Latest Odisha News

BREAKING NEWS

ପ୍ରିୟ ଗୁରୁଙ୍କୁ ଭେଟିବାକୁ ପାରିକର୍ ଦିନେ ଭୁବନେଶ୍ୱର ଆସିଥିଲେ…

ଭୁବନେଶ୍ୱର: ଗୋଆ ମୁଖ୍ୟମନ୍ତ୍ରୀ ସ୍ୱଗତଃ ମୁଖ୍ୟମନ୍ତ୍ରୀ ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋହର ପାରିକରଙ୍କ ସରଳ ଜୀବନ ଯାପନ ଶୈଳୀ ଲାଗି ବେଶ୍ ମଧ୍ୟ ଜଣାଶୁଣା ଥିଲେ । ପାରିକର୍ ମୁମ୍ବାଇ ଆଇଆଇଟିରେ ଅଧ୍ୟୟନ କରିଛନ୍ତି ।
ମନ୍ତ୍ରୀପଦରେ ଥିବା ବେଳେ ମଧ୍ୟ ସେ ତାଙ୍କର ସମସ୍ତ ଗୁରୁମାନଙ୍କୁ କେବେ କେବେ ଭେଟି ଆଶୀର୍ବାଦ ଭିକ୍ଷା କରିବାକୁ ଭୁଲୁନଥିଲେ । ସେ ମୁମ୍ବାଇ ଆଇଆଇଟିରେ ଅଧ୍ୟୟନ କରୁଥିବା ବେଳେ ପ୍ରଫେସର୍ ପ୍ରଶାନ୍ତ ପଟ୍ଟନାୟକ ତାଙ୍କର ତାଙ୍କର ଶିକ୍ଷକ ଥିଲେ । ମନୋହର ପାରିକର୍ ପ୍ରଶାନ୍ତ ପଟ୍ଟନାୟକଙ୍କୁ ତାଙ୍କ ଜୀବନର ଗୁରୁ ବୋଲି ମାନି ଅନେକ ସମୟରେ ତାଙ୍କର ପରାମର୍ଶ ମାନୁଥିଲେ । ପ୍ରଫେସର୍ ପଟ୍ଟନାୟକ ଭୁବନେଶ୍ୱରର ବାସିନ୍ଦା ।

ମନୋହର ପାରିକର୍ ଯେତେବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଥିଲେ, ସେତେବେଳେ କୌଣସି ପ୍ରକାରର ପୂର୍ବ ସୂଚନା ନ’ଦେଇ ତାଙ୍କ ଆଇଆଇଟି ପ୍ରଫେସର୍ ପ୍ରଶାନ୍ତ ପଟ୍ଟନାୟକଙ୍କ ଭୁବନେଶ୍ୱର ବିଜେବିନଗରସ୍ଥିତ ଘରକୁ ହଠାତ୍ ଦିନେ ଆସି ପହଞ୍ଚିଥିଲେ । ଏହି ଘଟଣାଟି ୨୦୧୬ ମସିହାର ଘଟଣା । ଏହା ସମସ୍ତଙ୍କୁ ସେତେବେଳେ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ଗୁରୁଙ୍କ ଘରକୁ ଆସି ତାଙ୍କ ପାଦଧୂଳି ମୁଣ୍ଡରେ ମାରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଳେ ମନୋହର ପାରିକର । ପ୍ରଫେସର ପଟ୍ଟନାୟକ ଏହାକୁ ସେତେବେଳେ ବିଶ୍ୱାସ କରିପାରିନଥିଲେ ।

“ମନ୍ତ୍ରୀ ଯେତେବେଳେ ମୋ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଲେ, ମୁଁ ଜଣେ ଶିକ୍ଷକ ଭାବେ ନିଜକୁ ଗର୍ବିତ ଅନୁଭବ କଲି, ଏହା ମୋ ଲାଗି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା,” ବୋଲି କହିଛନ୍ତି ପ୍ରଫେସର ପ୍ରଶାନ୍ତ ପଟ୍ଟନାୟକ ।

ଗୁରୁଙ୍କୁ ଅନେକ ବର୍ଷ ପରେ ସାକ୍ଷାତ କରିବା ପରେ ଗୋଆ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ଟ୍ ମାଧ୍ୟମରେ କହିଥିଲେ, “ମୁଁ ମୋ ଗୁରୁ ପ୍ରଫେସର ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ସାକ୍ଷାତ କରିବା ପରେ ନିଜକୁ ଧନ୍ୟ ମନେ କରୁଛି” ।

ପାରିକର୍ ୧୯୭୮ ମସିହାରେ ମେଟାର୍ଲଜିକାଲ୍ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍ କରିଥିଲେ ।

ଋବିବାର ଦିନ ସନ୍ଧ୍ୟାରେ ମନୋହର ପାରିକର କ୍ୟାନସରରେ ପୀଡ଼ିତ ହୋଇ ପରଲୋକ ଗମନ କରିଛନ୍ତି ।

Leave A Reply

Your email address will not be published.