଖୁବ୍ କଷ୍ଟକର ମଧ୍ୟ । ଛୋଟ ଛୋଟ ତୁଳସୀ ପତ୍ରରେ ପୁଣି ଚନ୍ଦନ ପାଣିରେ ଏତେ ବଡ଼ ଗୀତଗୋବିନ୍ଦ ଶ୍ଳୋକ ଗୁଡ଼ିକୁ କିପରି ଲେଖିବେ ? ମନେ ମନେ ମହାପ୍ରଭୁଙ୍କୁ ଚିନ୍ତା କରିବାକୁ ଲାଗିଲେ ପଦ୍ମାବତୀ ।

ଦିନେ ରାତିରେ ମଠ ଆଗରେ ମହାପ୍ରଭୁଙ୍କୁ ଚିନ୍ତାକରି ବସିରହିଥାଆନ୍ତି, ପଦ୍ମାବତୀ ଦେଖିଲେ ଦୁଇଜଣ ସାଧୁ ତାଙ୍କରି ମଠ ଆଡ଼କୁ ଆସୁଛନ୍ତି । ସାଧୁଦ୍ୱୟଙ୍କୁ ସତ୍କାର କରି ମଠ ପିଣ୍ଡାରେ ବସାଇଲେ ପଦ୍ମାବତୀ । ସାଧୁ ଦୁଇଜଣ କାହାକୁ କିଛି ନକହି ସିଧାଯାଇ ତୁଳସୀ ପତ୍ରରେ ଚନ୍ଦନ ଦ୍ୱାରା ଚୁପଚାପ ଗୀତଗୋବିନ୍ଦ ଲେଖିଚାଲିଲେ । ପଦ୍ମାବତୀଙ୍କୁ ଏହା ଖୁବ୍ ଆଶ୍ଚର୍ଯ୍ୟ ଲାଗିଥିଲା । ସେ କିନ୍ତୁ ଜାଣିପାରିଲେ ଏହା ନିଶ୍ଚିତ ଭାବେ ତାଙ୍କର ଅତିପ୍ରିୟ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ରଙ୍କ କିଛି କାରସାଦି । ସେ ମନକଥା ଜାଣିପାରି ସହଯୋଗ କରୁଛନ୍ତି । ଏହା ନିଶ୍ଚିତ ରୂପେ ତାଙ୍କରି ଲୀଳାବିତାନ ।

ରାତି ପାହିଲା । ସକାଳ ହେଲା । ପଦ୍ମାବତୀଙ୍କ ଖୁସି କହିଲେ ନସରେ । ସହଳ ସ୍ନାନ ସାରି ଶୁଦ୍ଧପୂତ ଭାବେ ଚନ୍ଦନ ଚର୍ଚ୍ଚିତ ଗୀତଗୋବିନ୍ଦର ତୁଳସୀ ମାଳାକୁ ତାଙ୍କର ପ୍ରିୟ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବାକୁ ଶ୍ରୀମନ୍ଦିର ଆଡ଼କୁ ଚାଲିଲେ ପଦ୍ମାବତୀ । ରତ୍ନ ସିଂହାସନ ଆଗରେ ସେବକମାନଙ୍କୁ ଏହି ତୁଳସୀମାଳାଟିକୁ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇଦେବାକୁ ଅନୁରୋଧ କଲେ ସେ । ମାତ୍ର ସେବକମାନେ ଦେଖିଲେ ଏହି ତୁଳସୀ ପତ୍ରରେ କ’ଣ ସବୁ ଲେଖା ହୋଇଥିବାରୁ ପଦ୍ମାବତୀଙ୍କୁ ମନାକଲେ ସେବକ । ସେବକମାନେ ରୋକଠୋକ୍ ମନା କରିଦେଲେ ଯେ, ଆମ ଠାକୁର ଲେଖାଥିବା ତୁଳସୀ ଗ୍ରହଣ କରନ୍ତି ନାହିଁ ।

ପଦ୍ମାବତୀଙ୍କ ମନ ଦୁଃଖରେ ଭାଙ୍ଗିପଡ଼ିଲା । କେତେ ଆଶା କରିଥିଲେ । ଦୁଃସାଧ୍ୟ ସାଧନ ହେବାପରି ତୁଳସୀ ପତ୍ରରେ ଆଶ୍ଚର୍ଯ୍ୟଜନକଭାବେ ଚନ୍ଦନର ସୁବାସିତ ପବିତ୍ର ଗୀତଗୋବିନ୍ଦ ଲେଖାଗଲା । ମାତ୍ର ଠାକୁରଙ୍କୁ ତାହା ପିନ୍ଧାଯାଇପାରିବନି ଏହି ଦୁଃଖରେ ମ୍ରିୟମାଣ ହୋଇ ପଦ୍ମାବତୀ ସମୁଦ୍ର କୂଳକୁ ଚାଲିଲେ । ମହୋଦଧିର ବାଲିପଠାରେ ଅଭିମାନରେ ବସି ବସି ଆଖିରୁ ଲୁହ ଗଡ଼ାଉଥିଲେ ଭକ୍ତ ପଦ୍ମାବତୀ । ତୁଳସୀମାଳାକୁ କାନ୍ଦି କାନ୍ଦି ସମୁଦ୍ର ଜଳକୁ ଫିଙ୍ଗିଦେଲେ ପଦ୍ମାବତୀ । ଆଶ୍ଚର୍ଯ୍ୟର କଥା ପୁରୀ ଶ୍ରୀମନ୍ଦିର ଆଡୁ ଆକାଶ ବକ୍ଷରୁ ଦୁଇଟି ପ୍ରକାଣ୍ଡ ହାତ ଲମ୍ବି ଆସିଲା ମହୋଦଧି ଆଡ଼କୁ । ସମୁଦ୍ର ଜଳରୁ ତୁଳସୀମାଳାକୁ ଉଠାଇ ନେଇ ଶ୍ରୀମନ୍ଦିର ରତ୍ନସିଂହାସନ ଆଡ଼କୁ ଚାଲିଗଲା ଏହି ପ୍ରକାଣ୍ଡକାୟ ହାତ ଦୁଇଟି । ପରେ ପରେ ଏହି ମାଳା ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବକ୍ଷରେ ଅପୂର୍ବ ଶୋଭାବର୍ଦ୍ଧନ କରିବାକୁ ଲାଗିଲା ।

ପଦ୍ମାବତୀ ଏସବୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଲେ । କିଛି ସମୟ ପୂର୍ବରୁ ଅଭିମାନରେ କାନ୍ଦୁଥିବା ପଦ୍ମାବତୀ ଚାଲିଲେ ଶ୍ରୀମନ୍ଦିର ଅଭିମୁଖେ । ଶ୍ରୀମନ୍ଦିରରେ ପ୍ରବେଶ କରି ରତ୍ନ ସିଂହାସନ ଉପରେ ଯାହା ଦେଖିଲେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ମହାପ୍ରଭୁଙ୍କ ଗଳାରେ ପଡ଼ିଛି ସେହି ପବିତ୍ର ତୁଳସୀମାଳ । ଗଳାରୁ ବକ୍ଷଦେଶରେ ଶୋଭାପାଉଛି ସୁବାସିତ ଚନ୍ଦନର ଅକ୍ଷରରେ ଲିଖିତ ପବିତ୍ର ଗୀତଗୋବିନ୍ଦ ତୁଳସୀମାଳା । ପଦ୍ମାବତୀ ତାଙ୍କର ସୁମଧୁର କଣ୍ଠରେ ଗୀତଗୋବିନ୍ଦ ଗାଇବାକୁ ଲାଗିଲେ । ସେଠାରେ ଉପସ୍ଥିତ ରହିଥିବା ପଣ୍ଡା-ପଢିଆରୀ, ପୁରୋହିତ-ସେବକ ଏବଂ ଉପସ୍ଥିତ ଭକ୍ତମାନେ ପଦ୍ମାବତୀଙ୍କ ପ୍ରଶଂସାଗାନ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜୟ ଜୟକାର କରିବାକୁ ଲାଗିଲେ । ସେଠାରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ୱନୀରେ ଶ୍ରୀମନ୍ଦିର ପରିସର ପ୍ରକମ୍ପିତ ହେବାକୁ ଲାଗିଲା ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.