Latest Odisha News

BREAKING NEWS

ଅମ୍ଫାନ ମୁକାବିଲା : ଫୋକସରେ ଦୁଇ ଓଡ଼ିଆ ଡିଜି

ଭୁବନେଶ୍ୱର : କିଛିବର୍ଷ ହେବ ଓଡିଶାରେ ବାତ୍ୟା ତାର ତାଣ୍ଡବ ଦେଖାଉଛି । କେତେବେଳେ ହୁଡହୁଡ୍ ତ କେତେବେଳେ ଫନି । ଆଉ ଏବେ ଅମ୍ଫାନ । ଅନେଶତ ମହାବାତ୍ୟା ପରେ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ଶତାବ୍ଦୀର ସବୁଠାରୁ ବଡ ବାତ୍ୟା ବୋଲି କୁହାଯାଉଛି । ତେବେ ଏହି ବାତ୍ୟା ସମୟରେ ଜାତୀୟସ୍ତରର ଦୁଇଟି ଅନୁଷ୍ଠାନର କାର୍ଯ୍ୟ ଓ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏଗୁଡିକ ହେଉଛି ଆଇଏମଡି ବା ଇଣ୍ଡିଆନ ମେଟ୍ରୋଲୋଜିକାଲ୍ ଡିପାର୍ଟମେଣ୍ଟ ଏବଂ ଏନଡିଆରଏଫ୍ ବା ନ୍ୟାସନାଲ୍ ଡିଜାଷ୍ଟର ରେସପନ୍ସ ଫୋର୍ସ।

ଆଇଏମଡି ସମ୍ଭାବ୍ୟ ବାତ୍ୟାର ପୂର୍ବ ସୂଚନା ପ୍ରଦାନ କରିଵା ସହ, ବାତ୍ୟାର ଗତିପଥ, ପବନର ବେଗ, ସ୍ଥଳଭାଗ ଛୁଇଁବାର ସ୍ଥାନ ଓ ସମୟ ସମ୍ପର୍କରେ ସୂଚନା ଦେଇଥାଏ । ଆଇଏମଡିର ସୂଚନାକୁ ଆଧାରକରି ଲୋକେ ସଚେତନ ହୋଇଥାନ୍ତି ଏବଂ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଥାନ୍ତି ।

ସେହିପରି ବାତ୍ୟା ସମୟରେ ବା ବାତ୍ୟା ପରବର୍ତ୍ତୀ ଜରୁରୀକାଳୀନ ପରିସ୍ଥିତି, ସମସ୍ୟା, କ୍ଷୟକ୍ଷତି ବା ଅସୁବିଧାକୁ ସାହସର ସହିତ ମୁକାବିଲା କରିଥାଏ ଏନଡିଆରଏଫ୍ । ଅପହଂଚ ଅଂଚଳରେ ପହଂଚି କ୍ଷତିଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା, ଗମନାଗମନ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥାକୁ ସଜାଡ଼ିବା ଭଳି ବହୁ କଷ୍ଟସାଧ୍ୟ ସମସ୍ୟାକୁ ସମାଧାନ କରିଥାଏ ଏନଡିଆରଏଫ୍ ।

ଯଦିଓ ଓଡ଼ିଶା ପାଇଁ ଏହା ଏକ ଘଡ଼ିସନ୍ଧି ଓ ବିପଦ ସଂକୁଳ ମୁହୂର୍ତ୍ତ ତେବେ ଓଡିଶା ବାସୀଙ୍କ ଲାଗି ଗର୍ବ ଓ ଗୌରବର ପ୍ରସଙ୍ଗ ହେଉଛି ଆଇଏମଡି ଏବଂ ଏନ୍‌ଡିଆର୍‌ଏଫ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ଅନୁଷ୍ଠାନର ମୁଖ୍ୟଭାବେ ଅବସ୍ଥାପିତ ଥିବା ଦୁଇ ଓଡିଆ ଅଧିକାରୀ । ସେମାନେ ହେଉଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ । ବାତ୍ୟା  ‘ଅମ୍ଫାନ’ ପରିପ୍ରେକ୍ଷୀରେ ଏହି ଦୁଇ ଓଡିଆ ପଦାଧିକାରୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କେବଳ ସେତିକି ନୁହେଁ,ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡିଶାକୁ ନେଇ ସେମାନଙ୍କ ସକ୍ରିୟତା ମଧ୍ୟ ବେଶ ଅନୁଭବ କରିହେଉଛି ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଅନେକ ସମୟରେ ଓଡିଶା ଆସିଵା ସହ ରାଜ୍ୟସରକାରଙ୍କ ପ୍ରାକୃତିକ ବିପର‌୍ୟ୍ୟୟ ପରିଚାଳନାରେ ମଧ୍ୟ ସହଯୋଗ କରିଥାନ୍ତି ।

ସେହିପରି ଝାଡ଼ଖଣ୍ଡ କ୍ୟାଡର ଆଇପିଏସ ଅଫିସର ରହିଥିବା ତଥା ବର୍ତମାନ ଏନଡିଆରଏଫ ଡିଜି ଥିବା ସତ୍ୟନାରାୟଣ ପ୍ରଧାନ ଝାଡ଼ଖଣ୍ଡ ପୋଲିସ ବିଭାଗ ଅଧୀନରେ ଅତିରିକ୍ତ ଡିଜି ଅପରେସନ ଥିବା ବେଳେ ହିଁ ଓଡିଶାରୁ ଧରା ପଡିଥିଲା ଅଲକାଏଦା ଆତଙ୍କବାଦୀ ଅବଦୁଲ ରହମାନ । ଝାଡ଼ଖଣ୍ଡରେ ବି ଅବଦୁଲ ଚଳାଇଥିଲା ଆତଙ୍କୀ ନେଟୱାର୍କ । ସତ୍ୟନାରାୟଣଙ୍କ ନେତୃତ୍ୱରେ ହୋଇଥିବା ତଦନ୍ତ ଓ ତଥ୍ୟକୁ ଭିତ୍ତି କରି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଅବଦୁଲକୁ ଓଡିଶାରୁ ଗିରଫ କରିଥିଲା ।

ଏହି ଦୁଇ ଓଡ଼ିଆ ଡିଜିଙ୍କ ଲାଗି ଓଡିଶା ଗର୍ବିତ ।

Leave A Reply

Your email address will not be published.