Latest Odisha News

କବିତା ଜୀବନର ସମ୍ପ୍ରସାରଣ : ବିଭୁ ପାଢ଼ି

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ହାତଗଣତି ଯେଉଁ କେତେଜଣ କବି ନିଜ ପାଇଁ ଓ ରାଜ୍ୟ ପାଇଁ ପ୍ରତିଷ୍ଠା ଆଣିପାରିଛନ୍ତି, ସେମାନଙ୍କ ଭିତରେ ବିଭୁ ପାଢ଼ି ଅନ୍ୟତମ । ପ୍ରଚାରବିମୁଖ ଏହି କବି ମୁଖ୍ୟତଃ ଇଂରାଜୀରେ କବିତା ଲେଖୁଥିଲେ ବି ଓଡ଼ିଆ କବିତା କ୍ଷେତ୍ରରେ ମଧ୍ୟ ରହିଛି ତାଙ୍କର ସମାନ୍ତରାଳ ଦକ୍ଷତା। ତାଙ୍କ ସହ ସରୋଜ ବଳଙ୍କ ଅନ୍ତରଙ୍ଗ ଆଳାପ:

କବିତା ଜୀବନର ସମ୍ପ୍ରସାରଣ : ବିଭୁ ପାଢ଼ି

ଇଂରାଜୀରେ ଅଧ୍ୟାପନା କରୁଥିବା ବହୁ କବି ଓଡ଼ିଆ ଭାଷାରେ ହିଁ କବିତା ଲେଖୁଥିବା ଦେଖିବାକୁ ମିଳେ । ଆପଣ ଇଂରାଜୀରେ ଲେଖିବା ପାଇଁ କାହିଁକି ଭାବିଲେ?
ବୋଧହୁଏ ଯେତେବେଳେ ମୁଁ ୧୯୭୫ ମସିହାରେ ମୋର ପ୍ରଥମ ଇଂରାଜୀ କବିତା ଲେଖିଲି, ମୋର ଓଡ଼ିଆ ଭାଷାରେ ଦକ୍ଷତା ନଥିଲା । ଏପରିକି ମ୍ୟାଟ୍ରିକୁଲେସନରୁ ଆରମ୍ଭ କରି ବି.ଏ ପର୍ୟ୍ୟନ୍ତ ମୁଁ ସବୁବେଳେ ଭୟ କରୁଥିଲି କାଳେ ଓଡ଼ିଆ ଭାଷାରେ ଫେଲ୍ ହେଇଯିବି ବୋଲି । ତା’ଛଡ଼ା ମୋର ପ୍ରଥମ କବିତା ଇଂରାଜୀ ଭାଷାରେ ହିଁ ଆସିଥିଲା । ତା’ପରେ ଅନ୍ୟ କବିତାମାନେ ଆସିବାକୁ ଲାଗିଲେ ଇଂରାଜୀ ଭାଷାରେ । ମୋତେ ଲାଗେ ଯେ ପ୍ରତ୍ୟେକ କବିତା ତା’ର ନିଜ ଭାଷା ଓ ନିଜ ଶୈଳୀରେ ହିଁ ଆସେ । ଏଠାରେ ଗୋଟିଏ ଉଦାହରଣ ମୁଁ ଦେବି । ଇଂରାଜୀ ଭାଷାଭାଷୀ ଲେଖକ ସାମୁଏଲ୍ ବେକେଟ୍ ଫରାସୀ ଭାଷାରେ ତାଙ୍କର ନାଟକଗୁଡ଼ିକୁ ଲେଖୁଥିଲେ । ପରେ ତାର ଇଂରାଜୀ ଅନୁବାଦ ହେଉଥିଲା । ଲେଖା ତା’ର ନିଜର ଭାଷା ବାଛିଥାଏ ।

କବିତା ଲେଖିବା ପୂର୍ବରୁ ଆପଣ ସିଧା ଇଂରାଜୀରେ ଭାବନ୍ତି ନା ପ୍ରଥମେ ଓଡ଼ିଆରେ ଭାବି ତାକୁ ଇଂରାଜୀରେ ଅନୂଦିତ କରନ୍ତି?
ମୁଁ ପ୍ରଥମେ ଇଂରାଜୀରେ ହିଁ ଭାବେ, ଏଥିରେ ଅବଶ୍ୟ ଗର୍ବ କରିବାର କିଛି ନାହିଁ । ବହୁତ ଦିନ ଧରି ମୋତେ ନିଦ ହେଉ ନଥିବାରୁ ମୁଁ ନିଦ ବଟିକା ଖାଇ ଆସୁଛି । ମୋର ଦୁଇ ପୁଅ ଓ ପତ୍ନୀ କୁହନ୍ତି ଯେ ମୁଁ ନିଦରେ ଇଂରାଜୀରେ କଥାବାର୍ତ୍ତା କରେ । ମୋର ସ୍ୱପ୍ନର ଭାଷା ମଧ୍ୟ ଇଂରାଜୀ । ଗତ କିଛି ବର୍ଷ ହେଲା ମୁଁ ଓଡ଼ିଆରେ କବିତା ଲେଖିବା ଆରମ୍ଭ କରିଛି । ମୋର କେତେଜଣ ବନ୍ଧୁ କହିଛନ୍ତି ଯେ ମୋ’ ଓଡ଼ିଆ କବିତାରେ ଇଂରାଜୀ ଛନ୍ଦର ପ୍ରଭାବ ପଡ଼ିଛି । ମୁଁ କିନ୍ତୁ ଏ ବିଷୟରେ କିଛି କହିବାକୁ ଚାହୁଁନାହିଁ । ଇଂରାଜୀ କବିଙ୍କ ଅପେକ୍ଷା ବେଶି ମୁଁ ଇଉରୋପୀୟ ଓ ଦକ୍ଷିଣଆମେରିକୀୟ କବିମାନଙ୍କୁ ପଢ଼ିବାକୁ ଭଲପାଏ । ସେମାନେ ମୋତେ ଅନେକାଂଶରେ ପ୍ରଭାବିତ କରିଛନ୍ତି ।

ଲକ୍ଷ୍ୟ କରାଯାଏ, ଇଂରାଜୀରେ ଲେଖୁଥିବା କବି ଜୟନ୍ତ ମହାପାତ୍ର ଓ ଆପଣ (ବିଭୁ ପାଢ଼ି) ପ୍ରଥମେ ଇଂରାଜୀ କବିତା କ୍ଷେତ୍ରରେ ପ୍ରସିଦ୍ଧି ପାଇସାରି ପରେ ଓଡ଼ିଆରେ କବିତା ଲେଖିବା ପାଇଁ ଆଗ୍ରହୀ ହୋଇଛନ୍ତି । ଏପରି କାହିଁକି?
ମୁଁ ପୂର୍ବରୁ କହିଛି ଯେ ମୋର ଓଡ଼ିଆ ଭାଷାରେ ଏତେ ଦକ୍ଷତା ନ ଥିଲା । କିନ୍ତୁ ଇଂରାଜୀରେ ପଚିଶ୍ ବର୍ଷରୁ ବେଶି କବିତା ଲେଖିବା ପରେ ମନେ ହେଲା ଓଡ଼ିଆ ଭାଷାରେ ବି ମୋର ଲେଖିବା ଉଚିତ୍ । ପିଲାବେଳେ ମୋ ନନା କହିବା ଅନୁସାରେ ମୁଁ ବୋଉଙ୍କ ସାଙ୍ଗରେ ଓଡ଼ିଆରେ କଥାବାର୍ତ୍ତା କରୁଥିଲି ଏବଂ ନନାଙ୍କ ସାଙ୍ଗରେ ପ୍ରାୟ ଇଂରାଜୀରେ କଥାବାର୍ତ୍ତା କରୁଥିଲି । ସେଇଥିପାଇଁ ଦୁଇଟି ଯାକ ଭାଷା ମୁଁ ପ୍ରାୟ ଏକାଠି ଶିଖିଥିଲି ।

ଓଡ଼ିଆରେ ଲେଖୁଥିବା ବହୁଲୋକଙ୍କର ଧାରଣା ଅଛି ଯେ ଇଂରାଜୀରେ ଲେଖୁଥିବା ଲୋକେ ହେଉଛନ୍ତି ଅନ୍ତର୍ଜାତୀୟ ଲେଖକ । ଏଥିରେ କେତେଦୂର ସତ୍ୟତା ରହିଛି? ଇଂରାଜୀରେ ଲେଖିଲେ କଣ ଜଣକୁ ଅନ୍ତର୍ଜାତୀୟ ଲେଖକ କୁହାଯିବ?
ଏଥିରେ ବହୁତ୍ କମ୍ ସତ୍ୟତା ଅଛି । ଇଂରାଜୀରେ ଲେଖିଲେ ଜଣକୁ ଅନ୍ତର୍ଜାତୀୟ ଲେଖକ କୁହାଯିବା ଆବଶ୍ୟକ ନୁହେଁ । ଯେପରି କବିତା ତାର ନିଜ ଛନ୍ଦ ଓ ଆକାର ନେଇ ଆସେ, ସେହିପରି କବିତା ତାର ପାଠକମାନଙ୍କୁ ଆକୃଷ୍ଟ କରିଥାଏ । ଜଣେ ଓଡ଼ିଆ କିମ୍ବା ଯେ କୌଣସି ଅନ୍ୟ ପ୍ରାଦେଶିକ ଭାଷାରେ ଲେଖି ମଧ୍ୟ ଅନ୍ତର୍ଜାତୀୟ ଲେଖକ ହୋଇପାରେ । ଏହିଠାରେ ମୁଁ ଗୋଟିିିିଏ କଥା କହିବାକୁ ଚାହୁଁଛି ଯେ ଅନ୍ତର୍ଜାତୀୟ ହେବା ପଛରେ ଅନୁବାଦକମାନଙ୍କର ଅବଦାନ ବହୁତ ରହିଛି ।

କବିତାରେ କବିର ବାସ୍ତବ ପ୍ରତିଫଳନ ଦେଖିବାକୁ ମିଳେ କି? ନା ସ୍ୱପ୍ନର?
ମୁଁ ଯେତେଦୂର ଜାଣେ କବିତାରେ ବାସ୍ତବର ପ୍ରତିଫଳନ ହିଁ ବେଶି ଦେଖାଯାଇଥାଏ । ତା’ମାନେ ନୁହେଁ ଯେ ସବୁ କବିତା ସ୍ୱପ୍ନହୀନ । ବାସ୍ତବ ସ୍ୱପ୍ନସ୍ତରକୁ ଯାଇପାରେ ଏବଂ ସ୍ୱପ୍ନ ବାସ୍ତବ ସ୍ତରକୁ ଓହ୍ଲାଇ ଆସେ । ଗୋଟିଏ ଅନ୍ୟଟିର ପରିପୂରକ ।

ଆପଣଙ୍କ ପାଇଁ କବିତା କ’ଣ? କିପରି? କାହିଁକି?
ମୋ’ ପାଇଁ କବିତା ଜୀବନର ସମ୍ପ୍ରସାରଣ । ବୋଧହୁଏ, ପ୍ରତ୍ୟେକ ଦିନ ବହୁବାର କୌଣସି ବସ୍ତୁରେ ବା ଘଟଣାରେ ଆମେ କବିତା ଦେଖୁଥିବା ପରି ମନେହୁଏ କିନ୍ତୁ ଆମେ ହୁଏତ ତାକୁ ଧରି ରଖି ପାରି ନ ଥାଉ, ଶୁଣାଯାଏ ବିଖ୍ୟାତ୍ ଗାଳ୍ପିକ ଚେକଭ୍‍ ପ୍ରତ୍ୟେକ ବସ୍ତୁ ଓ ଘଟଣାରେ ଏକ ଗଳ୍ପ ଦେଖିପାରୁଥିଲେ ।

ଓଡ଼ିଆ କବିତା ପଢ଼ନ୍ତି କି? ସାମ୍ପ୍ରତିକ ଓଡ଼ିଆ କବିତା ଆପଣଙ୍କୁ କିପରି ଲାଗୁଛି? କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି କି ଆଗ ଅପେକ୍ଷା?
ହଁ, ମୁଁ ଓଡ଼ିଆ କବିତା ବହୁତ ପଢେ଼, ପଢ଼ି ଆସୁଛି । ସାମ୍ପ୍ରତିକ ଓଡ଼ିଆ କବିତା ମୋତେ ଖୁବ୍ ଭଲ ଲାଗୁଛି । ଅନେକଟା ପରବର୍ତ୍ତନ ମଧ୍ୟ ମୁଁ ଲକ୍ଷ୍ୟ କରୁଛି । କିନ୍ତୁ ମୁଁ ଠିକ୍ ଭାବରେ କହିପାରୁନି ଏହି ପରିବର୍ତ୍ତନ କ’ଣ । ମୋତେ ଲାଗୁଛି, କବିତା ପୂର୍ବ ଅପେକ୍ଷା ଅଧିକ ସରଳ ହୋଇଯାଇଛି ।

କବିତାଟିଏ ସବାର୍ ହେଲେ ଆପଣଙ୍କ ଭିତରେ କି କି ଲକ୍ଷଣ ଦେଖିବାକୁ ମିଳେ?
କବିତାଟିଏ ସବାର୍ ହେଲେ ମୋତେ ଖୁବ୍ ଅସ୍ଥିର ଲାଗେ । କୌଣସି ଜାଗାରେ ବସି ହୁଏନା । ବୋଧହୁଏ ଅନ୍ୟମନସ୍କ ବି ଲାଗେ । ମୋର ପତ୍ନୀ କୁହନ୍ତି ଯେ ଗୋଟିଏ ପ୍ରଶ୍ନକୁ ତିନିଚାରି ଥର ପଚାରିଲେ ବି ଉତ୍ତର ମିଳେ ନାହିଁ । ବେଳେବେଳେ ଯଦି ଘର ବାହାରେ ଥାଏ, ତୁରନ୍ତ ଘରକୁ ଫେରିଯିବାକୁ ଇଚ୍ଛା ହୁଏ । କେବେକେବେ କୌଣସି କାରଣ ନ ଥାଇ ରାଗିଯାଏ ।

ସମାଜରେ କବିତାର ଆବଶ୍ୟକତା କ’ଣ? କବିତା ଜଣକୁ କେମିତି ସମ୍ଭାଳି ପାରିବ ବୋଲି ଭାବନ୍ତି?
କବିତା ବିନା ସଂସାର ଅପୂର୍ଣ୍ଣ, ଯେପରିକି ବଗିଚା ବିନା ଘର ଅସମ୍ପୂର୍ଣ୍ଣ । ଭଲ କବିତା କବିର ଏକ ନିଭୃତ କୋଣରୁ ଆସିଥାଏ, ଏପରିକି ଏ ବିଷୟରେ କବି ନିଜେ ମଧ୍ୟ ଅଜ୍ଞ ଥାଏ । କେତେ ଜଣଙ୍କ ମତ ଯେ କବିତା ଯଦି ସମାଜର ପରିବର୍ତ୍ତନ ନ ଆଣିଲା, ତେବେ ସେ କବିତାର କିଛି ମୂଲ୍ୟ ନାହିଁ । ମୁଁ ଅବଶ୍ୟ ସେ ପ୍ରକାର କବିତା ଖୁବ୍ କମ୍ ଲେଖିଛି ଏବଂ ଇଚ୍ଛା କରୁଛି ଯେ କୌଣସି କବି ସମାଜ ଦ୍ୱାରା ବାନ୍ଧି ହୋଇଯାଆନ୍ତୁ ନାହିଁ । ଏହି କାମ ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଦ୍ୱାରା କରାଯାଇପାରେ । କବିତାର ଅନୁଭୂତି ଏକ ଅଦ୍ଭୁତ ଓ ଅପରିଚିତ ଜଗତର, ଯେଉଁଠାରେ ମନ ପହଞ୍ଚି ନ ପାରେ କିନ୍ତୁ ଏକ ବିଚିତ୍ର ଭାବରେ ଅନୁଭବ କରାଯାଇପାରେ ।

କବିତାକୁ ନେଇ କବିର ଶ୍ରେଷ୍ଠତମ ଅଭିଳାଷ କଣ ହେଇପାରେ?
ଶ୍ରୀ ଅରବିନ୍ଦଙ୍କର କଥା ମନେପଡେ଼ । ତାଙ୍କ ବହି ‘ଫ୍ୟୁଚର ପୋଏଟ୍ରି’ର ଶେଷ ଅଧ୍ୟାୟରେ ସେ କହିଛନ୍ତି ଯେ ଏକ ସମୟ ଆସିବ, ଯେତେବେଳେ କବିତା ମନ୍ତ୍ର ସ୍ତରକୁ ଉନ୍ନୀତ ହେବ । ଏହା ହିଁ କବିର ଶ୍ରେଷ୍ଠତମ ଅଭିଳାଷ ବୋଲି କୁହାଯାଇପାରେ ।

Leave A Reply

Your email address will not be published.