Latest Odisha News

BREAKING NEWS

ଜ୍ୱର ଛାଡ଼ିବାକୁ ମହାପ୍ରଭୁ ଲଗାଇବେ ଫୁଲୁରି ତେଲ

ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସକାଳର ଦିନଚର୍ଯ୍ୟାରେ ମୁତୁରୀ କାଠିରେ ଦାନ୍ତଘଷା ଆରମ୍ଭ କରି ଦହି ପଖାଳ ଖାଇ ପଲଙ୍କରେ ଶୋଇବା ଯାଏ ଶ୍ରୀମନ୍ଦିରରେ ଚାଲିଥାଏ ତାଙ୍କର ଅପୂର୍ବ ଲୀଳାଖେଳା । ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀରେ ୧୦୮ ଗରା ପାଣିରେ ଗାଧୋଇବା ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଅଣସର ଘରେ ୧୫ ଦିନ ଲାଗି ରହୁଛନ୍ତି । ଜ୍ୱରଜନିତ ପୀଡ଼ାରୁ ମୁକ୍ତି ଲାଗି ଆଜି ତାଙ୍କର ପ୍ରଥମ ଚିକିତ୍ସା କରାଯାଉଛି । ଚତୁର୍ଦ୍ଦା ମୂରତୀଙ୍କୁ ଫୁଲୁରି ତେଲରେ ଚିକିତ୍ସା କରିବେ ଦେବବୈଦ୍ୟ ।

ଦେହ ହାତ ଘଷା ମୋଡ଼ା କରିଦେବେ ତାଙ୍କର ଅତିପ୍ରିୟ ସେବକ, ସେବାୟତ, ବିଦ୍ୟାପତି, ପତିମହାପାତ୍ର ତଥା ବିଶ୍ୱାବସୁ ସେବକ । ଘଷାମୋଡ଼ା, ତେଲମାଲସରେ ତାଙ୍କ ଜ୍ୱର ଯନ୍ତ୍ରଣା ହେବ ଉପଶମ ଏବଂ ସମ୍ପୂର୍ଣ୍ଣ ରୋଗମୁକ୍ତ ହେବେ ମହାପ୍ରଭୁ ।

ଆଜି ଅଣସର ପିଣ୍ଡିରେ ଶ୍ରୀଅଙ୍ଗଫିଟା ନୀତିକାନ୍ତି ବେଶ୍ ସୂଚାରରୂପେ ଅନୁଷ୍ଠିତ ହୋଇଯାଇଛି । ତେବେ ମହାପ୍ରଭୁଙ୍କୁ ଲାଗି କଲାପରେ ଦେବବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀଜୀଉମାନଙ୍କୁ ଲାଗି କରାହେବ ଏହି ଫୁଲୁରୀ ତୈଳ । ଶ୍ରୀମନ୍ଦିର ନିକଟସ୍ଥ ବଡ଼ଓଡ଼ିଆ ମଠରେ ଏହି ଫୁଲୁରି ତେଲ ପ୍ରସ୍ତୁତ ହୋଇଥାଏ ।

ତେବେ ମହାପ୍ରଭୁଙ୍କ ଏହି ଫୁଲୁରି ତେଲରେ କେତେକ ଔଷଧୀୟ ଜଡ଼ିବୁଟି ମିଶ୍ରଣ ହୋଇଛି । ଦେବବୈଦ୍ୟଙ୍କ ପରାମର୍ଶାନୁସାରେ ଏହି ତୈଳ ସହିତ କୃଷ୍ଣପର୍ଣ୍ଣି, ବେଲ, ଖଣିବଥୁ , ପଟଳି, ଶାଳପର୍ଣ୍ଣି, ଅଙ୍କରାନ୍ତି, ଗୋଖରା, ଗମ୍ଭାରୀ, ଲବାଙ୍ଗ, କୁଳି, ମହୁ, ନବାତ, ଫଣଫଣା, ଲମ୍ବାଗୋତି, ଦେଶୀଘିଅ ତଥା ଖୁଆରସକୁ ମିଶ୍ରଣ ହୋଇ ଏକ ଔଷଧ ପ୍ରସ୍ତତି ହୋଇଥାଏ ।

ଏହି ଔଷଧ ସେବନ କରିବାପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିବେ । ତେବେ ତିଥି ଅନୁସାରେ ୧୩ ତାରିଖରେ ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନ । ତହିଁ ପରଦିନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରି ମହାପ୍ରଭୁ ବିଶ୍ୱବାସୀଙ୍କୁ ସାକ୍ଷାତ ଦର୍ଶନ ଦେବେ ।

Leave A Reply

Your email address will not be published.