Latest Odisha News

BREAKING NEWS

ପଥର

ସଂଗ୍ରାମ ଜେନା ଓଡ଼ିଆ କବିତା ଓ ଅନୁବାଦ କ୍ଷେତ୍ରରେ ଏକ ପ୍ରସିଦ୍ଧ ନାମ । ଅନୁବାଦ ପାଇଁ କେଂଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଡ. ଜେନାଙ୍କର ଏକ କବିତା ପଢ଼ିବା ଆସନ୍ତୁ

ପଥର
ସଂଗ୍ରାମ ଜେନା

କ’ଣ ପାଇଁ ସେ
ବାଟରେ ଯାଉଁ ଯାଉଁ ଝୁଣ୍ଟୁଥିଲେ
ଏଇ ଅଲୋଡ଼ା ପଥରଟାକୁ ।

ଶାସ୍ତ୍ର, ପୁରାଣ, ଜନଶ୍ରୁତି ସବୁ କହେ
ପାପିନୀ ଅହଲ୍ୟାର ମୁକ୍ତିହେଲା
ତାଙ୍କର ପବିତ୍ର ପାଦସ୍ପର୍ଶରେ ।

ତେବେ ସେଦିନ
ଇନ୍ଦ୍ରଙ୍କର ସ୍ପର୍ଶ କ’ଣ ଥିଲା
ଛଳନା ନା ପ୍ରତାରଣା?

ପ୍ରେମରେ ପ୍ରତ୍ୟୟ ଥିଲେ
ସ୍ପର୍ଶ ଯାହାର ବା ହେଉ
କିଛି ଯାଏ ଆସେନା ।

ସମଗ୍ର ପ୍ରେମକୁ ପାପ କହି
କି ମୁକ୍ତି ଦେଲା ସମାଜ ତାକୁ ।
ପ୍ରାଣହୀନ ସମ୍ପର୍କଠାରୁ
ପ୍ରେମର ଛଳନା ଅଧିକ ଅନ୍ତରଙ୍ଗ ।

ପଥରରୁ, ନାରୀ ହେବା ପରେ
ସେ ଆଉ କାହାର ହୋଇ ରହିଲା
ନା ପତିର ନା ପ୍ରେମିକର ।

ବରଂ କିଛି ମୁହୂର୍ତ୍ତର ସ୍ମୃତିକୁ ନେଇ
ଅବଶିଷ୍ଟ ଜୀବନ ବଞ୍ଚିହୁଏ
ପଥରଟେ ହୋଇ ।

Leave A Reply

Your email address will not be published.