Latest Odisha News

BREAKING NEWS

ପ୍ରସିଦ୍ଧ ଲେଖକ ଗଣେଶ୍ୱର ମିଶ୍ରଙ୍କ ଲେଖା ‘ପୁରୀ ବୋଲି’କୁ ସମୃଦ୍ଧ କରିପାରିଛି

ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଆ ଲେଖକ ଗଣେଶ୍ୱର ମିଶ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ୱର ମହାବୋଧି ସୋସାଇଟି ପରିସରରେ ଥିବା ବୁଦ୍ଧମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତଃ ଗଣେଶ୍ୱର ମିଶ୍ର ସ୍ମାରକୀ ବକ୍ତୃତା ପ୍ରଦାନ ଅବସରରେ ବିଖ୍ୟାତ ଗବେଷକ ତଥା ଲେଖକ ସିଧେଶ୍ୱର ମହାପାତ୍ର କହିଛନ୍ତି, “ସ୍ୱନାମଧନ୍ୟ ଲେଖକ ଗଣେଶ୍ୱର ମିଶ୍ରଙ୍କ ଅନେକ ଲେଖାରେ ତଥା ବହୁମୁଲ୍ୟ ପ୍ରବନ୍ଧ ରଚନାରେ ହିଁ ପୁରୀର କଥିତ ଭାଷା ବା ପୁରୀ ବୋଲି ସମୃଦ୍ଧ ହୋଇପାରିଛି” ।

 

ପ୍ରଥିତଯଶା ଓଡ଼ିଆ ଲେଖକ ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ଗଣେଶ୍ୱର ମିଶ୍ର ସ୍ମାରକୀ ବକ୍ତୃତା’ରେ ପ୍ରସିଦ୍ଧ ଗବେଷକ ସିଧେଶ୍ୱର ମହାପାତ୍ର ଗଣେଶ୍ୱର ମିଶ୍ରଙ୍କ ଜୀବନବ୍ୟାପୀ ସାହିତ୍ୟ ସାଧନା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଓଡ଼ିଆ ସାହିତ୍ୟକୁ ଗଣେଶ୍ୱର ମିଶ୍ରଙ୍କ ଅବଦାନ ଅତୁଳନୀୟ ଏବଂ ତାଙ୍କର ମୂଲ୍ୟବାନ ସାହିତ୍ୟକୃତି ମାଧ୍ୟମରେ ‘ପୁରୀ ବୋଲି’କୁ ପ୍ରାଧାନ୍ୟ ଦେଇଥିଲେ ବୋଲି ଗବେଷକ ସିଧେଶ୍ୱର ମିଶ୍ର କହିଛନ୍ତି ।

ସେ ତାଙ୍କର ସାରଗର୍ଭକ ଭାଷଣରେ କହିଥିଲେ, ପୁରୀରେ ରହିଥିବା ସମୟରେ ପୁରୀର ଭାଷା, ଚାଲିଚଳଣି, ସଂସ୍କୃତି ତଥା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ପାରମ୍ପରିକ ‘ପୁରୀ ବୋଲି’ ଉପରେ ଅନେକ ଗବେଷଣା ମଧ୍ୟ କରିଛନ୍ତି । ତେବେ ସେହି ସମୟରେ ଗଣେଶ୍ୱର ମିଶ୍ରଙ୍କ ସହିତ ବିଜୟ ମହାପାତ୍ର ଓ ହରିହର ମିଶ୍ର ଏପରିକି ଆହୁରି ଅନେକ ସାରସ୍ୱତ ସାଧକ ସେମାନଙ୍କ ସାହିତ୍ୟ ରଚନା ମାଧ୍ୟମରେ ପୁରୀର କଥିତ ଭାଷା ବା ପୁରୀ ବୋଲି କୁ ସାଧାରଣତଃ ପ୍ରାଧାନ୍ୟ ଦେଇଛନ୍ତି । ‘ପୁରୀ ବୋଲି’ କୁ ବାଦ ଦେଇ ପ୍ରାଚୀନ ଓଡ଼ିଆ ସଂସ୍କୃତି ତଥା ଭାଷାର ସଠିକ ମୂଲ୍ୟାୟନ ହୋଇପାରିବ ନାହିଁ । ପ୍ରଖ୍ୟାତ ଲେଖକ ଗଣେଶ୍ୱର ମିଶ୍ର ତାଙ୍କର ଅଧିକାଂଶ ସାହିତ୍ୟ ରଚନାରେ ପୁରୀର କଥିତ ଭାଷା ବା ପୁରୀ ବୋଲି କୁ ହିଁ ଅଗ୍ରାଧିକାର ଦେଇଛନ୍ତି ।

ବିଖ୍ୟାତ ଗବେଷକ ସିଧେଶ୍ୱର ମହାପାତ୍ର ଭୁବନେଶ୍ୱରର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସତୀର୍ଥ’ ଦ୍ୱାରା ମହାବୋଧି ସୋସାଇଟିର ବୁଦ୍ଧମନ୍ଦିର ପରିସରରେ ଗଣେଶ୍ୱର ମିଶ୍ରଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବକ୍ତୃତା ପ୍ରଦାନ କରିଥିଲେ ।

ଏହି ଅବସରରେ ଗଣେଶ୍ୱର ମିଶ୍ରଙ୍କ ଦ୍ୱାରା ଲିଖିତ ଏକ ଇଂରାଜୀ ପୁସ୍ତକ ‘ହାଇସ୍କୁଲ ଡ଼େଜ୍ ’ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ସାରସ୍ୱତ ଉତ୍ସବରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସତୀର୍ଥ’ ର ଏକ ୱେବ ସାଇଟ୍ ଲୋକାର୍ପିତ ହୋଇଥିଲା ।

ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହରିହର ମିଶ୍ର ଏବଂ ଲେଖକ ସୌରୀବନ୍ଧୁ କର ସ୍ୱର୍ଗତଃ ମିଶ୍ରଙ୍କ ଅନବଦ୍ୟ ଓଡ଼ିଆ ସାହିତ୍ୟ କୃତି ଏବଂ ତାଙ୍କ ସହିତ ବିତାଇଥିବା ବ୍ୟକ୍ତିଗତ ଜୀବନାଦର୍ଶ ସମ୍ପର୍କରେ ସାରଗର୍ଭକ ଭାଷଣ ଦେଇଥିଲେ ।

ଅଗ୍ରଣୀ ଅନୁଷ୍ଠାନ ‘ସତୀର୍ଥ’ର ଆବାହକ ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ତାଙ୍କ ବାପା ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ଅନୁବାଦ ସାହିତ୍ୟ ପ୍ରତି ଥିବା ଅନୁରକ୍ତି ଏବଂ ପ୍ରତିଶୃତିକୁ ସ୍ମୃତିଚାରଣ କରିଥିଲେ । ତାଙ୍କ ବାପା ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସ୍ମୃତିରେ ଏକ ଅନୁବାଦ କେନ୍ଦ୍ର ‘ସତୀର୍ଥ’ ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠା କରିବା ନେଇ ଏହି ସ୍ମୃତିସଭାରେ  ପ୍ରକାଶ କରିଥିଲେ ।

ଏହି ସାରସ୍ୱତ ସଭାରେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି ସଭାପତିତ୍ୱ କରିଥିଲେ ଏବଂ ସର୍ବଶେଷରେ ଜଣାଶୁଣା ଲେଖକ ଡ଼ଃ ବିରାଜ ମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.