Latest Odisha News

BREAKING NEWS

ବିଦେଶରେ ରଥଯାତ୍ରା: ସାରା ଜଗତରେ ପ୍ରକମ୍ପିତ ହୁଏ ‘ଜୟ ଜଗନ୍ନାଥ’ ଧ୍ୱନୀ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଯେ ପୁରୀରେ ପ୍ରସିଦ୍ଧି ଲାଭ କରି ପାରିଛି ତାହାନୁହେଁ, ବରଂ ବିଶ୍ୱାସ ଓ ଭକ୍ତିଭାବନାର ଦେବତା ତଥା ସାରା ଜଗତର ନାଥ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶ ବିଦେଶରେ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେବାରେ ଲାଗିଛି । ବିଦେଶରେ ଶ୍ରୀଜଗନ୍ନାଥଙ୍କ ରଥକୁ ଟାଣି ଟାଣି ନେବାବେଳେ ବିଦେଶୀ ଭକ୍ତଙ୍କ ମୁହଁରୁ ଶୁଭୁଥାଏ ଜୟ ଜଗନ୍ନାଥ…ଜୟ ଜଗନ୍ନାଥ…ଧ୍ୱନୀ…

ପୁରୀ ଶ୍ରୀକ୍ଷେତ୍ରର ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ । ପ୍ରତ୍ୟେକ ବର୍ଷ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ପୁଷ୍ୟା ନକ୍ଷତ୍ରରେ ଏହି ପବିତ୍ର ଘୋଷଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ବର୍ଷସାରା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରର ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ବଡ଼ଭାଇ ଶ୍ରୀବଳଭଦ୍ର, ସାନ ଭଉଣୀ ଦେବୀ ସୁଭଦ୍ରା ତଥା ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସହିତ ବିରାଜମାନ କରୁଛନ୍ତି । ପ୍ରତିବର୍ଷ ପରି ମହାପ୍ରଭୁ ଭାଇ-ଭଉଣୀଙ୍କୁ ସାଥିରେ ନେଇ ବୁଲି ବାହାରନ୍ତି ମାଉସୀ ଘରକୁ । ମହାପ୍ରଭୁଙ୍କର ଏହି ରଥଯାତ୍ରାରେ ଭକ୍ତମାନଙ୍କର ଅନେକ ଅଲୌକିକ ତଥା ଆଧ୍ୟାତ୍ମିକ ଅନୁଭୂତି ଲାଭ ହୋଇଥାଏ । ଏବେ ସମଗ୍ର ବିଶ୍ୱରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହା ଆଡ଼ମ୍ବର ସହକାରେ ପାଳିତ ହେବାର ଦୃଷ୍ଟିଗୋଚର ହେଉଛି ।

ସମଗ୍ର ବିଶ୍ୱର ୨୦୦ଟି ବିଦେଶୀ ସହରରେ ରଥଯାତ୍ରା
ପୁରୀଧାମର ଘୋଷଯାତ୍ରା ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି ଏବଂ ରଥଯାତ୍ରା ପରି ମହାନ ଉତ୍ସବକୁ ସମଗ୍ର ବିଶ୍ୱବାସୀ ପାଳନ କରିବା ହିଁ ଶ୍ରୀଜଗନ୍ନାଥ ଯେ, ସମଗ୍ର ବିଶ୍ୱ ବା ଜଗତର ନାଥ ବା ଠାକୁର ଏହା ପ୍ରମାଣିତ ହୋଇଥାଏ ।

୧୯୬୮ ମସିହା ପରଠାରୁ ଇସ୍କନ୍ ସଂସ୍ଥାର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦ ଗୋସ୍ୱାମୀଙ୍କ ପ୍ରଚେଷ୍ଟାରେ ଆମେରିକା ସମେତ ବିଶ୍ୱର ପ୍ରାୟ ମହାଦେଶରେ ଶ୍ରୀକୃଷ୍ଣ ମନ୍ଦିର ପ୍ରତିଷ୍ଠା ହୋଇ ରଥଯାତ୍ରା ପାଳିତ ହୋଇଆସୁଛି ।

ପୁରୀ ଓ ଭାରତକୁ ଛାଡ଼ି ବିଶ୍ୱର ୧୦୮ଟି ପ୍ରମୁଖ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଅଛି । ଏହି ୨୦୦ ଟି ପ୍ରମୁଖ ସହରମାନଙ୍କ ମଧ୍ୟରୁ କେତେକ ସହର ଗୁଡ଼ିକ ହେଲା – ସାନ୍ ଫ୍ରାନ୍ସିସ୍କୋ, ଲସ୍ଆଞ୍ଜେଲ୍ସ୍, ନ୍ୟୁୟର୍କ୍, ଚିକାଗୋ, ମଣ୍ଟ୍ରିଲ୍, ଟରୋଣ୍ଟୋ, ଭାଙ୍କୋଭର୍, ଲଣ୍ଡନ୍, ଡ଼ବଲିନ୍, ବେଲଫାଷ୍ଟ୍, ମାଞ୍ଚେଷ୍ଟର୍, ବ୍ରିମିଙ୍ଗହାମ୍, ପ୍ୟାରିସ୍, ମାଦ୍ରିଦ୍, ଷ୍ଟକହୋମ୍, କୋପେନହାଗେନ, ଆମଷ୍ଟର୍ଡ଼ାମ, ରୋମ୍, ଜୁରିଚ୍, ବର୍ଲିନ୍, ବୁଦାପେଷ୍ଟ୍, ସେହିପରି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ, ପର୍ଥ୍ ଓ ସିଡ୍ନୀ, ଅକଲ୍ୟାଣ୍ଡ, ମସ୍କୋ, ନାଇରୋବି, ମେକ୍ସିକୋ, ସାଣ୍ଟିଆଗୋ, କୁଆଲାଲୁମ୍ପୁର୍, ସିଙ୍ଗାପୁର, ବ୍ୟାଙ୍କକ୍ ଓ ଢାକା ପରି ପ୍ରସିଦ୍ଧ ସହର ମାନଙ୍କରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି ।

ଅଷ୍ଟ୍ରେଲିଆର କାନବେରାରେ ମହାପ୍ରଭୁଙ୍କ ରଥଯାତ୍ରା
ଅଷ୍ଟ୍ରେଲିଆର ରାଜଧାନୀ କାନବେରା ଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନେକ ବର୍ଷ ଧରି ପାଳିତ ହୋଇଆସୁଛି । ଅଷ୍ଟ୍ରେଲିଆରେ ଗଢିଉଠିଥିବା ଇସ୍କନ୍ ସଂସ୍ଥା, ଅଷ୍ଟ୍ରେଲିଆରେ ବାସ କରୁଥିବା କିଛି ପ୍ରବାସୀ ଓଡ଼ିଆ ତଥା ଭାରତୀୟଙ୍କ ମିଳିତ ଉଦ୍ୟମରେ ଦୀର୍ଘ ୧୫ ଦିନ ଧରି ଏଠାରେ ରଥଯାତ୍ରା ଭକ୍ତିଭାବନାର ସହିତ ପାଳିତ ହୋଇଆସୁଛି । ଇସ୍କନ୍ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା କାନବେରାର ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ରଥଯାତ୍ରା ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି ।

ଏବେ ଦେଖାଯାଉଛି ବହୁ ବିଦେଶୀ ତଥା ଅଷ୍ଟ୍ରେଲୀୟମାନଙ୍କ ସହିତ ସେଠାରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଏବଂ ଅନ୍ୟାନ୍ୟ ଭାରତୀୟ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଆସୁଛି । ଶ୍ରୀକୃଷ୍ଣ ମନ୍ଦିରରେ ଥିବା ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ଏକ ସୁସଜ୍ଜିତ ରଥରେ ବସାଇ ବିଦେଶୀ ଓ ଭାରତୀୟ ଭକ୍ତମାନେ ରଥକୁ ଟାଣି ଟାଣି ନେଇଯାଇଥାଆନ୍ତି । ବାହୁଡ଼ା ପର୍ଯ୍ୟନ୍ତ ମନ୍ଦିର ନିକଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭାରତୀୟ ସଂସ୍କୃତି ତଥା ଧର୍ମ ସଂପର୍କରେ ପ୍ରବଚନ ତଥା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବରେ ଭାରତୀୟ ସଂସ୍କୃତି ଓ ପରମ୍ପରାର ଗୁରୁତ୍ୱ ବିଷୟରେ ବକ୍ତାମାନେ ଉଦବୋଧନ ଦେଇଥାଆନ୍ତି । ପ୍ରତିବର୍ଷ କାନ୍ବେରାରେ ପାଳିତ ହେଉଥିବା ଏହି ରଥଯାତ୍ରା ଉତ୍ସବରେ ଅଷ୍ଟ୍ରେଲିଆର ଅନ୍ୟାନ୍ୟ ସହରରୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯୋଗଦେବାର ଦେଖାଯାଇଥାଏ ।

ଆମେରିକାର ବିଭିନ୍ନ ସହରରେ ରଥଯାତ୍ରା
ଏବେ ଆମେରିକାର ପ୍ରାୟ ପ୍ରମୁଖ ସହରମାନଙ୍କରେ ପ୍ରବାସୀ ଓଡ଼ିଆ ତଥା ଇସ୍କନ୍ ସଂସ୍ଥା ଦ୍ୱାରା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହେଉଛି । ଆମେରିକାର ସାନଫ୍ରାନ୍ସସିସ୍କୋ, ଚିକାଗୋ, ନ୍ୟୁୟର୍କ ଓ ଲସଆଞ୍ଜେଲ୍ସ୍ ପରି ସହର ମାନଙ୍କରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଆମେରିକାରେ ସର୍ବପ୍ରଥମେ ୧୯୬୮ ମସିହାରେ ଇସ୍କନ୍ ତରଫରୁ ରଥଯାତ୍ରା ଆରମ୍ଭ ହୋଇଥିଲା ।

ଇସ୍କନ୍ର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦ ଗୋସ୍ୱାମୀଙ୍କ ପ୍ରଚେଷ୍ଟାରୁ ଏଠାକାର ଇସ୍କନ୍ ଶ୍ରୀକୃଷ୍ଣ ମନ୍ଦିରରୁ ହିଁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିପରି ଚିକାଗୋରେ ରହିଥିବା ଶ୍ରୀଜଗନ୍ନାଥ ସୋସାଇଟି ତରଫରୁ ଏବଂ ଇସ୍କନ ସଂସ୍ଥା ତରଫରୁ ଏବେ ପୃଥକ୍ ଭାବେ ରଥଯାତ୍ରା ପାଳିତ ହେଉଛି ।

ଚିକାଗୋରେ ରହିଥିବା ପ୍ରବାସୀ ଓଡ଼ିଆମାନେ ଏକତ୍ରିତ ହୋଇ ରଥ ଟାଣିଥାଆନ୍ତି । ଆମେରିକାର ଅନ୍ୟାନ୍ୟ ସହରରେ ଅନେକ ବର୍ଷ ପୂର୍ବରୁ ରଥଯାତ୍ରା ଉତ୍ସବ ପାଳିତ ହେଉଥିଲେ ମଧ୍ୟ ଗତ କିଛିବର୍ଷ ଧରି ଚିକାଗୋରେ ପାଳିତ ହେଉଛି ରଥଯାତ୍ରା । ସମଗ୍ର ଆମେରିକାର ବିଭିନ୍ନ ସହରରେ ରହିଥିବା ପ୍ରବାସୀ ଓଡ଼ିଆମାନେ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଏଠାରେ ଓଡ଼ିଆମାନଙ୍କ ସମେତ ଅନେକ ଭାରତୀୟଙ୍କୁ ଏହି ରଥଯାତ୍ରାରେ ସାମିଲ୍ ହେବାକୁ ନିମନ୍ତ୍ରଣ କରିଥାନ୍ତି । ରଥଯାତ୍ରା ଦିନ ସୁସଜ୍ଜିତ ରଥରେ ତିନିଠାକୁରଙ୍କୁ ବସାଇ ଦଉଡ଼ି ଦ୍ୱାରା ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନୀ ଦେଇ ଟାଣିବାର ଦେଖାଯାଇଥାଏ । ବିଦେଶୀ ଭକ୍ତମାନେ ମୃଦଙ୍ଗ ଓ ଝାଞ୍ଜ ବଜାଇ କୀର୍ତ୍ତନ କରି କରି ଠାକୁରଙ୍କୁ ରାସ୍ତାରେ ଟାଣି ନେଇଥାଆନ୍ତି ।

ଏହି ସମୟରେ ସେଠାକାର ସରକାରୀ ସଂସ୍ଥା ତରଫରୁ ସମସ୍ତ ପ୍ରକାର ସହଯୋଗ ଓ ସହାୟତା ଯୋଗାଇ ଦିଆଯାଇଥାଏ । ଏବେ ରଥଯାତ୍ରାଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ରଥ ନିକଟରେ ବିଭିନ୍ନ ଭାରତୀୟ ସାଂସ୍କୃତିକ ଉତ୍ସବ, ଶ୍ରୀଜଗନ୍ନାଥ ରଥଯାତ୍ରା ସ୍ମରଣୀକା ଉନ୍ମୋଚନ, ପ୍ରବଚନ ତଥା ଶ୍ରୀଜଗନ୍ନାଥ ଚିନ୍ତା ଓ ଚେତନା ସଂପର୍କୀୟ ଆଲୋଚନା ଅନୁଷ୍ଠିତ ହୋଇଆସୁଛି ।

Leave A Reply

Your email address will not be published.