Latest Odisha News

BREAKING NEWS

ଆଜି ବିଶ୍ୱ ଟେଲି-କମ୍ୟୁନିକେସନ ଦିବସ, ଜାଣନ୍ତୁ ରାଜ୍ୟରେ ଟେଲିକମ ସେବାର ଇତିବୃତ୍ତି

ଭୁବନେଶ୍ୱର : ଆଜିକାଲି ଟେଲିଫୋନ ଓ ଇଣ୍ଟରନେଟ ସାଧାରଣ ଜନଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଛି ।

ଦିନ ଥିଲା କେବଳ ସୀମିତ ସଂଖ୍ୟକ ଲ୍ୟାଣ୍ଡଲାଇନ ଫୋନର ବ୍ୟବହାର ହେଉଥିବା ବେଳେ କଥା ହେବା ପାଇଁ ଲୋକଙ୍କୁ ଟ୍ରଙ୍କ କଲ ବୁକ୍ କରିବାକୁ ପଡୁଥିଲା ।

ତେବେ ନବେ ଦଶକରେ ମୋବାଇଲ ସେବାର ପ୍ରସାର ସହିତ ଓଡିଶାବାସୀ ପ୍ରଥମେ ଉଷା କମ୍ପାନି ଓ ପରବର୍ତ୍ତୀ ସମୟରେ ସ୍ମାର୍ଟ ନାଁରେ ରିଲାଏନ୍ସ ଟେଲିକମ୍ ଦ୍ୱାରା ପ୍ରଦାନ କରାଯାଉଥିବା ମୋବାଇଲ ସେବା ବ୍ୟବହାର ଆରମ୍ଭ କରିଥିଲେ ।

ଏହି ସମୟରେ ଇନ-କମିଂ ପାଇଁ ମଧ୍ୟ ଟଙ୍କା ଦେବା ପାଇଁ ପଡୁଥିଲା । କେହି ଫୋନ କଲେ ରିସିଭ୍ କରିବା ପାଇଁ ମିନିଟ୍ ପିଛା ପ୍ରାୟ ୬ଟଙ୍କା  ପଡୁଥିବାରୁ କଥାବାର୍ତ୍ତା ପାଇଁ ମୋବାଇଲ ବ୍ୟବହାର ସୀମିତ ଥିଲା ।

୨୦୦୦ ମସିହାରେ ଓଡିଶାକୁ ଆସିଥିଲା ବିଏସଏନଏଲ ମୋବାଇଲ ସେବା । ପରେ ପରେ ୨୦୦୪ ଶେଷ ଆଡକୁ ଆସିଥିଲା ଭାରତୀ ଏୟାରଟେଲ ।

ଡିସେମ୍ବର ୧୬, ୨୦୦୪ରେ ସୁନୀଲ ଭାରତୀ ମିତ୍ତଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ କଲ କରିବା ସହିତ ଓଡିଶାରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଏୟାରଟେଲ ମୋବାଇଲ ସେବା ।

ଧୀରେ ଧୀରେ ରାଜ୍ୟର ବିଭିନ୍ନ ଅଂଚଳକୁ ନେଟୱାର୍କ ପ୍ରସାର ସହିତ ବଢିଥିଲା ମୋବାଇଲ ବ୍ୟବହାର ।

ତେବେ ସବୁଠାରୁ ବଡ ପରିବର୍ତ୍ତନ ଆସିଥିଲା ୨୦୦୨ ମସିହାରେ ଯେତେବେଳେ ରିଲାଏନ୍ସ କମ୍ୟୁନିକେସନ ପକ୍ଷରୁ ମନସୁନ୍ ହଙ୍ଗାମା ଅଫରରେ ବଜାରକୁ ଆସିଥିଲା ୫୦୧ ଟଙ୍କିଆ ସିଡିଏମଏ ଫୋନ ଓ ଅନଲିମିଟେଡ୍ କଲିଙ୍ଗ ସୁବିଧା ।

ଭୁବନେଶ୍ୱର ସମେତ କେତେକ ସ୍ଥାନରେ ଏହି ଫୋନ କିଣିବା ପାଇଁ ଲୋକଙ୍କ ଲମ୍ବା ଧାଡି ଲାଗିଥିଲା ଏବଂ କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।

୨୦୦୫ ରୁ ୨୦୧୦ ମଧ୍ୟରେ ଓଡିଶାରେ ମୋବାଇଲ ସେବା ଆରମ୍ଭ କରିଥିଲେ ଭୋଡାଫୋନ,ଏୟାରସେଲ୍‌, ଆଇଡିଆ, ୟୁନିନର୍‌, ଟାଟା ଡୋକୋମୋ, ଟାଟା ଟେଲି, ଏସ୍‌ଟେଲ୍ ଇତ୍ୟାଦି ଅନେକ କମ୍ପାନି । ତେବେ ସବୁଠାରୁ ଉଲ୍ଲେଖନୀୟ ଥିଲା ଡୋକୋମୋର ଏକ ସେକେଣ୍ଡକୁ ଏକ ପଇସା କଲ ଚାର୍ଜ ।

ଟୁ ଜି ଦୁର୍ନୀତି ସମ୍ବନ୍ଧରେ ସୁପ୍ରିମକୋର୍ଟ ଲାଇସେନ୍ସ ବାତିଲ ରାୟ ଦେବା ପରେ ୟୁନିନର, ଏସ୍ ଟେଲ ଭଳି କମ୍ପାନି ବନ୍ଦ ହୋଇଯାଇଥିଲା । ଏଥି ସହ ଓଡିଶାରେ ସେବା ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ଏସାର୍‌ର ଲୁପ୍ ଟେଲିକମ୍ , ଋଷୀୟ କମ୍ପାନି ଏମଟିଏସ୍ ଓ ଭିଡିଓକନର ବ୍ୟବସାୟରେ ପୂର୍ଣ୍ଣଛେଦ ପଡିଥିଲା ।

ଏହା ପରେ ସବୁଠାରୁ ବଡ ପରିବର୍ତ୍ତନ ଆସିଥିଲା ୨୦୧୫ରେ ରିଲାଏନ୍ସ ଜିଓ ପକ୍ଷରୁ ଆରମ୍ଭ କରାଯାଇଥିବା ପରୀକ୍ଷାମୂଳକ ମାଗଣା ୪ଜି ସେବା । ଲୋକମାନଙ୍କ ଇଂଟରନେଟର ବହୁଳ ବ୍ୟବହାରକୁ ଏହା ତ୍ୱରାନ୍ୱିତ କରିଥିଲା ।

୨୦୧୬ ସେପ୍ଟେମ୍ବରରେ ବ୍ୟବସାୟିକ ଭାବେ ସେବା ଆରମ୍ଭ କରିଥିଲା ରିଲାଏନ୍ସ ଜିଓ । ଶସ୍ତା ଇଂଟରନେଟ୍ ସାଙ୍ଗକୁ ମାଗଣା ଭଏସ କଲିଂ ଯୋଗୁଁ ଦ୍ରୁତ ଗତିରେ ଗ୍ରାହକ ବଢାଇଥିଲା ଜିଓ ଏବଂ ଟେଲିକମ୍ ଜଗତରେ ଏକ ବଡ ଧରଣର ଓଲଟପାଲଟ ସୃଷ୍ଟି ହୋଇଥିଲା ।

ଓଡିଶାରେ ଏବେ ୩.୩୨ କୋଟି ମୋବାଇଲ ଗ୍ରାହକ

ରାଜ୍ୟରେ ଏବେ ଜିଓ, ଏୟାରଟେଲ, ଭୋଡାଫୋନ, ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ମୋବାଇଲ ସେବା ପ୍ରଦାନ କରୁଛନ୍ତି ।

ଭାରତୀୟ ଟେଲିକମ ନିୟାମକ ପ୍ରାଧୀକରଣ(ଟ୍ରାଇ) ପକ୍ଷରୁ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁସାରେ ଜାନୁୟାରୀ ୨୦୨୦ ସୁଦ୍ଧା ଓଡିଶାରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୩.୩୨ କୋଟିରେ ପହଞ୍ଚିଛି ।

ଏଥିମଧ୍ୟରେ ରିଲାଏନ୍ସ ଜିଓ ଏକ କୋଟି କୋଡିଏ ଲକ୍ଷ ବୟାଅଶି ହଜାର ଶହେ ଦଶ ଗ୍ରାହକଙ୍କ ସହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏହା ପଛକୁ ଏୟାରଟେଲ୍‌ର ଏକ କୋଟି ୧୬ ଲକ୍ଷ, ବିଏସ୍‌ଏନ୍‌ଏଲ୍‌ର ୬୧ ଲକ୍ଷ ଏବଂ ଭୋଡାଫୋନ୍ ଆଇଡିଆର ୩୩ ଲକ୍ଷ ମୋବାଇଲ୍ ଉପଭୋକ୍ତା ରହିଛନ୍ତି ।

Leave A Reply

Your email address will not be published.