Latest Odisha News

ଅଜସ୍ର ଫୁଲର ଉପତ୍ୟକା

ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ (୧୯୫୩) ପରିଣତ ବୟସରେ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ବିଗତ ଅଳ୍ପକିଛି ବର୍ଷ ଭିତରେ ସେ ନିଜ କଥାସାହିତ୍ୟ ପାଇଁ ପାଠକମାନଙ୍କ ମନରେ ହାସଲ କରିସାରିଛନ୍ତି ସ୍ୱତନ୍ତ୍ର ସ୍ଥାନ । ସ୍ମୃତିର ତୃତୀୟ ପାହାଚ, ନିସ୍ତବ୍ଧ ରାତି ଓ ସ୍ମୃତିର ସିନ୍ଦୁକ, ଗୋଟିଏ ସନ୍ଧ୍ୟାର ସାମ୍ପେନ୍‍ ଓ ଅପରାହ୍ନର ଉଈହୁଙ୍କା, ଭିନ୍ନ ଚନ୍ଦ୍ରର ପୃଥିବୀ, କାଲି ରାତିର କାହାଣୀ, ଗାନ୍ଧିଜୀଙ୍କ ଚତୁର୍ଥ ମାଙ୍କଡ଼ ଓ ଅନ୍ୟାନ୍ୟ କାହାଣୀ, ମୋନାଲିସା! ଓ ଓ ମୋନାଲିସା!!, ନୀଳ ଚେକ୍‍ ସାର୍ଟ୍‍ ଭଳି ଆଠଟି ପୁସ୍ତକ ସେ ଇତିମଧ୍ୟରେ ଗଳ୍ପାନୁରାଗୀ ପାଠକଙ୍କୁ ଉପହାର ଦେଇସାରିଛନ୍ତି । ସେପ୍ଟେମ୍ବର ୨୦୧୮ରେ ଭାରତୀୟ ପ୍ରଶାସନିକ ସେବାରୁ ଅବସର ଗ୍ରହଣ ପରେ ସଂପ୍ରତି ସେ ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି ଓ କଥାସାହିତ୍ୟରେ ମନୋନିବେଶ କରିବା ସହିତ ‘positivevibes.today’ ନାମକ ଏକ ୱେବ୍‍ ପୋର୍ଟାଲ୍‍ ମାଧ୍ୟମରେ ସମାଜରେ ସକାରାତ୍ମକ ଚିନ୍ତାଧାରାକୁ ଆଗକୁ ବଢ଼ାଇବା ପାଇଁ ପ୍ରୟାସ କରୁଛନ୍ତି ।

ଅଜସ୍ର ଫୁଲର ଉପତ୍ୟକା
ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ

– କଥା ଦିଅ, ମୁଁ ସଂସାର ଛାଡ଼ି ଗଲାପରେ ଯେମିତି କହୁଛି ସେମିତି କରିବ । ଟିକେ ବି ଏପଟ ସେପଟ ହବନାହିଁ ।
ବାବାଙ୍କ କଥା ଶୁଣି ମୁଁ ଓ ପତ୍ନୀ ଅର୍ଚ୍ଚନା ସ୍ତବ୍ଧ ହେଇଗଲୁ । ଲାଗିଲା ଯେମିତି ହଠାତ୍ ବହୁ ଉଚ୍ଚା ଶିଖରରୁ ଖସି ପଡ଼ୁଛୁ କୋଉ ଅତଳତଳ ଅନ୍ଧକାରର ଗହ୍ୱର ଭିତରକୁ । ବାବା, ବାବା, ଡାକ ଛାଡ଼ୁଛୁ, କିନ୍ତୁ ସବୁଥର ଭଳି ବାବା ଆମକୁ ଉପରକୁ ଉଠେଇ ନବା ପାଇଁ ହାତ ବଢେ଼ାଉ ନାହାନ୍ତି ।
ବାବାଙ୍କ ଜିଦି ପାଖରେ ଆମେମାନେ ପ୍ରାୟ ସବୁବେଳେ ନାଚାର । ଅଦ୍ଭୁତ ଖିଆଲ ସବୁ ତାଙ୍କର । ଦୁଇ ବର୍ଷ ତଳେ ମା’ଙ୍କ ସ୍ୱର୍ଗବାସ ପରେ ସେ ପ୍ରାୟ ଚୁପ୍ ହେଇଯାଇଥିଲେ । ଆମମାନଙ୍କ ସହିତ ରାତିରେ ଖାଇବାବେଳେ ଦେଖା- ତାଙ୍କର ସବୁ କାମ ନିୟମିତ ଭାବରେ, ଠିକ୍ ସମୟରେ ହବା ଜରୁରୀ । ସକାଳୁ ପାଖ ପାର୍କରେ ଘଣ୍ଟାଏ ୱାକିଂ, ସନ୍ଧ୍ୟାବେଳେ ଛାତ ଉପରେ ଅଧଘଣ୍ଟା ଟହଲିବା, ବାକି ସମୟ ଟି.ଭି. ଦେଖା ଗପ ବହି ପଢ଼ିବା ଭିତରେ ତାଙ୍କ ସମୟ କେମିତି କଟିଯାଉଥିଲା ଆମେ ଜାଣି ପାରୁ ନଥିଲୁ । ଆଗରୁ ତାଙ୍କ ପୁରୁଣା ସାଙ୍ଗ, ସ୍କୁଲ୍, କଲେଜର କ୍ଲାସ୍ମେଟ୍ ମାନଙ୍କ ସାଙ୍ଗରେ ଗପସପ କରୁଥିଲେ, ମା’ଙ୍କ ଯିବା ପରେ ସେ ସବୁ ପ୍ରାୟ ବନ୍ଦ ହେଇଗଲା ।
ଆମର ପୁଅ ଦିଜଣ ବୋର୍ଡିଂ ସ୍କୁଲ୍ରେ ପଢ଼ି, ହଷ୍ଟେଲ୍ରେ ରହିବା ଦିନଠାରୁ ସେମାନେ ବି ପ୍ରାୟ ଆମ ସମସ୍ତଙ୍କ ପାଇଁ ଧୀରେ ଧୀରେ ଅପରିଚିତ ହେଇଗଲେ । ଛୁଟିରେ ସେମାନେ ଘରକୁ ଆସୁଥିଲେ କମ୍ପୁ୍ୟଟର୍ରେ ସିନେମା ଦେଖା, ନହେଲେ କାନରେ ମୁ୍ୟଜିକ୍ ସିଷ୍ଟମ୍ ଲଗେଇ ଗୀତ ଶୁଣା । କେତେଥର ସେମାନଙ୍କ ରୁମ୍ରେ ଗୀତ ଶୁଣି ନାଚୁଥିବାର ବି ଆମେ ଦେଖିଛୁ ।
ଏ ସବୁ ଦୁନିଆରୁ ବାବା ବାହାରେ । ତାଙ୍କର ସଉକି ପୁରୁଣା ଗୀତ, ପୁରୁଣା ସିନେମାରେ । ଅମିତାଭ ବଚନର କୌଣସିି ଫିଲ୍ମ ସେ ପାଞ୍ଚଛଅ ଥରରୁ କମ୍ ଦେଖିନାହାନ୍ତି । ତା’ ଛଡ଼ା ଚଲତି କା ନାମ ଗାଡ଼ି, ପଡେ଼ାସନ୍, ଚୁପ୍କେ ଚୁପ୍କେ, ଶୋଲେ, ସେହେନଶାହ, ଜାନେ ଭି ଦୋ ୟାରୋ ଏ ସବୁର ଭିଡ଼ିଓ କ୍ୟାସେଟ୍ କିଣି ରଖଛନ୍ତି । ଅତି କମ୍ରେ କୋଡ଼ିଏ ପଚିଶ ଥର ଦେଖିଥିବେ ନିଶ୍ଚେ ।
ଓଡ଼ିଆ ପୁରୁଣା ସିନେମା ମାଣିକ ଯୋଡ଼ି, ମଲାଜହ୍ନ, କା’, ସ୍ତ୍ରୀ, ଅଦିନ ମେଘ, ଅରୁନ୍ଧତୀ, ଶ୍ରୀ ଲୋକନାଥ ଟି.ଭିରେ ଆସିଲାମାନେ ଗୋଟିଏ ମିନିଟ୍ ବି ଟି.ଭି ପାଖରୁ ଉଠିବେନି । ଆଉ ଓଡ଼ିଆ ପୁରୁଣା ଗୀତ? ବାବାଙ୍କର ରଙ୍କୁଣା ଧନ ସିଏ । ନିର୍ମଳା ମିଶ୍ରଙ୍କର ସନ୍ଧ୍ୟା ତାରା ନିଶିଧ ବାତାୟନେ ଜାଗୁ କା ପଥ ଚାହିଁ ଆକୁଳ ନୟନେ, ଦୂରେ କାହିଁ ଦୂରେ, ପୁଣି କୋଉ ଅଭୁଲା ଗୀତ ସବୁ, ଯେମିତିକି କିଆ କେତକୀ ବନେ କହଇ କେ କାନେ କାନେ ବା ଫୁଲ ରସିଆରେ ମନ ମୋ’ ଛୁଇଁ ଛୁଇଁ ଯା’ ଯା’, ମରମ ତଳେ ଅତୀତ ଯେ ମରେନା, ଜୀବନେ ଯାହାକୁ ଦିନେ ପାଇନା ଭଲ- ଏମିତି କେତେ ଗୀତ ରେକଡର଼୍ରୁ ଦଶ ବାର ଥର ଶୁଣି ଆଖିବୁଜି ମୁଣ୍ଡ ହଲୋଉଥିବେ ଯେ ଆମେ ଭାବୁ ବାବାଙ୍କର ନିଜର ଗୋଟିଏ ସ୍ୱତନ୍ତ୍ର ଦୁନିଆ ଅଛି, ଯାହାର ଚାବିକାଠିଟା କେବଳ ତାଙ୍କ ହାତରେ ଓ ସେଇ ଦୁନିଆରେ ପ୍ରବେଶ କଲେ ସେ ଗୋଟିଏ ନୈସର୍ଗିକ ଆନନ୍ଦର ବଳୟରେ ଢାଙ୍କି ହେଇଯାନ୍ତି, ଆମ ହାତର ପହଞ୍ଚରୁ ବାହାରେ! ମା’ ଚାଲିଗଲାପରେ ବାବା ସତେ ଯେମିତି ଏଇଭଳି ଗୋଟିଏ ଦୁନିଆରେ ଚରିଦିନ ପାଇଁ ବସା ବାନ୍ଧି ରହିଗଲେ!

ଏବେ ଯେତେବେଳେ ବାବା ସଂସାର ଛାଡ଼ି ଯିବା ଭଳି ଅଦ୍ଭୁତ କଥାଟିଏ କହିଲେ ଓ ଆମ ପାଖରୁ ଜବାବ ପାଇଁ ଅପେକ୍ଷା କଲେ, ଆମକୁ ବୁଦ୍ଧି ଦିଶିଲା ନାହିଁ । ମୁଁ ଓ ଅର୍ଚ୍ଚନା ଚିତ୍କାର କଲୁ,
– ବାବା, ଆପଣ ଏମିତି କଥା କଅଣ କହୁଛନ୍ତି? ଏମିତି ଅଶୁଭ କଥା କିଏ କହେ?
ବାବା କିନ୍ତୁ ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ ।
– ମୁଁ ଯାହା କହୁଛି, ମନ ଦେଇ ଶୁଣ । ତୁ ଆଉ ବୋହୂ ପ୍ରତିଜ୍ଞା କର ମୋ’ କହିବା ଅନୁସାରେ କରିବ । ଅର୍ଚ୍ଚନା ପାଟିକରି ଉଠିଲେ,
– ଆମେ ଆଦୌ ଆପଣଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ । ଆପଣ ଏତେ ଶୀଘ୍ର ଆମକୁ ଛାଡ଼ି ଯିବା କଥା କୁହନ୍ତୁନି ।
ବାବା ଟିକେ ହସିଲେ,
– ମୁଁ କଅଣ ତୁମମାନଙ୍କୁ ଏବେ ସାଙ୍ଗେ ସାଙ୍ଗେ ଛାଡ଼ି ଯାଉଛି? ହୁଏତ ବର୍ଷେ ପରେ, ଦୁଇବର୍ଷ ବା ପାଞ୍ଚବର୍ଷ ପରେ ଯାଇପାରେ । ବାସ୍ତରୀ ବର୍ଷ ବୟସ ହେଲା, କେବେ ବି କିଛି ହେଇପାରେ । ମୁଁ ଯେତେବେଳେ ଯିବି, ତମ ଦି ଜଣଙ୍କୁ ଗୋଟିଏ ଅନୁରୋଧ, ମୋ’ର ଇଚ୍ଛା ପୂରଣ କରିବ । ମୋ’ର ଶବଦାହ ପାଇଁ ସ୍ୱର୍ଗଦ୍ୱାର ଯିବା ଦରକାର ନାହିଁ । ମୁଁ ଥରେ ସେଠିକି ଯାଇଥିଲି, ବହୁତ ଅବ୍ୟବସ୍ଥା ସେଠି, ବଡ଼ ଅପରିଷ୍କାର ଯାଗା । ଷଣ୍ଢ, କୁକୁର, ବିଲେଇ, ବଡ଼ ବଡ଼ ମୂଷା, ମାଛି ଭଣଭଣ ସେଠି । ଏଇ ସତ୍ୟନଗର ମଶାଣିରେ ଟୁକୁନା ତୁ ମୋ’ ମୁହଁରେ ମୁଖାଗ୍ନି ଦେବୁ । ତା’ପରେ…
ହଠାତ୍ ଅର୍ଚ୍ଚନା କାନ୍ଦିବା ଆରମ୍ଭ କଲା,
– ବାବା, ପ୍ଲିଜ୍ ବନ୍ଦ କରନ୍ତୁ ଏସବୁ କଥା, ଏତେ ନିଷ୍ଠୁର ହୁଅନ୍ତୁନି । ମୋର ବି ଆଖି ଛଳ ଛଳ ହେଇ ଯାଇଥିଲା । କୋହ ଭରା କଣ୍ଠରେ କହିଲି,
– ବାବା, ଏସବୁ କହିବା କଅଣ ଜରୁରୀ? ଖଣ୍ଡେ କାଗଜରେ ବି ତ ଲେଖି ଦେଇପାରିଥା’ନ୍ତେ?
– ଲେଖିଛିରେ ପାଗଳା, ଲେଖିଛି ତୋ’ ପାଇଁ ବି, ବୋହୂ ପାଇଁ ବି । କିନ୍ତୁ ତାକୁ ତୁମେ କେବେ ପଢ଼ିବ ମୁଁ କହୁଛି ଶୁଣ । ମୋର ଶୁଦ୍ଧି କ୍ରିୟା ସରିବା ପରେ ପନ୍ଦରଦିନ ଭିତରେ ତୁମେ ଦୁଇଜଣ ମୋ’ର ଅସ୍ଥି ଓ ଭସ୍ମ ସାଙ୍ଗରେ ନେଇ ବାହାରିବ । ତୁମେ ତ ଜାଣ ତୁମ ମାମାଙ୍କର ଅସ୍ଥି ଓ ଭସ୍ମ ବି ଗୋଟିଏ ହାଣ୍ଡି ଭିତରେ ରଖି ବଗିଚାରେ ସେ ଆମ୍ବ ଗଛ ମୂଳେ ପୋତା ହେଇଛି, ତାକୁ ବି ସାଙ୍ଗରେ ନେଇଯିବ । କୋଉଠିକି ଯିବ ଜାଣ? ଉତ୍ତରାଖଣ୍ଡର ଗୋବିନ୍ଦଘାଟକୁ । ସେଠୁ ଭ୍ୟାଲି ଅଫ୍ ଫ୍ଲାୱାର୍ସ । ହିମାଳୟ ମଝିରେ ସୁନ୍ଦର ଉପତ୍ୟକାଟିଏ । ଆମ ଦୁଇଜଣଙ୍କ ଅସ୍ଥିକୁ ସେଇଠି ଛୋଟିଆ ଗାତଟିଏ ଖୋଳି ପୋତିଦବ । ଭସ୍ମ ବି ସେଇଠି, ସେଇ ସୁନ୍ଦର ଉପତ୍ୟକାରେ ବିଞ୍ଚôଦବ । ସେଠୁ ଫେରିଲା ପରେ ମୋ ଚିଠି ଖୋଲି ପଢ଼ିବ । ପ୍ରତିଜ୍ଞା କର, ତା ପୂବରୁ ଖୋଲିବ ନାହିଁ । କଅଣ? କରିବ ଏଇଆ?
ସେତେବେଳକୁ ମୁଁ ବି କାନ୍ଦିବା ଆରମ୍ଭ କରିଦେଇଥିଲି । ବାବାଙ୍କ କଥାର କି ଜବାବ ଦବୁ ଆମେ ବୁଝିପାରୁନଥିଲୁ । ଏ କି ପ୍ରତିଜ୍ଞା କରିବାକୁ ବାବା କହୁଛନ୍ତି? ଏମିତି କିଏ ନିଜ ମୃତୁ୍ୟ, ଶୁଦ୍ଧିକ୍ରିୟା ବିଷୟରେ କହେ? ଅଦ୍ଭୁତ ଖିଆଲ ବାବାଙ୍କର?
ଆମକୁ ଚୁପ୍ ରହିବାର ଦେଖି ବାବା ଟିକେ ଆଶ୍ଚର୍ଯ୍ୟ ହେଲାଭଳି ପଚାରିଲେ,
– କଅଣ? ଚୁପ୍ ରହିଲ ଯେ? ମୋର ଭସ୍ମ ଭ୍ୟାଲି ଅଫ୍ ଫ୍ଲାୱାର୍ସ୍ରେ ପକେଇବନି? ଏତିକି ଟିକେ ମୋ ପାଇଁ କରିବନି?
ମୁଁ ଓ ଅର୍ଚ୍ଚନା ଚିକ୍ରାର କରି ଉଠିଲୁ ।
– କି କଥା କହୁଛନ୍ତି ଆପଣ? ଆପଣଙ୍କ କଥା ଅମାନ୍ୟ କରିବାର ପ୍ରଶ୍ନ ତ ଉଠୁନି । କେବଳ ଏତିକି ଯେ ଆପଣ ଏମିତି କଥା କହି ଆମ ମନରେ ଆଘାତ ଦେଉଛନ୍ତି କାହିଁକି?
ବାବା ଟିକେ ଗମ୍ଭୀର ହୋଇଗଲେ । କହିଲେ ,
– ଜାତସ୍ୟ ହି ଧୁ୍ରବ ମୃତୁ୍ୟଃ, ତୁମ ଆଦର ଯୋଗୁଁ ବା ମୋର ଇଚ୍ଛା ବଳରେ ମୁଁ ଅମର ହେଇପାରିବିନି । ଯେମିତି ଭବିଷ୍ୟତକୁ ଚାହିଁ ମୁଁ ଉଇଲ୍ଟି କରି ଦେଇଛି ସେମିତି ମୋର ଚିତାଭସ୍ମ ଗୋଟିଏ ସୁନ୍ଦର, ପବିତ୍ର ସ୍ଥାନରେ ବିସର୍ଜନ କରିବା ପାଇଁ ତୁମକୁ କହୁଛି । ଏଥିରେ ଭୁଲ କଅଣ ରହିଲା? ଯେତେବେଳେ ତୁମର ସେ କାମ ସରିଯିବ, ଘରକୁ ଫେରି ଧୀରେ ସୁସ୍ଥେ ଚିଠିଟି ଖୋଲି ପଢ଼ିବ ।
ଏତିକି କହି ବାବା ମୋ ମୁଣ୍ଡରେ, ଅର୍ଚ୍ଚନା ମୁଣ୍ଡରେ ହାତ ରଖି ଆଶୀର୍ବାଦ କଲେ । ଆମେ କୋହଭରା ହୃଦୟରେ ରୁମ୍ରୁ ବାହାରି ଆସିଲୁ ।
କେମିତି କେଜାଣି ଏ କଥା କହିବାର ମାସେ ଭିତରେ ବାବାଙ୍କର ଦେହାନ୍ତ ହେଇଗଲା । ରାତିରେ ଖାଇପିଇ ଶୋଇଛନ୍ତି, ପାହାନ୍ତାରୁ ବୋଧହୁଏ ହାର୍ଟ ଆଟାକ୍ ହେଇଛି, ବିଛଣାରୁ ଉଠିଛନ୍ତି ଓ ଆଉଜା ହେଇଥିବା ତାଙ୍କ କବାଟକୁ ଖୋଲିବାକୁ ଚେଷ୍ଟା କଲାବେଳେ ଟଳି ପଡ଼ିଛନ୍ତି । ଆମେ ଆମ ରୁମ୍ରେ ଏ.ସି. ଲଗେଇ ଶୋଇଥିବାରୁ ଜାଣିପାରିଲୁନି ।

ଆଜି ଦିଲ୍ଲୀରୁ ଭୁବନେଶ୍ୱର ଫ୍ଲାଇଟ୍ରେ ଫେରିବାବେଳେ ବାବାଙ୍କ କଥା ବହୁତ ମନେ ପଡ଼ୁଛି । ସାତଦିନ ତଳେ ଆମେ ବାହାରିଥିଲୁ ଭ୍ୟାଲି ଅଫ୍ ଫ୍ଲାୱାର୍ସ୍ ବାବାଙ୍କ କଥା ରଖିବା ପାଇଁ । ପ୍ରଥମେ ଦିଲ୍ଲୀ, ସେଠୁ ଟ୍ରେନ୍ରେ ହରିଦ୍ୱାର । ହରିଦ୍ୱାରରୁ ଟ୍ୟାକ୍ସି ନେଇ ଯୋଷୀମଠ, ପୁଣି ଗଲୁ ହେମକୁଣ୍ଡ, ଗୋବିନ୍ଦଘାଟ । ତା’ପରେ ସତର କିଲୋମିଟର ବାଟ ପାହାଡ଼ରେ ପାଦଚଲା ବାଟ । ବଡ଼ କଷ୍ଟ ଚଢ଼ାଣି ସିଏ । ଗୋବିନ୍ଦ ଘାଟର ଛଅହଜାର ଫୁଟ ଉଚ୍ଚତାରୁ ଯିବାକୁ ପଡେ଼ ସାଢେ଼ ଏଗାର ହଜାର ଫୁଟ ଉପରେ ‘ଭ୍ୟାଲି ଅଫ୍ ଫ୍ଲାୱାର୍ସ୍’କୁ । ମଝିରେ ଘଙ୍ଗରିଆରେ ଗୁରୁଦ୍ୱାରରେ ରାତିରେ ରହଣି । ଏତେ କଷ୍ଟ ଚଢ଼ାଣି ଯେ ଅନେକ ଥର ଲାଗିଲା ହୁଏତ ଭ୍ୟାଲି ଅଫ୍ ଫ୍ଲାୱାର୍ସ୍ ପହଞ୍ଚି ପାରିବୁନି । ତା ପୂର୍ବରୁ ନିଶ୍ୱାସ ଅଟକିଯିବ, ବାବାଙ୍କ ଇଚ୍ଛା ଅପୂର୍ଣ୍ଣ ରହିଯିବ । କିନ୍ତୁ ବାବାଙ୍କ ପ୍ରତି ଆମର ଅଗାଢ଼ ଭକ୍ତି ଓ ବାରମ୍ବାର ବଦ୍ରୀନାଥ, କେଦାରନାଥ ଠାକୁରଙ୍କୁ ଆତୁର ପ୍ରାର୍ଥନା ଶେଷରେ ଆମକୁ ସହସ୍ର ଫୁଲର ଉପତ୍ୟକାରେ ପହଞ୍ଚେଇଦେଲା ।
ସେତେବେଳକୁ ଆମ ଦେହ ହାତ ଦରଜ । ଗୋଟିଏ ପାଦ ବି ଆଗକୁ ଉଠେଇବାକୁ ଇଚ୍ଛା ହଉନଥାଏ । କିନ୍ତୁ ରଙ୍ଗ ବିରଙ୍ଗୀ ଫୁଲର ସେଇ ଉପତ୍ୟକାରେ ପହଞ୍ଚô ଆମକୁ ଲାଗିଲା ସ୍ୱର୍ଗ ବୋଧହୁଏ ଏହିଭଳି ହେଇଥିବ । ସୁନ୍ଦର, ମନୋରମ, ଫୁଲର ରଙ୍ଗ ଓ ବାସ୍ନାରେ ଭରା । ସାଧାରଣ ମାନବର ଅବଚେତନାର ବାହାରେ କୋଉ ଅଲୌକିକ, ସ୍ୱପ୍ନିଳ ଇଲାକା! ଜାଣିଲୁ, ବାବା କାହିଁକି ଆମକୁ ଏଠି ଭସ୍ମ ବିସର୍ଜନ କରିବାପାଇଁ କହିଥିଲେ ।
ଅତୁଳନୀୟ, ନୈସର୍ଗିକ ଆନନ୍ଦରେ ଆତ୍ମ ବିଭୋର ହୋଇ ଆମକୁ ଲାଗିଲା ବାବା ହୁଏତ ଏଇଠି ଆଉଥରେ ଆବିର୍ଭାବ ହେବେ; କୋଉ ଗଛ ମୂଳରେ ଆମେ ପହଞ୍ଚିବା ବେଳକୁ ବାବା ଚକା ମାଲି ପକେଇ ବସିଥିବେ ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରୁଥିବେ । କିମ୍ବା କୋଉ ସୁନ୍ଦର ଫୁଲଟିଏକୁ ନଇଁପଡ଼ି ଛୁଇଁ ଆମେ ସିଧା ହେଲା ବେଳକୁ ହୁଏତ ବାବାଙ୍କ ହସହସ ମୁହଁ କୋଉ ଫୁଲ ଆଢୁଆଳରୁ ଆମକୁ ଦିଶିଯିବ । ଅଥବା କୋଉ ଝରଣାର ପାଣିରେ ଆମେ ହାତ ବୁଡେ଼ଇଲା ବେଳକୁ ହୁଏତ ବାବା ଓ ମାମାଙ୍କ ମୁହଁ ପାଣିରେ ଜଳଜଳ ହେଇ ଦିଶିବ!
ଅପରାହ୍ନର ସୂର୍ଯ୍ୟ ଢଳିବା ପୂର୍ବରୁ ଆମେ ଗୋଟିଏ ସୁନ୍ଦର, ଘଞ୍ଚ ପତ୍ରରେ ଭରା ପାଇନ୍ ଗଛର ମୂଳରେ ବାବା ଓ ମାମାଙ୍କର ଅସ୍ତି ପୋତିଦେଲୁ ଓ ଚିତାଭସ୍ମ ସହସ୍ର ଫୁଲର ଶେଯରେ ବିଞ୍ଚିଦେଲୁ । ସେଇ ଉପତ୍ୟକାରେ ରାତ୍ରିଯାପନର କୌଣସି ବନେ୍ଦାବସ୍ତ ନଥିବାରୁ ଆମେ ସନ୍ଧ୍ୟା ପୂର୍ବରୁ ଘଙ୍ଗରିଆ ପହଞ୍ଚିଗଲୁ । ପୁଣି ଯୋଶୀମଠରୁ ବଦ୍ରିନାଥ କେଦାରନାଥ ଯାଇ ତିନି ଦିନ ପରେ ଦିଲ୍ଲୀ ଫେରିଲୁ ।
ଭୂବନେଶ୍ୱର ଏଆର୍ପୋର୍ଟରୁ ଘରକୁ ଫେରିବା କ୍ଷଣି ମନେ ପଡ଼ିଲା ବାବାଙ୍କ ଚିଠି କଥା । ମୁଁ ଓ ଅର୍ଚ୍ଚନା ଠାକୁର ଘରକୁ ଯାଇ ମୁଣ୍ଡିଆ ମାରିଲୁ ଓ ଚିଠିଟି କାଢି ପଢ଼ିବା ଆରମ୍ଭ କଲୁ:
ଟୁକୁନା, ତୁ ଓ ବୋହୂ ଅସ୍ଥି ବିସର୍ଜନ କରି ଫେରିଥିବ । ତତେ କଅଣ ଧନ୍ୟବାଦ କହିବି? ବାପ-ପୁଅଙ୍କ ଭିତରେ କଅଣ କେବେ ଧନ୍ୟବାଦର ସମ୍ପର୍କ ହୁଏ? ତୋର ମନେ ନଥିବ, ପିଲାଦିନେ ସାତବର୍ଷ ବୟସର ହୋଇଥିଲୁ ଥରେ ତତେ ଭୟଙ୍କର ଜ୍ୱର ହେଇଥିଲା । ଯେତେ ଔଷଧ ଦେଲେ ବି ଛାଡ଼ିଲା ନାହିଁ । ତିନି ଦିନ ତିନି ରାତି ମୁଁ ଓ ତୋ ମାମା ଅନିଦ୍ରା ରହି ତୋ ମୁଣ୍ଡରେ ଜଳପଟି ଦେଲୁ । ହଠାତ୍ ଜର ଯେମିତି ଆସିଥିଲା, ସେମିତି ଚାଲିଗଲା । ଆମେ କଅଣ ତୋଠୁ ଧନ୍ୟବାଦର ଅପେକ୍ଷାରେ ଥିଲୁ? ତୁ ଶ୍ରବଣ କୁମାର ଚାରିବର୍ଷ ତଳେ ମୋତେ ଓ ମାମାକୁ ଦିଲ୍ଲୀ ନେଇ ଏମ୍ସ୍ରେ ତୋ ସାଙ୍ଗ ଡାକ୍ତର ଆଚାର୍ଯ୍ୟଙ୍କ ପାଖରେ ଆମର ସବୁ ଚେକ୍ଅପ୍ କରେଇଥିଲୁ, ମାମାର ଆଣ୍ଠୁ ଗଣ୍ଠି ବାତପାଇଁ ଔଷଧ ଆଣିଥିଲୁ । କିଏ କାହାକୁ ଧନ୍ୟବାଦ ଦେବ?
ତତେ ଭ୍ୟାଲି ଅଫ୍ ଫ୍ଲାୱାର୍ସ୍ ପଠେଇବାର ଦୁଇଟି କାରଣ ଥିଲା । ତୁ ତ ଜାଣୁ ମୁଁ ପୂର୍ବଜନ୍ମ, ପରଜନ୍ମ, ପାପପୂଣ୍ୟ ଏ ସବୁରେ ବିଶ୍ୱାସ କରେନା । ମୋର ଓ ମାମାର ଅସ୍ଥି ଯୋଉଠିବି ବିସର୍ଜନ କରିଥିଲେ ଚଳିଥା’ନ୍ତା । ବାଉନ ବର୍ଷ ତଳେ ମୁଁ ଆଲ୍ଲାହାବାଦ ୟୁନିଭର୍ସିଟିରେ ପଢ଼ିଲା ବେଳେ ଆମେ ଏସ୍କର୍ସନ୍ରେ ସେଠିକି ଯାଇଥିଲୁ । ପୃଥିବୀରେ ଏତେ ସୁନ୍ଦର ଜାଗା ଥାଏ, ମୁଁ ବିଶ୍ୱାସ କରିପାରି ନଥିଲି । ବାହାଘର ପରେ ଅନେକଥର ଭାବିଲି ତୋ ମାମାକୁ ନେଇ ସେଠିକି ଯିବି । ହେଲେ ମାମାର ପାହାଡ଼କୁ ଡର, ପୁଣି ଉଚ୍ଚା ଜାଗାକୁ ଗଲେ ତା’ର ମୁଣ୍ଡ ବୁଲାଏ । ଏଣୁ ଆମେ ଭ୍ୟାଲି ଅଫ୍ ଫ୍ଲାୱାର୍ସ୍ ଯାଇପାରିଲୁନି । ମୁଁ କିନ୍ତୁ ଚାହୁଁଥିଲି ତୁ ଓ ବୋହୂ ଯାଇ ଏ ସୁନ୍ଦର ଜାଗାଟିକୁ ଦେଖିଆସ । ଅନୁଭବ କର, ଆମ ଦେଶରେ କେତେ ସୁନ୍ଦର ଜାଗା ସବୁ ଅଛି । ପ୍ରକୃତିରେ, ଆମର ପାହାଡ଼ରେ, ଜଙ୍ଗଲରେ, ଝରଣାରେ ଅସୀମିତ ସୌନ୍ଦର୍ଯ୍ୟର ଅଭାବ ନାହିଁ । ସେ ସବୁକୁ ଉପଭୋଗ କରିବା ପାଇଁ ଆମର ସ୍ପୃହା ଥିବା ଦରକାର । ଖାଲି ରେସ୍ତାରାଁରେ ଖାଇବା, କ୍ଲବ୍ରେ ମଦ ପିଇବା, ସିନେମା ଦେଖିବା, ଉଡ଼ାଜାହାଜରେ ଦେଶ ବିଦେଶ ବୁଲିବାର ଉଦ୍ଧ୍ୱର୍ରେ ଅଛି ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ଏବଂ ତାକୁ ଦେଖିବା ପାଇଁ ଟିକେ କଷ୍ଟ କରିବାକୁ ପଡେ଼ । ହୁଏତ କିଛିବାଟ ଦୁର୍ଗମ ରାସ୍ତାରେ ଚାଲିବାକୁ ପଡେ଼, ବଡ଼ିଭୋର୍ରୁ ଉଠିବାକୁ ପଡେ଼ ବା ରାତି ଅନିଦ୍ରା ହେବାକୁ ପଡେ଼ ।
ମୁଁ ଜାଣେ, ତୁମ ଦୁଇଜଣକୁ ଯଦି ମୁଁ ସେମିତି ଖାଲିଟାରେ ଭ୍ୟାଲି ଅଫ୍ ଫ୍ଲାୱାର୍ସ୍ ଯିବା ପାଇଁ କହିଥାନ୍ତି, ତୁମେ ହୁଏତ ଟାଳି ଦେଇଥା’ନ୍ତ । ଏବେ ଯିବା, ପରେ ଯିବା ବୋଲି ରହିଯାଇଥା’ନ୍ତ । ମୋର ଅସ୍ଥି ବିସର୍ଜନ ବାହାନାରେ ତୁମକୁ ଭ୍ୟାଲି ଅଫ୍ ଫ୍ଲାୱାର୍ସ୍ ପଠେଇବାର ଦ୍ୱିତୀୟ କାରଣଟି କହି ରଖେଁ । ଗତ ଅନେକ ବର୍ଷ ଧରି ତତେ ମୁଁ କହି ଆସିଛି ଟିକେ ବାହାରକୁ ଯାଇ ଖୋଲା ପବନରେ ଏକ୍ସର୍ସାଇଜ୍ କର, ସକାଳୁ ୱାକିଂ ଯା, ଜଗିଙ୍ଗ୍ କର୍, ତୁ ସବୁବେଳେ କାମ ବାହାନାରେ ମୋ କଥାଟିକୁ ଆଡେ଼ଇ ଦେଇଛୁ । ଦିନକୁ ଦିନ ତୋର ଓଜନ ବଢ଼ି ଚାଲିଛି, ହେଲେ ଥରଟିଏ ବି ଏକ୍ସର୍ସାଇଜ୍ କରିବା ପାଇଁ ତୋର ମନ ବଳୁନାହିଁ । ଥରଟିଏ ଭାବ୍ ତ, ଏକ୍ସସର୍ସାଇଜ୍ ଅଭାବରୁ, ଭଗବାନ୍ ନ କରନ୍ତୁ, ଯଦି ତୋର ଦେହ ଖରାପ ହେଲା ତ ତୋର ଓ ତୋ ପରିବାରର କି ଅବସ୍ଥା ହେବ?
ତତେ ଓ ବୋହୂକୁ ଭ୍ୟାଲି ଅଫ୍ ଫ୍ଲାୱାର୍ର୍ସ ପଠେଇବାର କାରଣ ହେଉଛି, ତୁମ ମନରେ ବିଶ୍ୱାସ ସୃଷ୍ଟି କରିବା ଯେ ତୁମେ ଯଦି ଏତେ କଷ୍ଟରେ ଘଣ୍ଟା ଘଣ୍ଟା ଚାଲି ବାରହଜାର ଫୁଟ ଉଚ୍ଚତାର ପାହାଡ଼ ଚଢ଼ିପାରିଲ, ମାଇଲ୍ ମାଇଲ୍ ଧରି ଉଠାଣି ରାସ୍ତା ଅତିକ୍ରମ କରି ପାରିଲ, ତାହା ହେଲେ ସବୁଦିନ ଘଣ୍ଟାଏ ୱାକିଂ କରିବା ଏତେ କଷ୍ଟ କାମ ନୁହେଁ ।
ତୁ ଏ ଚିଠି ପଢ଼ିବା ବେଳେ ମୁଁ ଯୋଉଠି ଥିଲେ ବି ତତେ, ବୋହୂକୁ, ମୋ ନାତି ଦୁଇଜଣଙ୍କୁ ଆଶିର୍ବାଦ କରୁଥିବି, ତୋର ଅଲକ୍ଷ୍ୟରେ, କେବଳ ମୋର ଜାଣତରେ । ଏବେ ବୁଝିଲୁ ତ ପାଗଳା ପୁଅ ମୋର? ସ୍ୱର୍ଗରେ, ମର୍ତ୍ତ୍ୟରେ, ଆକାଶରେ, ପାତାଳରେ, ଯୋଉଠି ଥିଲେ ବି ବାପା-ମା’ଙ୍କ ଅନ୍ତର ତାଙ୍କ ପିଲାଙ୍କ ପାଇଁ କାନ୍ଦେ, ତୁମ ମାନଙ୍କୁ ଝୁରି ହୁଏ । ମନେ ରଖିଥିବୁ ଏ କଥା । ଇତି ତୋର ବାବା ।

Leave A Reply

Your email address will not be published.