Latest Odisha News

BREAKING NEWS

ଆଫ୍ରିଦିଙ୍କ ଦାତବ୍ୟ ସଂସ୍ଥାକୁ ଦାନ କରି ସମାଲୋଚିତ ହେଲେ କ୍ରିକେଟର ଯୁବରାଜ ଓ ହରଭଜନ

ଭୁବନେଶ୍ୱର: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କ ଦାତବ୍ୟ ସଂସ୍ଥାକୁ ଅର୍ଥ ଦାନ କରି ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି କ୍ରିକେଟର ଯୁବରାଜ ସିଂ । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଯୁବରାଜ ଏବଂ ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂ ଆଫ୍ରିଦିଙ୍କ ସଂସ୍ଥାକୁ ଅର୍ଥ ଦାନ କରିବା ସହ ଅନ୍ୟମାନଙ୍କୁ ଦାନ କରିବାକୁ ପ୍ରବର୍ତ୍ତାଇଥିଲେ । ହରଭଜନ ସାହିଦ ଆଫ୍ରିଦି ଫାଉଣ୍ଡେସନକୁ ପ୍ରଶଂସା କରିବା ସହିତ ଖୋଲା ମନରେ ଆର୍ଥିକ ସାହାଯ୍ୟ କରିବା ପାଇଁ ଭିଡିଓ ଜରିଆରେ ନିବେଦନ କରିଥିଲେ ।

ସେହିଭଳି ଯୁବରାଜ ବର୍ତ୍ତମାନର ସଙ୍କଟ ସମୟରେ ସବୁ ଦେଶ ମିଳିମିଶି କାର୍ଯ୍ୟ କରିବା ପାଇଁ କହିଥିଲେ । ଆଫ୍ରିଦିଙ୍କ ଫାଉଣ୍ଡେସନ ପାକିସ୍ତାନର ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବାରୁ ଯୁବରାଜ ଏହାର ପ୍ରଶଂସା ସହିତ ଅର୍ଥଦାନ ଅପିଲ କରିଥିଲେ । ତେବେ ସୋସିଆଲ ମିଡିଆରେ ଅନେକ ଯୁବରାଜ ଓ ହରଭଜନଙ୍କ ଏହି ପଦକ୍ଷେପର କଠୋର ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ଭାରତରେ ମଧ୍ୟ କରୋନା ସଂକ୍ରମଣ ଜନିତ ସମସ୍ୟା ଲାଗି ରହିଥିବା ବେଳେ ପାକିସ୍ତାନର ଜଣେ କ୍ରିକେଟରଙ୍କ ଦାତବ୍ୟ ସଂସ୍ଥା ପାଇଁ ସାହାଯ୍ୟ ଅପିଲ କରିବା କେତେ ଦୂର ଯଥାର୍ଥ ସେ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ତେବେ ଅନ୍ୟ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଯୁବରାଜଙ୍କ ସପକ୍ଷରେ ଯୁକ୍ତି ପ୍ରସ୍ତୁତ କରୁଥିବା ବେଳେ ଆଇ-ଷ୍ଟାଣ୍ଡ-ଉଇଥ୍‌-ଯୁବି ହାସ୍‌ଟ୍ୟାଗ୍ ଟ୍ୱିଟରରେ ଟ୍ରେଣ୍ଡ ହେଉଛି ।

Leave A Reply

Your email address will not be published.