Latest Odisha News

BREAKING NEWS

ରାଜଧାନୀ ଆବାସିକ ସ୍କୁଲ ଛାତ୍ରୀ ଗର୍ଭବତୀ ଘଟଣା: ସଂଶ୍ଳିଷ୍ଟ ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଆବାସିକ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ମହିଳା ପୋଲିସ ବସ୍ତି ଅଞ୍ଚଳରୁ ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକୁ ଗିରଫ କରିଛି ।

ମହିଳା ପୋଲିସ ଦ୍ୱାରା ଗିରଫ ହୋଇଥିବା ଏହି ଯୁବକ ଜଣକ ବୁଧନ ମୁର୍ମୁ (୨୦) ବୋଲି ଚିହ୍ନଟ ହୋଇଛି । ଏହି ଗିରଫ ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଝରଣାସାହି ଗ୍ରାମର ବାସିନ୍ଦା ବୋଲି ସୂଚନା ମିଳିଛି ।

ପୀଡ଼ିତାଙ୍କ ଭାଇ ଲୁଫ୍ରା ମାରାଣ୍ଡି ଏସମ୍ପର୍କରେ ମହିଳା ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କଲା ପରେ ମହିଳା ଥାନା ପକ୍ଷରୁ ଏନେଇ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୩୭୬ (୨), (ଏନ) (୩), ଏବଂ ସେକ୍ସନ ୬ ଅନୁଯାୟୀ ଏକ କେସ (ନଂ-୨୧) ରୁଜୁ କରାଯାଇଥିଲା । ଏହା ସେକ୍ସନ ୬ ଅନୁଯାୟୀ ପୋସ୍କୋ ଆକ୍ଟ ଶିଶୁଙ୍କୁ ଯୌନ ବ୍ୟଭିଚାର ସୁରକ୍ଷା ପ୍ରଦାନ ନିମନ୍ତେ ରହିଛି ।

ଏହି ଘଟଣାର ତଦନ୍ତ ସମୟରେ ସାଲିଆସାହିର ପୀଡ଼ିତା ଏବଂ ପୀଡ଼ିତାଙ୍କ ବାପା ଗୁଲ୍ଲା ମାରାଣ୍ଡିଙ୍କ ବୟାନକୁ ତଦନ୍ତକାରୀ ଅଧିକାରୀ ତଥା ମହିଳା ଥାନା ଆଇଆଇସି ଅନୁସୟା ନାୟକ ଏବଂ ସୁପରଭାଇଜିଂ ଅଫିସର ତଥା ଏସିପି (ଜୋନ ୧) ବି ପି ପାତ୍ର ରେକର୍ଡ଼ କରିଥିଲେ । ପୋଲିସ ଦ୍ୱାରା ଯେଉଁ ବୟାନ ରେକର୍ଡ଼ ହୋଇଛି ତଥା ପୀଡ଼ିତାଙ୍କ କହିବାନୁଯାୟୀ ଖରାଛୁଟିରେ ସେ ତା’ର ଗାଁ’କୁ ଯାଇଥିଲା ଏବଂ ରଜ ଉତ୍ସବ ସମୟରେ ଅଭିଯୁକ୍ତ ଜଣକ ତାଙ୍କ ସହିତ ୨ଥର ଶାରିରୀକ ସମ୍ପର୍କ ରଖିଥିଲା ।

ପୀଡ଼ିତାଙ୍କ ବୟାନକୁ ଭିତ୍ତିକରି ମହିଳା ଥାନା ପୋଲିସ ରାଜଧାନୀର ସାଲିଆସାହି ବସ୍ତିରୁ ସୋମବାର ଅପରାହ୍ନରେ ଗିରଫ କରିଥିଲା । ପୋଲିସଙ୍କ କହିବା ମୁତାବକ ଅଭିଯୁକ୍ତକୁ ଏହି ଘଟଣା ସମ୍ପର୍କରେ ପଚରାଉଚରା ଚାଲିଛି ।

‘ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ ଅନ୍ତର୍ଗତ ମୋବାଇଲ୍ ହେଲଥ ଚେକ୍ ଅପ୍ ବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଟିମ୍ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜଧାନୀର କେତୋଟି ଛାତ୍ରୀ ନିବାସ ଓ ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଛାତ୍ରୀମାନଙ୍କର ‘ନିଶ୍ଚୟ ପ୍ରେଗ୍ନାନ୍ସି କିଟ୍’ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ୨ଟି ଛାତ୍ରୀନିବାସରେ ରହୁଥିବା ୪ ଜଣ ଛାତ୍ରୀଙ୍କୁ ଗର୍ଭବତୀ ଥିବା ସନ୍ଦେହ କରାଯାଇ ଡ଼ାକ୍ତରୀ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ପରେ ୪ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ଗର୍ଭବତୀ ରହିଥିବା ପଜିଟିଭ୍ ରିପୋର୍ଟ ଆସିଥିବା ନେଇ ଜଣାପଡ଼ିଥିଲା ।

ଏସମ୍ପର୍କରେ ସିଡବ୍ଲ୍ୟସି ଏକ ଇଣ୍ଟର୍ନାଲ୍ କମିଟି ଗଠନ କରିଥିଲେ ଓ ତନାଘନା ଜାରି ରଖିଥିଲେ ।
ଏହି ଘଟଣାର ଅଭିଯୋଗ ପାଇ ଡ଼ିସିପି ଅନୁପ ସାହୁ ପୋଲିସ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ । ପୋଲିସ ପକ୍ଷରୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ହଷ୍ଟେଲ୍ ସୁପରିନଟେଣ୍ଡେଣ୍ଟ ତଥା ହଷ୍ଟେଲ ଦାୟିତ୍ୱରେ ରହିଥିବା ବିଭିନ୍ନ କର୍ମଚାରୀମାନଙ୍କୁ ପଚରାଉଚରା ଆରମ୍ଭ କରିଥିଲେ ।

ଏସମ୍ପର୍କରେ ଗଣମାଧ୍ୟମକୁ ଡ଼ିସିପି ଅନୁପ ସାହୁ କହିଥିଲେ, ସାଧାରଣତଃ ଗ୍ରୀଷ୍ମକାଳୀନ ଛୁଟିରେ ଯିବା ପୂର୍ବରୁ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ । ସେମାନେ ଛୁଟି ସାରି ଘରୁ ଫେରି ହଷ୍ଟେଲରେ ପୁନର୍ବାର ରହିବା ସମୟରେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ । ଏହି ଘଟଣାକୁ କମିଶନରେଟ ପୋଲିସ ପକ୍ଷରୁ ଗୁରୁତ୍ୱ ସହ ଗ୍ରହଣ କରାଯାଇଛି । ଯେଉଁସବୁ ବ୍ୟକ୍ତି ଏହି ନୀଚ କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେମାନଙ୍କୁ ଧରାଯାଇ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼ିସିପି କହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛିମାସ ପୂର୍ବରୁ ଆଦିବାସୀ ଅଧ୍ୟୁଷିତ କେତେକ ଜିଲ୍ଲାରେ ଏହିଭଳି କାଣ୍ଡ ଘଟି ଆଲୋଡ଼ନ ସୃଷ୍ଟି କରିଥିଲା । ରାଜ୍ୟ ସରକାରଙ୍କ ଛାତ୍ରୀନିବାସର ସୁରକ୍ଷା ଲାଗି ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.