Latest Odisha News

BREAKING NEWS

‘ଉତ୍କଳ ଦିବସ’ ପରିବର୍ତ୍ତେ ‘ଓଡ଼ିଶା ଦିବସ’ ନାମକରଣ ନେଇ ପ୍ରତିବାଦ

ଭୁବନେଶ୍ୱର: ଆଜି ପବିତ୍ର ଉତ୍କଳ ଦିବସ ଓଡ଼ିଶାରେ ପାଳିତ ହୋଇଯାଇଛି । କରୋନା ସଂକ୍ରମଣ ଯୋଗୁଁ ସାରା ରାଜ୍ୟ ଲକ୍‌ଡାଉନ ରହିଥିବା ଯୋଗୁଁ ରାଜ୍ୟ ସରକାର ଏହି ଉତ୍ସବକୁ ଆଡ଼ମ୍ବର ସହକାରେ ପାଳନ କରିନାହାନ୍ତି । ତେବେ ‘ଉତ୍କଳ ଦିବସ’ ପରିବର୍ତ୍ତେ ‘ଓଡ଼ିଶା ଦିବସ’ ନାମକରଣରେ ଏହି ପବିତ୍ର ଦିବସକୁ ପାଳନ କରାଯାଉଥିବା ଯୋଗୁଁ ପ୍ରତିବାଦ କରାଯାଇଛି । କିଛି ବର୍ଷ ଧରି ସରକାରୀ ସ୍ତରରେ ‘ଉତ୍କଳଦିବସ’ର ନାମ ପରିବର୍ତ୍ତନ କରାଯାଇ ‘ଓଡ଼ିଶାଦିବସ’ ପାଳନ କରାଯାଉଥିବାରୁ ଏହାର ପ୍ରତିବାଦରେ ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ଏକ ପତ୍ର ଲେଖିଛନ୍ତି।

ମେଲ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଥିବା ପତ୍ରର ଅବିକଳ ନକଲ:

#UtkalaDibasa
ମାନନୀୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ,
ମୁଖ୍ୟମନ୍ତ୍ରୀ, ଓଡ଼ିଶାମହାଶୟ,
ଆପଣଙ୍କୁ ଉତ୍କଳ ଦିବସର ଅଭିନନ୍ଦନ। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିବା ଓଡ଼ିଶା ଆଜି ୮୪ ବର୍ଷ ପୂର୍ଣ୍ଣ କରି ୮୫ ବର୍ଷରେ ପାଦ ଥାପିଛି।ଏହି ୮୪ ବର୍ଷ ଭିତରେ ଓ ତା ପୂର୍ବରୁ ରାଜ୍ୟକୁ ବହୁ ପ୍ରାକୃତିକ ବିପତ୍ତି ଆସିଛି। ସବୁକୁ ସାମନା କରି ଅନେକ କିଛି ହରେଇ ମଧ୍ୟ ଓଡ଼ିଆ ଜାତି ଆଜି ସଗର୍ବେ ଠିଆହୋଇଛି। ୧୯୯୯ ମସିହାର ମହାବାତ୍ୟା ଓଡ଼ିଶାର ଅଣ୍ଟା ଭାଙ୍ଗି ଦେଇଥିବା ସମୟରେ ହିଁ ଆପଣ ଶାସନ କ୍ଷମତାକୁ ଆସିଥିଲେ ଓ ପୁଣି ଓଡ଼ିଶାର ଅଣ୍ଟା ସଳଖିବାକୁ ଉଦ୍ୟମ ଆରମ୍ଭ କରି ସଫଳ ମଧ୍ୟ ହେଲେ। ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ଓ ଏହାର ଜନପ୍ରଭାବ କମ କରିବାରେ ଆପଣଙ୍କର ବେଶ୍‌ ସୁଖ୍ୟାତି ରହିଛି। ହୁଡ଼ୁହୁଡ଼ୁ, ଫାଇଲିନ୍‌ ଠାରୁ ଆରମ୍ଭ କରି ଗତ ବର୍ଷର ଫୋନୀ ବାତ୍ୟା ପର୍ଯ୍ୟନ୍ତ ପ୍ରତିଟି ବିପର୍ଯ୍ୟୟକୁ ଆପଣଙ୍କ ନେତୃତ୍ବରେ ଓଡ଼ିଶା ସାହସର ସହ ସାମନା କରିଛି ଓ ଧନଜୀବନ ବଞ୍ଚାଇବା ସହ ଲୋକଙ୍କ ଅସୁବିଧା ଦୂର କରିବାରେ ସମର୍ଥ ହୋଇଛି। ଏଥିପାଇଁ ମୁଁ ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ଦେଉଛି।ଆଜି ପୁଣି ଏକ ବିପଦରେ ସାରା ବିଶ୍ବ ଛାରଖାର ହେବାକୁ ବସିଥିବା ବେଳେ ଭାରତ ବି ଏହା ଦ୍ବାରା ପ୍ରଭାବିତ। କରୋନା ଭୂତାଣୁ ଭାରତରେ ମଧ୍ୟ ଧୀରେ ଧୀରେ ସଂକ୍ରମଣ ବଢ଼ାଇଚାଲିଛି। ଏଭଳି ସମୟରେ ଆପଣ ଆଗୁଆ ଓ ତ୍ବରିତ ପଦକ୍ଷେପ ନେଇ ଅନ୍ୟ ରାଜ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି। ଲକ୍‌ଡାଉନ୍‌ ହେଉ, ଅଥବା ସ୍ବତନ୍ତ୍ର କୋଭିଡ୍‌ ଡାକ୍ତରଖାନା ବ୍ୟବସ୍ଥା ଅଥବା ଲକ୍‌ଡାଉନ୍‌ ପ୍ରଭାବିତ ରାଜ୍ୟବାସୀଙ୍କ ପାଇଁ ସୁବିଧା ଘୋଷଣା ଅଥବା ଅନ୍ୟ ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ବାବଦରେ ଚିନ୍ତା; ସବୁ କ୍ଷେତ୍ରରେ ଓଡ଼ିଶା ଆଗୁଆ ଅଛି। ଅନ୍ୟ ରାଜ୍ୟ ତୁଳନାରେ ଆଜି ଓଡ଼ିଶାରେ କରୋନା ପ୍ରଭାବିତଙ୍କ ସଂଖ୍ୟା କମ ରହିଥିବା ବେଳେ ଏଯାଏଁ କୌଣସି ଅଶୁଭ ଖବର ମଧ୍ୟ ମିଳିନାହିଁ। ଏଥିପାଇଁ ଆପଣଙ୍କ ପ୍ରତିଷେଧକମୂଳକ ବ୍ୟବସ୍ଥା, ଦକ୍ଷ ଓ ଧୀସମ୍ପନ୍ନ ପ୍ରଶାସନ ଧନ୍ୟବାଦର ପାତ୍ର।

ଅନ୍ୟ ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ଯେଭଳି ସାମନା କରି ବିଜୟୀ ହୋଇଛେ, ଏ କରୋନା ଲଢ଼େଇରେ ମଧ୍ୟ ବିଜୟୀ ହେବା ବୋଲି ମୋର ଆଶା। ସାରା ଓଡ଼ିଶାବାସୀ ଆପଣଙ୍କ ସହ ଅଛନ୍ତି।

ତେବେ ଏ ଅବସରରେ ମୁଁ ଅନ୍ୟ ଏକ ପ୍ରସଙ୍ଗରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କିଛି ନିବେଦନ ରଖିବା ଲାଗି ଏ ପତ୍ର ଲେଖୁଛି। ଆପଣଙ୍କୁ ମୋର କିଛି କଥା ସମାଲୋଚନା ଭଳି ଲାଗିପାରେ। କିନ୍ତୁ ଆପଣଙ୍କୁ ଏହା ମନେ ରଖିବାକୁ ହେବ, ଆପଣଙ୍କୁ ଭଲ ପାଉଥିବା ଓ ସମ୍ମାନ ଦେଉଥିବା ବ୍ୟକ୍ତି ହିଁ କେବଳ ଗଠନମୂଳକ ସମାଲୋଚନା କରିପାରେ ବା ସକାରାତ୍ମକ ଭାବେ ଦୋଷତ୍ରୁଟି ଦେଖାଇପାରେ। ମୁଁ ସେହିକାମଟି ଏବେ କରୁଛି ବୋଲି ମୋର ବିଶ୍ବାସ।

ଆଜି ଓଡ଼ିଆଙ୍କ ପାଇଁ ଏକ ପର୍ବର ଦିନ। ଆଜିର ଦିନରେ କେବଳ ଆମକୁ ଏକ ସ୍ବତନ୍ତ୍ର ରାଜ୍ୟ ମିଳିଥିଲା ତାହା ନୁହେଁ, ବରଂ ଆମ ଭାଷାକୁ ମଧ୍ୟ ସ୍ବୀକୃତି ମିଳିଥିଲା। ୧୯୩୬ ମସିହାରେ ଓଡ଼ିଆ ଭାଷା କହୁଥିବା ଲୋକଙ୍କୁ ଗୋଟିଏ ଭୂଖଣ୍ଡ ମିଳିଲା। ସଂସ୍କୃତ ଭିନ୍ନ ଭାରତର ଅନ୍ୟ ଯେଉଁ ୫ଟି ଆଞ୍ଚଳିକ ଭାଷା ଶାସ୍ତ୍ରୀୟ ସ୍ବୀକୃତ ବୋଲି ଗର୍ବ କରନ୍ତି ସେ ସବୁ ମଧ୍ୟରେ ଆମ ଭାଷା ଓଡ଼ିଆ ଅନ୍ୟତମ। ତେବେ ଓଡ଼ିଆଙ୍କ ଐତିହ୍ୟ ଓ ଅସ୍ମିତାର କଥା ଆସିଲେ ଆପେ ଆମ ମନକୁ ‘ଉତ୍କଳ’ ଶବ୍ଦ ଚାଲିଆସେ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ହେଉ ବା ଉତ୍କଳର ଐତିହାସିକ ଓ କିମ୍ବଦନ୍ତୀୟ ଅତୀତ ହେଉ; ସବୁ ଆମ ପାଇଁ ଗୌରବମୟ।

ଓଡ଼ିଶା ଏକ ଭୂଖଣ୍ଡ ମାତ୍ର, କିନ୍ତୁ ଉତ୍କଳ ହେଉଛି ଆମର ଅସ୍ମିତା। ଯେଉଁ ମନିଷୀମାନେ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ (ଯାହାର ଏକ ଦମ୍ଭ ମୂଳଦୁଆ ସମ୍ବଲପୁରରେ ପଡ଼ିଥିଲା), ଯେଉଁ କବି ‘ବନ୍ଦେ ଉତ୍କଳ ଜନନୀ’ ଲେଖିଥିଲେ ଓ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ପରେ ଯେଉଁମାନେ ଏପ୍ରିଲ ୧ ତାରିଖକୁ ‘ଉତ୍କଳଦିବସ’ ଭାବେ ପାଳନ କରିବାର ନିଷ୍ପତ୍ତି ନେଇଥିଲେ ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ସହ ଆମ ଅସ୍ମିତାର ଆବେଗିକ ପରିପ୍ରକାଶ ହେଉଛି ଆଜିର ‘ଉତ୍କଳଦିବସ’ ପାଳନ।

କିନ୍ତୁ ମୁଁ ଅତ୍ୟନ୍ତ କ୍ଷୋଭ ଆଉ ଦୁଃଖର ସହ ଜଣାଉଛି ଯେ ରାଜ୍ୟର ଅଳ୍ପ କେତେକ ଅସହିଷ୍ଣୁ ବା ଆଞ୍ଚଳିକ ଭେଦରେ ବିଶ୍ବାସୀ ବ୍ୟକ୍ତି ଉତ୍କଳଦିବସ ପାଳନ ଓ ଉତ୍କଳ ସଂଗୀତ ଗାନକୁ ବିରୋଧ କରନ୍ତି। ତେବେ ଏହା ଯେତିକି ବ୍ୟଥାଦାୟକ ନୁହେଁ, ତାହା ଠାରୁ ଅଧିକ ପୀଡ଼ା ଦେଉଛି ଆପଣଙ୍କର ଏ ବିରୋଧକୁ ନିରବ ସମର୍ଥନ।

କିଛି ବର୍ଷ ହେଲା ମୁଁ ଲକ୍ଷ କରୁଛି, ଆପଣ ‘ଉତ୍କଳଦିବସ’ ପରିବର୍ତ୍ତେ ଆଜିର ଦିନଟିକୁ ‘ଓଡ଼ିଶାଦିବସ’ ବୋଲି କହି/ଲେଖି ଆସୁଛନ୍ତି। ଆଜି (୧ ଏପ୍ରିଲ ୨୦୨୦) ମଧ୍ୟ ଆପଣ ଆପଣଙ୍କର ବାର୍ତ୍ତା ଭିଡିଓ, ଟ୍ବିଟର ଓ ଫେସବୁକରେ ‘ଓଡ଼ିଶାଦିବସ’ ବୋଲି ଉଲ୍ଲେଖ କରିଛନ୍ତି। ଆପଣ ଜାଣିଶୁଣି ଏଭଳି କରୁଛନ୍ତି ବା ଆପଣଙ୍କ ଅଜ୍ଞାତସାରରେ ଆପଣଙ୍କ ସୋସିଆଲ ମିଡିଆ ପରିଚାଳନା କରୁଥିବା ବ୍ୟକ୍ତି ବା ଆପଣଙ୍କ ଭିଡିଓର ସଂଳାପ ଲେଖୁଥିବା ବ୍ୟକ୍ତି ଏଭଳି କରିଛନ୍ତି ମୁଁ ଜାଣେନା। କିନ୍ତୁ ‘ଉତ୍କଳଦିବସ’ ବିରୋଧରେ ଏ ସାଂସ୍କୃତିକ ଓ ରାଜନୈତିକ ଚକ୍ରାନ୍ତରେ ଆପଣ ଜଣେ ସଇସ ନ ହୁଅନ୍ତୁ, ଏତିକି ମୋର କାମନା।

ଆପଣ ବିଗତ ୪-୫ ବର୍ଷ ଧରି ‘ଉତ୍କଳଦିବସ’ ବଦଳରେ ‘ଓଡ଼ିଶାଦିବସ’ ବ୍ୟବହାର କରିଆସୁଛନ୍ତି। ଏ ନେଇ ସୋସିଆଲ ମିଡିଆରେ ପୂର୍ବ ବର୍ଷମାନଙ୍କରେ ମଧ୍ୟ ଆପଣଙ୍କୁ ଅନୁରୋଧ ରଖିଛି। କିନ୍ତୁ ଆପଣଙ୍କ ମନଭଙ୍ଗୀରେ କୌଣସି ପରିବର୍ତ୍ତନ ଲକ୍ଷ କରିନାହିଁ। ଆପଣ ବାରମ୍ବାର ‘ଓଡ଼ିଶାଦିବସ’ ବୋଲି ଲେଖି ଆମର ଅସ୍ମିତାକୁ କୁଠାରଘାତ କରିଛନ୍ତି।

ସବୁଠୁ ଦୁଃଖର କଥା, ସରକାରୀ ସ୍ତରରେ ମଧ୍ୟ ‘ଉତ୍କଳଦିବସ’କୁ ଏଇ କିଛି ବର୍ଷ ହେଲା ‘ଓଡ଼ିଶାଦିବସ’ ଭାବରେ ପାଳନ କରାଯାଉଛି। ଉତ୍ସବ ବ୍ୟାନରରେ ‘ଓଡ଼ିଶାଦିବସ’ ଉଲ୍ଲେଖ କରାଯାଉଛି, ଖବରକାଗଜ ବିଜ୍ଞାପନରେ ମଧ୍ୟ। ଏ ନେଇ କୌଣସି କ୍ୟାବିନେଟ୍‌ ନିଷ୍ପତ୍ତି ହୋଇନାହିଁ, କିମ୍ବା ନାମ ପରିବର୍ତ୍ତନ କରିବା ପାଇଁ ସାଧାରଣ ଜନତା ବା ବୁଦ୍ଧିଜୀବୀଙ୍କର ମତାମତ ନିଆଯାଇନାହିଁ। ବେଶ୍‌ ଚତୁରତାର ସହ ସରକାରୀ କଳ ଚୁପଚାପ ନାମ ବଦଳ କରିଦେଇଛନ୍ତି।

ଆପଣ ଆଜିର ସୋସିଆଲ ମିଡିଅ ପୋଷ୍ଟ ସବୁ ଦେଖନ୍ତୁ। ଲକ୍ଷ୍ୟକରିବେ- ଆମ ରାଜ୍ୟର ବହୁ ବିଭାଗ, ଆପଣଙ୍କ ଦଳର ବହୁ ବ୍ୟକ୍ତି, ବହୁ ମନ୍ତ୍ରୀ ଓ ବିଧାୟକ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ସରକାରୀ ଅନୁଷ୍ଠାନ ଆପଣଙ୍କୁ ଅନୁକରଣ ନ କରି ଆଜିର ଦିବସକୁ ‘ଉତ୍କଳଦିବସ’ ବୋଲି ହିଁ ଲେଖିବାର ଗର୍ବିତ ପଦକ୍ଷେପ ନେଇଛନ୍ତି। କିନ୍ତୁ ଆମ ସୂଚନା ଓ ଲୋକସମ୍ପର୍କ ବିଭାଗ, ଆପଣଙ୍କର ବ୍ୟକ୍ତିଗତ ଟ୍ବିଟର ହାଣ୍ଡଲ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆପଣଙ୍କ ଦଳର ଟ୍ବିଟର ହାଣ୍ଡଲରେ ଆଜିର ଦିନକୁ ‘ଓଡ଼ିଶାଦିବସ’ ବୋଲି ଲେଖାଯାଇଛି।

ଓଡ଼ିଶା ପର୍ଯ୍ୟଟନ, କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ ଭଳି ବହୁ ସରକାରୀ ବିଭାଗ ଓ ସଂଗଠନକୁ ଧନ୍ୟବାଦ ଯେଉଁମାନେ ଏ ‘ଓଡ଼ିଶାଦିବସ’ ରାଜନୀତିରେ ନ ପଡ଼ି ସଗର୍ବେ ଉତ୍କଳଦିବସ ପାଳନ କରୁଛନ୍ତି। ଅଚ୍ୟୁତ ସାମନ୍ତ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅମର ପଟ୍ଟନାୟକ, ସସ୍ମିତ ପାତ୍ରଙ୍କ ଭଳି ଆପଣଙ୍କ ଦଳର ଶତାଧିକ ନେତା ଓ କର୍ମୀଙ୍କ ପାଖରେ ମୋର କୃତଜ୍ଞତା- ଅନ୍ତତଃ ଏହି ବ୍ୟାପାରରେ ସେମାନେ ଆପଣଙ୍କୁ ଅନ୍ଧ ଭାବରେ ଅନୁସରଣ ନ କରି ‘ଉତ୍କଳଦିବସ’ ପାଳନ କରୁଛନ୍ତି।

ଆମ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାମଙ୍କ ପର୍ଯ୍ୟନ୍ତ ସମସ୍ତେ ‘ଉତ୍କଳଦିବସ’ର ଅଭିନନ୍ଦନ ହିଁ ଦେଇଛନ୍ତି।

ମୋର ଆଶା ଓ ବିଶ୍ବାସ ଆପଣଙ୍କ ମନରେ ଉତ୍କଳଦିବସକୁ ନେଇ କୌଣସି ବୈମାତୃକ ମନୋଭାବ ନଥିବ ଓ  ଆପଣ ଆଗକୁ ଏହା ପାଳନ କରିବା ପାଇଁ ଗର୍ବ ଅନୁଭବ କରିବେ। ଓଡ଼ିଶାରେ ଏଭଳି ସମୟ ନ ଆସୁ, କିଛି କୁଚକ୍ରୀ ‘ଉତ୍କଳ-ଶବ୍ଦ-ବିରୋଧୀ’ଙ୍କୁ ଖୁସି କରିବା ପାଇଁ ‘ଉତ୍କଳ ପ୍ରସଙ୍ଗ’ ପତ୍ରିକାର ନାମ ‘ଓଡ଼ିଶା ପ୍ରସଙ୍ଗ’, ‘ଉତ୍କଳ ମଣ୍ଡପ’ର ନାମ ‘ଓଡ଼ିଶା ମଣ୍ଡପ’ ଓ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ବଦଳାଇ ‘ବନ୍ଦେ ଓଡ଼ିଆ ଜନନୀ’ କରିବାକୁ ପଡ଼ିବ!!

ଏହା ମଧ୍ୟ ଆଶା, ଆପଣ ମୋର ଏ ସମାଲୋଚନାକୁ ସହୃଦୟତାର ସହ ବିଚାର କରିବେ।

ଏବେ କରୋନା ଲଢ଼େଇର ବେଳ। ଆମେ ସାରା ଓଡ଼ିଶାବାସୀ ଆପଣଙ୍କ ସାଙ୍ଗରେ ରହିଛୁ। କରୋନା ହାରିବ, ଓଡ଼ିଶା ଜିତିବ। ଓଡ଼ିଶା ପୁଣି କରୋନା ଭୂତାଣୁ ନିୟନ୍ତ୍ରଣରେ ନୂଆ କୀର୍ତ୍ତିମାନ ତିଆରି କରିବ। ଏତିକି ବିଶ୍ବାସ।

ବନ୍ଦେ ଉତ୍କଳ ଜନନୀ।

ନମସ୍କାର
ଶୁଭ୍ରାଂଶୁ ପଣ୍ଡା
ଲେଖକ ଓ ସାମ୍ବାଦିକ
ଭୁବନେଶ୍ବର
ଫୋନ୍: ୯୩୩୮୬୫୫୮୪୫

 

Leave A Reply

Your email address will not be published.