କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ?

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ କାହିଁକି ଏତେ ହୋହଲ୍ଲା? ଏପରି ପରସ୍ଥିତିକୁ କ’ଣ ସ୍ୱାଭାବିକ ଭାବେ ପରିଚାଳନା କରାଯାଇ ପାରିନଥାନ୍ତା? ମଙ୍ଗଳବାର ଦିନ ଯେଉଁ ବିଶେଷ ଉତ୍ସବ ଅନୁଷ୍ଠିତ ହେଉଛି ତାହା ପୂର୍ବରୁ ଯାହା ସବୁ ଘଟିଗଲା ତାହାକୁ କ’ଣ ଏଡ଼ାଇ ଦିଆଯାଇ ପାରିନଥାନ୍ତା? ରଥଯାତ୍ରା ପାଳନକୁ ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କ ପାଇଁ ମହାମାରୀ ସମୟରେ ଏଭଳି ପର୍ବ ଅଯୌକ୍ତିକ । କିନ୍ତୁ, ଭକ୍ତମାନଙ୍କ ପାଇଁ ଏହା ଥିଲା ଭିନ୍ନ । ଏହାକୁ ଏକ ମହୋତ୍ସବ ରୀତିନୀତି ବା ପରମ୍ପରା କହି ଲଘୁ ଭାବେ ଗ୍ରହଣ କରିବା ଉଚିତ୍ ହେବନାହିଁ ।  କେବଳ ଏକ ପ୍ରଥାକୁ ବଞ୍ଚାଇ ରଖିବାରେ ଏହା ସୀମିତ ନୁହେଁ । ଅଜ୍ଞତାର ଔଦ୍ଧତ୍ୟ ମଧ୍ୟ ଗ୍ରହଣୀୟ ନୁହେଁ ।

ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଯେ ଓଡ଼ିଶାର ତାହାନୁହେଁ, ବରଂ ସାରା ବିଶ୍ୱରେ ତାଙ୍କର କୋଟି କୋଟି ଭକ୍ତ ରହିଛନ୍ତି । ସେ ସେମାନଙ୍କ ଆସ୍ଥା ଓ ବିଶ୍ୱାସର ଅପ୍ରତିଦ୍ୱନ୍ଦ୍ୱୀ ପ୍ରତୀକ । ଓଡ଼ିଆ ଜାତିର ପରିଚୟ ଓ ଅସ୍ମିତାର ଉତ୍ସ । ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ମାନବୀୟ ଲୀଳା ପ୍ରଦର୍ଶନ କରିବା ସହିତ ରଥଯାତ୍ରାରେ ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ସାନ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନିଆରା ଢଙ୍ଗରେ ବୁଲି ବାହାରନ୍ତି । ଏହି ସମୟରେ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ କୋଟି କୋଟି ଆବାଳ ବୃଦ୍ଧ-ବନିତା ଶ୍ରୀଜୀଉମାନଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିଥାଆନ୍ତି ।

କରୋନା ମହାମାରୀ ପରି ବିପଦପୂର୍ଣ୍ଣ ପରିସ୍ଥିତିରେ ରଥଯାତ୍ରା ଅନୁଷ୍ଠିତ ହେବା ଏକ ପ୍ରଥା କେବଳ ନୁହେଁ । ବରଂ, ଏହା ଓଡ଼ିଆ ଲୋକଙ୍କ ସାମାଜିକ, ଧର୍ମୀୟ, ସାଂସ୍କୃତିକ, ରାଜନୈତିକ ଭାବଧାରା ଓ ଜୀବନଧାରା ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଜଗତର ନାଥ ବା ଜଗନ୍ନାଥ ସାରା ବିଶ୍ୱର ହତା, କର୍ତ୍ତା ଦୈବ ବିଧାତା ଭାବେ ପ୍ରତିଷ୍ଠିତ । ଗୋଟିଏ ଅର୍ଥରେ ଜଗନ୍ନାଥ କହିଲେ ଜୀବନର ବ୍ୟାପକତାକୁ ହିଁ ବୁଝାଏ । ସେ ଯେ ବିଶ୍ୱ ବ୍ରହ୍ମାଣ୍ଡର କେବଳ ଅଦ୍ଭୁତ ଶକ୍ତି ନୁହଁନ୍ତି ବରଂ ତାଙ୍କର ଆକର୍ଷଣ ସ୍ଥାନୀୟ ବା ପ୍ରାଦେଶିକ ଶ୍ରଦ୍ଦାଳୁମାନଙ୍କୁ ଆକୃଷ୍ଟ କରିଥାଏ । କେଉଁ ଏକ ଐଶ୍ୱରିକ ଶକ୍ତିବଳରେ ମହାପ୍ରଭୁ ଜଗନ୍ନାଥ କୋଟିକୋଟି ପ୍ରାଣର ସ୍ପନ୍ଦନ ପାଲଟିଯାଇଛନ୍ତି; ସେ ମଧ୍ୟ ବ୍ୟକ୍ତି କୈନ୍ଦ୍ରିକ ହୋଇ ରହିଛନ୍ତି । ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷଙ୍କ ମନରେ ସେ ଭିନ୍ନ ଭିନ୍ନ ରୂପରେ ଅବସ୍ଥାପିତ । ସେ ଯେ କେବଳ ମହାପ୍ରଭୁ ହୋଇ ରହିନାହାନ୍ତି ବରଂ ସେ ସେବକ ହୋଇ ପାରନ୍ତି । ସେ ଉପାସ୍ୟ ହୋଇପାରନ୍ତି କିମ୍ବା ସେ ଉପାସକ ମଧ୍ୟ ହୋଇପାରନ୍ତି । ସେ ହିଁ ସୃଷ୍ଟି, ସେ ହିଁ ସୃଷ୍ଟିକର୍ତ୍ତା । ସେ ଅସାଧାରଣ ଅବିନାଶୀ, ସେ ସାକାର ସେ ପରଂବ୍ରହ୍ମ ନିରାକାର ରୂପୀ ଦାରୁବ୍ରହ୍ମ ।

ସେ ଏକା ସମୟରେ ଯୁକ୍ତିଯୁକ୍ତ ଓ ଅଯୌକ୍ତିକ, ସମ୍ଭବ ଓ ଅସମ୍ଭବ, ବୁଝା ଓ ଅବୁଝା ଏବଂ ସପକ୍ଷବାଦୀ ଓ ବିପକ୍ଷବାଦୀ । ଓଡ଼ିଶାର ଜନସାଧାରଣ ତାଙ୍କୁ ଏପରି ଏକ ଆସନରେ ଅଧିଷ୍ଠିତ କରିଦେଇଛନ୍ତି, ଯିଏକି ସମସ୍ତଙ୍କର ମଙ୍ଗଳକାମୀ ଭାବେ ସର୍ବପ୍ରାଣ ଅଳଙ୍କୃତ କରିଛନ୍ତି । ବିଗତ ଏକ ହଜାର ବର୍ଷରେ ଓଡ଼ିଶାରେ ଘଟିଯାଇଥିବା ଅନେକ ଘଟଣା ଦୁର୍ଘଟଣା ଦୁର୍ବିପାକ ସମୟରେ ସେ ହିଁ ତ୍ରାଣକର୍ତ୍ତା ରୂପେ କୋଟି କୋଟି ଓଡ଼ିଆଙ୍କ ସାମ୍ନାରେ ଦଣ୍ଡାୟମାନ ହୋଇଛନ୍ତି । ଜନତାଙ୍କ ବିଶ୍ୱାସରେ ସେ ମହାମାରୀକୁ ଦୂରେଇ ଦେଇପାରନ୍ତି । କରୋନା ମହାମାରୀ ସମୟରେ ଯଦି ରଥଯାତ୍ରାକୁ ବନ୍ଦ କରି ଦିଆଯାଇ ଥାଆନ୍ତା ତେବେ ଏହା କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସରେ ଆଘାତ ଲାଗିଥାଆନ୍ତା ।

ରଥଯାତ୍ରା ସ୍ୱାଭାବିକ ଭାବେ କେବେବି ବନ୍ଦ ହୋଇନାହିଁ ବରଂ କେତେକ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଏହା ବନ୍ଦ ହୋଇଛି । ମଧ୍ୟଯୁଗୀୟ ସମୟ (୧୪ଶ ଶତାବ୍ଦୀରୁ ୧୭ଶ ଶତାବ୍ଦୀ ମଧ୍ୟରେ) ମୁସଲମାନ ଆକ୍ରମଣକାରୀମାନେ ଲଗାତର ଭାବେ ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏହି ପରିସ୍ଥିତିରେ ମୂଳପୀଠରୁ ଭକ୍ତମାନେ ମହାପ୍ରଭୁଙ୍କ ବିଗ୍ରହକୁ ବିଭିନ୍ନ ସ୍ଥାନରେ ନେଇ ଲୁଚାଇ ରଖିବାକୁ ବାଧ୍ୟ ହୋଇଥିଲେ ।

ତେବେ, ୨୦୨୦ ମସିହାରେ ତ ଉପରୋକ୍ତ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଏବେ ମାନବ ଜାତି ବଞ୍ଚିବାକୁ ସଂଘର୍ଷ କରୁଛି । ମହାମାରୀର ପ୍ରକୋପ ସାରା ବିଶ୍ୱକୁ କବଳିତ କରିଥିବା ବେଳେ କୋଟି କୋଟି ପ୍ରାଣ ତ୍ରାହି ତ୍ରାହି ଡାକୁଛନ୍ତି । ଏହି ସମସ୍ୟାର ଉତ୍ତର ଖୋଜୁଛି ସାରା ବିଶ୍ୱ । ଏହିଭଳି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ମହାମାରୀକୁ ମୁକାବିଲା କରିବା ପାଇଁ ଆସ୍ଥା ଓ ବିଶ୍ୱାସ ହିଁ ଆଶା, ଶକ୍ତି ଓ ଧୈର୍ଯ୍ୟ ହୋଇପାରିବ । ସେଥିଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ରଥଯାତ୍ରା ଉତ୍ସବ ପାଳନ କରିବା ଏକାନ୍ତ ଆବଶ୍ୟକ । ଏହାଦ୍ୱାରା କୋଟି କୋଟି ଲୋକ ଦୃଢମନା ହୋଇପାରିବେ ।