Latest Odisha News

BREAKING NEWS

ଠିକା ଚାକିରି

ଠିକା ଚାକିରି

ଜ୍ୟୋତି ପ୍ରକାଶ ମହାପାତ୍ର

‘ତୃପ୍ତି’ ବୋଲି ପ୍ରକଳ୍ପଟେ ୮-୧୦ ବର୍ଷ ତଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ । ପଂଚାୟତିରାଜ ବିଭାଗ ଅଧୀନରେ । କାମ ଥିଲା- ମହିଳା ସଶକ୍ତିକରଣ ସାଙ୍ଗକୁ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା । ପ୍ରକଳ୍ପ ଆରମ୍ଭ ସମୟରେ ମୁଁ ସେଇଠି ଯୋଗ ଦେଇଥିଲି । ତା’ପରେ ସେଠାରେ ୭୦୦ରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇଥିଲେ । ସମସ୍ତେ ଠିକା । ତିନି ଜଣ ଥିଲେ ନିୟମିତ ଚାକିରିଆ । ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ଏବଂ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଆର୍ଥିକ) । ଯେଉଁ ବ୍ୟକ୍ତି ଜଣକ ଅର୍ଥ ଦାୟିତ୍ୱରେ ଥିଲେ ତାଙ୍କ କାଟ୍ତି ମୁଁ ଅଙ୍ଗେ ନିଭେଇଛି । କାରଣ- ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟରେ ଥିଲି ମୁଁ ।

ଥରେ ଏମିତି କଥା ହେଉ ହେଉ ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶିକା ମତେ କହିଥିଲେ- ଦେଖିବ ତୁମେ ‘ତୃପ୍ତି’ ଦିନେ ରାଜ୍ୟର ସବୁଠାରୁ ଭଲ ମାନବସମ୍ବଳ ତିଆରି କରିବ । କରିଛି ବି । ତାଙ୍କ କଥା ସତ ହୋଇଛି । ଆଜି ବି ଯୁଆଡେ଼ ମୁଁ ଯାଏ, ସେଇ ପ୍ରକଳ୍ପର ସହକର୍ମୀଙ୍କୁ ଭେଟେ । ପ୍ରକଳ୍ପ ନିର୍ଦ୍ଦେଶିକାଙ୍କ ରାସ୍ତା ଅଲଗା ଥିଲା । ସେ ସଭିଙ୍କୁ ବିଶ୍ୱାସକୁ ନେଉଥିଲେ । ଏବଂ ତାଙ୍କରି ପ୍ରାରମ୍ଭିକ ଯତ୍ନରେ ହିଁ ମାନବସମ୍ବଳ ଏତେ ବାଟ ଯାଇଥିଲା । କିନ୍ତୁ ପରେ ଦେଖାଗଲା ପ୍ରକଳ୍ପ ଛାଡ଼ିଥିବା କର୍ମଚାରୀଙ୍କ ତାଲିକା ଯଦି ପ୍ରତିଶତରେ ନିଆଯାଏ, ତେବେ ‘ତୃପ୍ତି’ ଥିଲା ସବୁଠାରୁ ଆଗରେ । ପ୍ରକଳ୍ପ ସରିଲା ପର୍ଯ୍ୟନ୍ତ ସେଠି କେହି ରହିଲେନି । କାରଣଟି କଣ ? ସବୁଠାରୁ ମାରାତ୍ମକ ଥିଲା- ଠିକା କର୍ମଚାରୀ ବୋଲି ମନଇଚ୍ଛା ବ୍ୟବହାର । ଉଦାହରଣଟେ ଦେଲେ ସଫା ଲାଗିବ । ମୋର ଜଣେ ସହଯୋଗୀ ଦିନେ ଏରସମା ବ୍ଲକ ଯିବାର ଥିଲା । ସେଠାରେ ମା’ମାନଙ୍କ ତାଲିମ ଚାଲିଥାଏ । ସହଯୋଗୀ ଜଣକ ଯିବେ ବୋଲି ୧୫ ଦିନ ଆଗରୁ ଲେଖିକି ଦେଇଥିଲେ । କିନ୍ତୁ ଗଲା ଦିନ ଅଫିସ୍ ଗାଡ଼ି ତାଙ୍କୁ ଦିଆଗଲାନି । କୁହାଗଲା- ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ବିନ୍ଦୁ ସାଗର ଯିବେ । ତମେ ବାବୁ ବସ୍ ରେ ଯିବ ଯଦି ଯାଅ । ଅଫିସ୍ ଗାଡ଼ି କିନ୍ତୁ ରିଜର୍ଭଡ଼୍ ।

ଏଇଠି ଆଉ ଗୋଟେ ଉଦାହରଣ ଦେଉଛି । ଠିକା ଚାକିରି ଜମାନାରେ ଦିନେ ମୁଁ ଗୋଟେ ଜିଲ୍ଲାକୁ ଯାଇଥାଏ । ଜିଲ୍ଲାପାଳଙ୍କ ସହ ଆଲୋଚନା ଜାରି ଥାଏ । କେନ୍ଦ୍ରୀୟ ଯୋଜନାରେ ଠିକା ଭାବେ ନିଯୁକ୍ତି ପାଇ ଜଣେ ଯୁବକ ଆସି ଜିଲ୍ଲାପାଳଙ୍କୁ ଭେଟିଲେ । କାମରେ ଯୋଗଦେଲେ ବୋଲି ଜଣାଇଲେ । ସାହାଯ୍ୟ କାମନା କଲେ । ପାଖାପାଖି ୧୫ ମିନିଟର ଗପ । ତଥାପି ଜିଲ୍ଲାପାଳ ତାଙ୍କୁ ବସିବାକୁ କହୁ ନଥାଆନ୍ତି । ସେଇଠୁ ପଚାରିଲେ- ତୁମେ ତା’ହେଲେ କେତେ ଦରମା ପାଇବ କେନ୍ଦ୍ରରୁ ? ସେ ଯେତିକି ଅର୍ଥ କହିଲେ, ତାହା ଶୁଣି ଅଚାନକ ବିରକ୍ତ ହୋଇଗଲେ ଜିଲ୍ଲାପାଳ । ତାଙ୍କ ପାଟିରୁ ବାହାରି ଆସିଲା- କଣ ବକୁଟେ ପିଲା ଆଉ ଜିଲ୍ଲାପାଳଙ୍କଠାରୁ ଜିଲ୍ଲାରେ ଅଧିକ ଦରମା ପାଇବ ? ତମେ ସବୁଦିନେ ମତେ ରେସ୍ ଅଫିସରେ ରିପୋର୍ଟ କରିବ ।

ଯୋଉ ଜମାନାରେ ଆମେ ସବୁ ପିଜି ପାସ୍ କରିଗଲୁ, ସେଇ ସମୟରେ ନିୟମିତ ଚାକିରି ପ୍ରାୟ ବାହାରିଲାନି । ଯଦି ବାହାରିଲା, ଆମ ଯୋଗ୍ୟତା ନଥିଲା ବୋଲି ଆମେ ପାଇଲୁନି । ତା’ପରେ ଆରମ୍ଭ ହେଲା ସାମ୍ବାଦିକତା । ଆ’ମାନେ ନୁହେଁ ଯେ, ନିୟମିତ ଚାକିରି ମିଳିଲାନି ବୋଲି ମୁଁ ସାମ୍ବାଦିକତାକୁ ଗଲି । ବରଂ ସାମ୍ବାଦିକତା ମୋର ପ୍ରଥମ ଭଲପାଇବା । ମୋ ଜୀଇଁବାର ଗୋଟେ ମସ୍ତବଡ଼ କାରଣ ।

ଏଥର ପୁଣି ମୂଳ ପ୍ରସଙ୍ଗକୁ ଫେରିବା । ଯୋଉ ବିଭାଗକୁ ଆପଣ ଆଖି ପକେଇବେ, ସେଠି ଠିକା ଚାକିରିରେ କର୍ମଚାରୀ ଭରପୁର । ଗଣଶିକ୍ଷା, ସ୍ୱାସ୍ଥ୍ୟ ବା ଯେଉଁ ବିଭାଗ ଆପଣଙ୍କ ଆଖିକୁ ଆସୁଛି । ସ୍କୁଲ ମାଷ୍ଟର ସବୁଦିନେ ଆସି ବିଧାନସଭା ରାସ୍ତାରେ ବସିଥିବେ । ବର୍ଷରେ ଯୋଉଦିନ ଅନେଇବେ ଭୁବନେଶ୍ୱରର ଗାନ୍ଧି ମାର୍ଗରେ ଠିକା ସ୍କୁଲ ମାଷ୍ଟର୍ ନ ହେଲେ ଠିକା କଲେଜ ଅଧ୍ୟାପକ ଧାରଣାରେ ବସିଥିବେ । ଦାବି ବି ଯୁକ୍ତିଯୁକ୍ତ- ସେତିକି ପଇସାରେ ବଂଚିବାଟା ମୁସ୍କିଲ୍ । ସୁପ୍ରିମକୋର୍ଟ ପରା କେବେଠାରୁ କହି ସାରିଛି ସମାନ କାମକୁ ସମାନ ଦରମା । ତେବେ ଏତେ ପାତରଅନ୍ତର କାହିଁକି ?

ଠିକା କର୍ମଚାରୀ ବିଚରା ସବୁକାମ କରିବ । ଆବଶ୍ୟକତାଠୁ ଅଧିକ କାମ କରିବ । କାରଣ- ନ ହେଲେ ତା’ର ଚାକିରି ଯିବାର ଭୟ ଅଛି । ଆଉ ଗୋଟେ ଦିଗକୁ ବି ଏଇଠି ଦେଖିବା । ଯୋଉଠି ଠିକା କର୍ମଚାରୀ ଅଛନ୍ତି, ତାଙ୍କୁ ସଂପୃକ୍ତ କାର୍ଯ୍ୟାଳୟ ବା ଅନୁଷ୍ଠାନ ଇଚ୍ଛା ଅନୁସାରେ କାମରେ ଲଗାଏ । ବେଳେ ବେଳେ ସବୁଠାରୁ ଗୋପନୀୟ କାମ ଧରେଇ ଦିଆଯିବ କରିବାକୁ । ଆଉ ଯେତେବେଳେ ଉପର ଅଧିକାରୀଙ୍କ ବସ୍ ଆସିଯିବେ ଛବିକୁ- ସେତେବେଳେ କିଛି ବି ଗୋପନୀୟ ନଥିଠାରୁ ଜାଣିଶୁଣି ଦୂରେଇ ରଖାଯିବ । କୁହାଯିବ- ଏମାନେ ପରା ଠିକା । ହେଇ ଚାକିରି ଅଛି । ହେଇ ଚାକିରି ନାଇଁ । ଏମାନେ କଣଟା କରିବେ ?

ସମାନ ଦରମା ଏମାନଙ୍କ ପାଇଁ ସ୍ୱପ୍ନ । ସମାନ ସୁବିଧା ସୁଯୋଗ ବି ଦିଆଯିବନି । ଖାଲି- କାମ କରି ଚାଲ । ଫଳ ଆଡେ଼ ଆଶା ରଖନି । ଆଉରି ଗୋଟେ ଉଦାହରଣ ଦେଇଛି । କିଛି ବର୍ଷ ତଳେ ଗୋଟେ ପ୍ରତିଷ୍ଠାନରେ ମୁଁ କାମ କରୁଥିଲି । ସେଇଠି ଠିକା କର୍ମଚାରୀଙ୍କୁ କୁହାଯିବ- ପ୍ରତିଦିନ ହାଜିରା ଦିଅ । ଦସ୍ତଖତ କର । ଏସବୁ କରିବା ନିହାତି ଦରକାର । ସେଥିରେ ଦ୍ୱିମତ ନାହିଁ । କିନ୍ତୁ ନିୟମିତ କର୍ମଚାରୀଙ୍କ ପାଖକୁ ହାଜିରା ଖାତା ମାସ ଶେଷରେ ଯିବ । ସେ ଏକାଥରେ ମାସିକିଆ ଦସ୍ତଖତ ମାରିବେ । ଇଏ କୋଉ ନିୟମ ?

ଠିକା ଚାକିରି କାଳରେ ଅନ୍ୟ ଆଡେ଼ ଚାକିରି ପାଇଁ ଆବେଦନ କରିବା ବି ସତେ ଯେମିତି ଗୋଟାଏ ପାପ । ସେ ଆବେଦନପତ୍ର ବହୁ କଷ୍ଟରେ ସୁପାରିଶ କରାଯିବ । ଅଭିଜ୍ଞତା ପ୍ରମାଣପତ୍ର ମିଳିବନି । ଋଣ ପାଇଁ ଦରମା ସଂପର୍କତ ପ୍ରମାଣପତ୍ର ମିଳିବନି । ଋଣ ପାଇଁ ବ୍ୟାଙ୍କ ସଫା ମନା କରିବ । ହଜାରେ କାଗଜ ମାଗିବ । ଯାହା ଅଫିସ ଦେବନି । ଏବେ ତ ନିୟମିତବାଲା ଆହୁରି ଚାଲାଖ ହୋଇଗଲେଣି । ସେମାନେ ବ୍ୟାଙ୍କ ଖାତାକୁ ତ ଠିକା କର୍ମଚାରୀଙ୍କ ଦରମା ପଠେଇ ଦେବେ । କିନ୍ତୁ ‘ଦରମା’ (ସାଲାରୀ) ଲେଖିବେନି । କେତେବେଳେ ଲେଖିବେ ‘ୱେଜେସ୍’ (ମଜୁରୀ), କେତେବେଳେ ଲେଖିବେ ଅନରାରିଅମ୍ । ଆଉ କେତେବେଳେ ଖାଲି ବିନା କିଛି ଲେଖାରେ ଦରମା ଯିବ ବ୍ୟାଙ୍କ ଖାତାକୁ ।

କାହିଁକି ଏମିତି ତାରତମ୍ୟ ? କାଇଁ ଏତେ ବିଭେଦ ? ସୁପ୍ରିମକୋର୍ଟଙ୍କ ନିୟମ କଣ ପାଇଁ ପାଳନ ହେଉ ନାହିଁ ?

ପ୍ରଥମ ପ୍ରସଙ୍ଗ ହେଉଛି- ନିୟମିତ ଚାକିରିଆଙ୍କ ମାନସିକତା । ସେମାନେ ନିଜକୁ ଠିକା ଚାକିରିଆଙ୍କଠାରୁ ଢେର ଉପରେ ବୋଲି ଦେଖନ୍ତି । ତେଣିକି କିରାଣୀ ହୋଇଥାଆନ୍ତୁ ପଛେ । ସେ ମାନସିକତା ବଡ଼ ଅଜବ । ସେ ମାନସିକତା କୋଉଦିନର ପୁରୁଣାକାଳିଆ ଆଉ ଭେଦଭାବ ଭରା । ହେଲେ- ସେ ମାନସିକତା ହଟୁନି । ହଟିବ ବି ନାଇଁ ସହଜରେ । କାରଣ- ସରକାରୀ ଷ୍ଟାମ୍ପ୍ ତାଙ୍କ ଦେହରେ ବାଜିଛି । ଥରେ ଜଣେ ମତେ କହି ବି ଦେଲେ- ଠିକା ଚାକିରିଆଙ୍କ ପାଇଁ ‘ସାଲାରୀ’ ଶବ୍ଦ କେମିତି ବ୍ୟବହାର ହେବ ? କେମିତି ତାରତମ୍ୟ ଓ ଅନ୍ତର ଆପଣ ଭାବନ୍ତୁ ଏଥିପାଇଁ ବେଶି ଦାୟୀ ବି ସରକାର । କୌଣସି ରାଜ୍ୟର ହେଉ କିମ୍ବା କେନ୍ଦ୍ର ନିଜେ । ଠିକା କର୍ମଚାରୀଙ୍କ ସୁରକ୍ଷା ପାଇଁ କୌଣସି ଠୋସ୍ ନିୟମ ନାହିଁ । ନିୟମ ପ୍ରଣୟନ ଦିଗରେ କେହି ଚିନ୍ତା ବି କରୁ ନାହାନ୍ତି । ନିୟମିତବାଲା ଲହୁଣି ମାଡ଼ି ବସିଛନ୍ତି ।

ସରକାର କାହିଁକି କରିବେ ଯେ ? ଏମିତିରେ ତ କାମ ଭଲରେ ଚଳୁଛି । ଠିକାମାନେ ନିୟମିତଙ୍କ ଅପେକ୍ଷା ଢେର ଭଲ କାମ କରୁଛନ୍ତି । ତେଣୁ ଚାଲୁଛି ଯଦି ଚାଲୁ । ବଦଳାଇବେ କାଇଁକି ? ଏତେ ଧନ୍ଦାରେ ପଶିବେ କାଇଁକି ?

Leave A Reply

Your email address will not be published.