Latest Odisha News

ଜଳ ସଂପଦ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ; ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ବୁଧବାର ଦିନ ଜଳ ସଂପଦ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଆର୍ଥକ ବର୍ଷ ୨୦୧୯-୨୦ ପାଇଁ କରାଯାଇଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ଖର୍ଚ୍ଚ ଅଟକଳ , ଆବଶ୍ୟକତା ଅନୁସାରେ ସପ୍ଲିମେଣ୍ଟାରୀ ବଜେଟରୁ ବିଭାଗକୁ ଦିଆଯାଇଥିବା ଅଧିକ ଅର୍ଥକୁ ଆଧାର କରି ଯେଉଁ ନୂତନ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି ।

ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ତରରେ କାର୍ଯ୍ୟକରୁଥିବା ଯନ୍ତ୍ରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ତଥା ପରାମର୍ଶ ଦେଇଛନ୍ତି ।

ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ଖର୍ଚ୍ଚ ଅଟକଳ କେତେ ଥିଲା, ସେଥିରୁ ନଭେମ୍ବର ମାସ ଶେଷ ସୁଦ୍ଧା କେତେ କାର୍ଯ୍ୟ ସରିଛି, ଚଳିତ ଡିସେମ୍ବର ମାସ ସୁଦ୍ଧା କେତେ କାର୍ଯ୍ୟ ଶେଷ ହୋଇପାରିବ ଏବଂ ଆଗାମୀ ଜାନୁଆରୀରୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା କେତେ ଧାର୍ଯ୍ୟ ଲକ୍ଷ୍ୟ ରଖି କାର୍ଯ୍ୟକଲେ ବଜେଟ୍ ଅଟକଳ ମୁତାବକ କାର୍ଯ୍ୟ ଶେଷ ହୋଇପାରିବ।

ସେ ସମ୍ପର୍କରେ ପ୍ରସ୍ତୁତ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲ ।

ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜଳସେଚନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସଂପର୍କରେ ସଂପୃକ୍ତ ମୁଖ୍ୟ ଯନ୍ତ୍ରୀ(ସି.ଇ) ଏବଂ ପ୍ରକଳ୍ପ ଦାୟିତ୍ୱରେ ଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ (ସି.ସି.ଇ) ଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କେବଳ ପ୍ରକଳ୍ପ କାର୍ଯ୍ୟକୁ ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ସାରିଲେ ହେବ ନାହିଁ , ଏହାର ଗୁଣାତ୍ମକମାନ ବଜାୟ ରଖିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ, ଛେଳିଗଡ ଜଳସେଚନ ପ୍ରକଳ୍ପ, ଦେଓ ଜଳ ସେଚନ ପ୍ରକଳ୍ପ, ବ୍ରାହ୍ମଣୀ ବେସିନ୍, ଲୋୟର ସୁକତେଲ ପ୍ରକଳ୍ପ, ରେତ୍ ଜଳସେଚନ ପ୍ରକଳ୍ପ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ଉପର କୋଲାବ, ଆନନ୍ଦପୁର ବ୍ୟାରେଜ୍, ରେଙ୍ଗାଲି ଦକ୍ଷିଣ କେନାଲ, କୁସୁମୀ ଜଳସେଚନ ପ୍ରକଳ୍ପ, କାନୁପୁର ଜଳସେଚନ ପ୍ରକଳ୍ପ, ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଆଦି ବିଭିନ୍ନ ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଉଠାଜଳସେଚନ ପ୍ରକଳ୍ପ ଏବଂ ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

ଯେଉଁସବୁ ପ୍ରକଳ୍ପରେ ବିସ୍ଥାପନ ଜନିତ ସମସ୍ୟା ରହିଛି, କୃଷକ ବା ପ୍ରଭାବିତ ହେଉଥିବା ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରି ସେସବୁକୁ ସମାଧାନ କରିବା, ସେମାନଙ୍କ ପାଇଁ ପ୍ରାପ୍ୟ ଅନୁକମ୍ପାରାଶି ପ୍ରଦାନ ପୂର୍ବକ ପ୍ରକଳ୍ପ କାର୍ଯ୍ୟକୁ ଆଗେଇବା, ପ୍ରକଳ୍ପ ପରିବେଶ ମଂଜୁରୀ ନପାଇଥିଲେ ସେ କ୍ଷେତ୍ରରେ ମଂଜୁରୀ ଆଣି କାର୍ଯ୍ୟ କରିବା, ଟେଣ୍ଡର ପ୍ରକ୍ରିିୟା ସରି ନଥିବା କ୍ଷେତ୍ରରେ ୧୫ ଦିନ ମଧ୍ୟରେ ତାହା ସାରି କାର୍ଯ୍ୟ ଆରମ୍ଭ କରିବା ସମ୍ପର୍କରେ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଯେଉଁସବୁ ଅଂଚଳରେ କୃଷି କ୍ଷେତ୍ରକୁ ଡ୍ରେନେଜ୍ ସମସ୍ୟା ଅଛି, ସେସବୁକୁ ତୁରନ୍ତ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଶେଷ କରିବାକୁ ମଧ୍ୟ ସଂପୃକ୍ତ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ନିୟମିତ ବିଭାଗକୁ ଜଣାଇବା, ଯନ୍ତ୍ରୀମାନେ ପ୍ରକଳ୍ପ ସହିତ ଜଡିତ ରହି ସେସବୁକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିୟମିତ ତଦାରଖ କରିବା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଅକ୍ଷୟ କୁମାର ବାନର୍ଜୀ , ସ୍ୱତନ୍ତ୍ର ଶାସନ ସଚିବ ତଥା ଓଡିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ଜଳସଂପଦ ବିଭାଗର ବିଭିନ୍ନ ଶାଖା ଓ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମସ୍ତ ମୁଖ୍ୟଯନ୍ତ୍ରୀ, ଅନ୍ୟାନ୍ୟ ବରିଷ୍ଠ ଯନ୍ତ୍ରୀ, ଅଧିକ୍ଷଣଯନ୍ତ୍ରୀ ଓ ସଂପୃକ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.