Latest Odisha News

BREAKING NEWS

ଓଡ଼ିଶାର ତ୍ରିବେଣୀ ସଙ୍ଗମ

ଭାରତର ପ୍ରୟାଗରାଜ (ଆଲହାବାଦ୍)ଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନାମକ ୩ଟି ପ୍ରମୁଖ ନଦୀର ସଙ୍ଗମ ସ୍ଥଳକୁ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ । ଯେଉଁଠାରେ ଅନୁଷ୍ଠିତ ହୋଇଥାଏ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା । ବିଶ୍ୱାସ ରହିଛି ଏହି ସଙ୍ଗମ ସ୍ଥଳରେ ସ୍ନାନ କରୁଥିବା ବ୍ୟକ୍ତିର ମୋକ୍ଷ ପ୍ରାପ୍ତି ହୋଇଥାଏ । ହେଲେ ଆପଣ ଜାଣିଛନ୍ତି କି ଓଡ଼ିଶାରେ ମଧ୍ୟ ଅନୁରୂପ ତ୍ରିବେଣୀ ସଙ୍ଗମ ସ୍ଥଳ ରହିଛି । ଯେଉଁଠି ମଧ୍ୟ ବୁଡ଼ ପକାଇଲେ ବ୍ୟକ୍ତିର ସର୍ବପାପ ନାଶ ହେବାର ବିଶ୍ୱାସ ରହିଛି ।

ଅନେକ ଐତିହାସିକ ଘଟଣାର ମୂକସାକ୍ଷୀ ହେଉଛି ନୟାଗଡ଼। ଏବେବି ନୟାଗଡ଼ ସହର ମୁଣ୍ଡରେ ରୁଖି ଏବଂ ବଳରାମ ନାମକ ଦୁଇ ପାହାଡ଼ ଦ୍ୱାରପାଳ ଭାବେ ଠିଆହୋଇଛନ୍ତି। ଏହି ଜିଲ୍ଲାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅନେକ ପର୍ଯ୍ୟଟନ ସ୍ଥଳୀ ଓ ମନ୍ଦିର। ପୁରାଣ ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ମନ୍ଦିର ମଧ୍ୟ ଏଠାରେ ରହିଛି । ଏହି ପ୍ରସିଦ୍ଧ ମନ୍ଦିର ଗୋଟିଏ ଛୋଟିଆ ମୁଣ୍ଡିଆ ଉପରେ ଅବସ୍ଥିତ। ସେହି ମୁଣ୍ଡିଆକୁ ବ୍ରହ୍ମାଦ୍ରୀ ପର୍ବତ ବୋଲି କୁହାଯାଏ। ସେଠାରେ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଏକ ପ୍ରାଚୀନ ମନ୍ଦିରରେ ନୀଳମାଧବ ପୂଜା ପାଇଥାନ୍ତି।

ଇଏ ହେଉଛନ୍ତି ସେହି ନୀଳମାଧବ ଯାହାକୁ ଦିନେ ପାଇବା ପାଇଁ ବିଦ୍ୟାପତି ବିଶ୍ୱାବସୁଙ୍କ ସହ ସମ୍ପର୍କ ଯୋଡ଼ିଥିଲେ। କିମ୍ବଦନ୍ତୀ କହେ, ପୁରୀ ବଡ଼ଦେଉଳର ଶ୍ରୀ ଜଗନ୍ନାଥଙ୍କ ସେବା ନୀତି ଯେଉଁଭଳି ହୁଏ, ନୀଳମାଧବଙ୍କ ନିକଟରେ ମଧ୍ୟ ଠିକ୍‌ ସେହିପରି ନୀତିକାନ୍ତି ହୋଇଥାଏ। ଶ୍ରୀକ୍ଷେତ୍ରର ବଡ଼ ଦୁଆର ପରି ଏହି ମନ୍ଦିରରେ ମଧ୍ୟ ଚାରିଟି ଦ୍ୱାର ଏବଂ ବାଇଶି ପାହାଚ ରହିଛି। ମନ୍ଦିର ବେଢ଼ାରେ ନୀଳମାଧବଙ୍କ ସହ ମା ଲକ୍ଷ୍ମୀ, ସିଦ୍ଧେଶ୍ୱର ମହାଦେବ ଏବଂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ରହିଛି।

ଏହି ମନ୍ଦିରର ଏକ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଏଠାରେ ଥିବା ଶ୍ରୀ ବିଗ୍ରହଙ୍କ ପାଦଦେଶରୁ ସବୁବେଳେ ପାଣି ଝରୁଥାଏ। ସ୍ଥାନୀୟ ଗବେଷକଙ୍କ ମତ ଅନୁସାରେ, ବିଗ୍ରହଙ୍କ ପଥରରେ ଏମୋନାଇଟ୍‌ ନାମକ ଏକ ଜୀବାଶ୍ମ ଥିବାରୁ ଏଥିରୁ ଅନବରତ ପାଣି ଝରିଥାଏ।

କଣ୍ଟିଲୋ ନୀଳମାଧବଙ୍କ ବେଢ଼ାରୁ ପାହାଚ ନଦୀ କୂଳକୁ ଲମ୍ବି ଯାଇଛି। ଆଉ ସେହି ପାହାଚ ଅତିକ୍ରମ କରି ତଳକୁ ଗଲେ ଆପଣ ଅତି ସୁନ୍ଦର ମନୋରମ ଦୃଶ୍ୟ ଦେଖିବାକୁ ପାଇବେ। ସେହିଠାରେ ମହାନଦୀ ସହ କୁସୁମି ଆଉ କୁଆଁରିଆ ନଦୀର ମିଳନ ଘଟିଛି। ଆଉ ଏହାକୁ ହିଁ ଓଡ଼ିଶାର ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ। ଏଠାରେ ସ୍ନାନ କଲେ ଅନେକ ଆସାଧ୍ୟ ରୋଗ ଭଲ ହେବା ସହ ପ୍ରଭୁଙ୍କ ଆଶିଷ ଲାଭ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ।

ବନଜଙ୍ଗଲ ଓ ନଦୀନାଳରେ ଏହି ସ୍ଥାନ ଭାରି ରହିଥିବାରୁ ପର୍ଯ୍ୟଟନ ୠତୁ ଆସିଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ପ୍ରଭୁଙ୍କ ଦର୍ଶନ, ତ୍ରିବେଣୀ ସଙ୍ଗମରେ ସ୍ନାନ ସାଙ୍ଗକୁ ଏହି ମନୋରମ ପରିବେଶରେ ଭୋଜି କରିବାର ସୁବିଧା ଥବାରୁ ସବୁ ବୟସର ଲୋକ ଏହି ସ୍ଥାନକୁ ବେଶ ପସନ୍ଦ କରିଥାନ୍ତି ।

କେମିତି ଯିବେ:
ରାଜଧାନୀ ଭୁବନେଶ୍ୱରଠାରୁ ନୟାଗଡ଼ର ଦୂରତା ୮୦ କି.ମି ଏବଂ ନୟାଗଡ଼ ସଦର ମହକୁମାଠାରୁ ଏହା ମାତ୍ର ୪୪ କି.ମି.। ଆପଣ ଚାହିଁଲେ ବସ୍‌ କିମ୍ବା ଟ୍ୟାକ୍ସି କରି ସେଠାକୁ ଯାଇପାରିବେ।

Leave A Reply

Your email address will not be published.