Latest Odisha News

BREAKING NEWS

ରାଜନୀତିର ରଙ୍ଗ, ବିରୋଧୀ ସିଦ୍ଧାର୍ଥଙ୍କୁ ଶୁଭେଚ୍ଛା ଜଣାଇଲେ ଅରୁଣ

ନୟାଗଡ଼: ସମଗ୍ର ଦେଶରେ ଏବେ ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ୍ ସରଗରମ ହୋଇପଡ଼ିଥିବା ବେଳେ ଓଡ଼ିଶାରେ ମଧ୍ୟ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ଉଷ୍ମତା ବୃଦ୍ଧି ପାଇଛି । ତିନୋଟି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ଏବେ ଚାଲିଛି ବିଭିନ୍ନ ରାଜନୈତିକ କାର୍ଯ୍ୟକଳାପକୁ ନେଇ ଭୀଷଣ ଛକାପଞ୍ଝା, ମାତ୍ର ନୟାଗଡ଼ରେ ଏକ ନିଆରା ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଛି । ରାଜନୀତିରେ ଦୁଇ ତୁଙ୍ଗନେତା ପରସ୍ପର ବିରୋଧୀ ହୋଇଥିଲେ ମଧ୍ୟ ସେସବୁକୁ ଭୁଲି ପରସ୍ପର ସହିତ ହାତ ମିଳାଇଛନ୍ତି ଖଣ୍ଡପଡ଼ା ଆସନର ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଓ ବରିଷ୍ଠ ବିଜେଡ଼ି ନେତା ଅରୁଣ ସାହୁ ।

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି । ଖଣ୍ଡପଡ଼ା ବିଧାନସଭା ପ୍ରାର୍ଥୀ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିଲେ ବିଜେପି ପ୍ରାର୍ଥୀ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ବରିଷ୍ଠ ବିଜେଡ଼ି ନେତା, ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ପ୍ରାର୍ଥୀ ଅରୁଣ ସାହୁ । ଏହି ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ପୂର୍ବରୁ ସେପରି ରାଜନୈତିକ ଶତ୍ରୁତା ନଥିଲେ ମଧ୍ୟ ନିର୍ବାଚନ ପରିପ୍ରେକ୍ଷୀରେ ଉଭୟ ପ୍ରାର୍ଥୀ ବିରୋଧୀ । ଏହି ସବୁ ବିରୋଧାତ୍ମକ ଶତ୍ରୁତାକୁ ଭୁଲି ଅରୁଣ ବିଜେପି ପ୍ରାର୍ଥୀ ସିଦ୍ଧାର୍ଥଙ୍କ ନିକଟକୁ ଆସି ହାତ ମିଳାଇଥିଲେ । ଅରୁଣ ମଧ୍ୟ ସିଦ୍ଧାର୍ଥଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବାର ଦେଖାଯାଇଥିଲା । ସେଠାରେ ଉପସ୍ଥିତ ରାଜନୈତିକ କର୍ମୀ ମାନଙ୍କୁ ଏହା ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ସମସ୍ତେ ଉଭୟଙ୍କୁ ପ୍ରଶଂସା କରିବାକୁ ମଧ୍ୟ ଭୁଲିନଥିଲେ ।

ସେହିପରି ହୋଲି ସମୟରେ ଅନ୍ୟ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ଼ରେ । ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ରାଜ୍ୟର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେପି ପକ୍ଷରୁ ବରିଷ୍ଠ ନେତା ସୁରେଶ ପୂଜାରୀ । ଉଭୟେ ସମସ୍ତ ରାଜନୈତିକ ଶତ୍ରୁତା ଭୁଲି ମଣିଷପଣିଆକୁ ଗୁରୁତ୍ୱ ଦେଇଥିବାର ଦେଖାଯାଇଥିଲା । ଦୁହେଁ ପରସ୍ପର ସହିତ ହାତ ମିଳାଇବା ସହିତ ଉଭୟେ ଉଭୟଙ୍କୁ ରଙ୍ଗ ମାରିଥିଲେ । ଖାଲି ସେତିକି ନୁହେଁ ସୁରେଶ ଓ ପ୍ରସନ୍ନ ସମସ୍ତ ଶତ୍ରୁତାକୁ ଭୁଲି ପରସ୍ପରକୁ ଆଲିଙ୍ଗନ ମଧ୍ୟ କରିଥିଲେ ।

କଟକରେ ଦେଖିବାକୁ ମିଳିଛି ସେହିପରି ଏକ ଘଟଣା । କଟକ-ବାରବାଟୀ ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ ଏବଂ କଟକର ଜନପ୍ରିୟ ନେତା ମହମ୍ମଦ ମୋକିମ ପରସ୍ପର ସହିତ ହାତ ମିଳାଇ ଆଲିଙ୍ଗନ କରିବା ଘଟଣା ରାଜନୀତିରେ ନୂଆ ରଙ୍ଗ ଆଣିଦେଇଛି ।

ରାଜନୀତିରେ ପରସ୍ପରକୁ କାଦୁଅ ଫୋଫାଡ଼ିବା କାର୍ଯ୍ୟକ୍ରମକୁ ଟିକେ ବନ୍ଦ କରି ଯଦି ଏହିପରି ଭାବେ ମାନବିକତାର ଦୃଷ୍ଟାନ୍ତ ଦୃଷ୍ଟିଗୋଚର ହୁଅନ୍ତା ତେବେ ନିର୍ବାଚନୀ ହିଂସାରୁ ତ୍ରାହି ପାଇପାରନ୍ତେ କର୍ମୀ ଓ ଜନସାଧାରଣ । ସକାରାତ୍ମକ ଭାବନା ନେଇ ନିର୍ବାଚନୀ ବୈତରଣୀ ପାର ହେବା କଷ୍ଟକର ହୋଇଥିଲେ ମଧ୍ୟ ଏହା ଗଣତନ୍ତ୍ର ପ୍ରତି ଏକ ମହାର୍ଘ ସଦୃଶ ଅଟେ ।

Leave A Reply

Your email address will not be published.