Latest Odisha News

BREAKING NEWS

ଏଣିକି ରେଶମ ପୋକ ନ ମାରି ପ୍ରସ୍ତୁତ କରାଯିବ ଗୀତ ଗୋବିନ୍ଦ ପାଟ

ପୁରୀ: ରେଶମ ପୋକ ନ ମାରି ପ୍ରସ୍ତୁତ ହୋଇଥିବା ବସ୍ତ୍ର ଏଣିକି ଶ୍ରୀମନ୍ଦିରରେ ବ୍ୟବହାର କରାଯିବ । ପରୀକ୍ଷା ମୂଳକ ଭାବେ ପ୍ରଥମେ ରେଶମ ପୋକକୁ ନ ମାରି ୮୮ ମିଟର ଲମ୍ବର ଗୀତ ଗୋବିନ୍ଦ ପାଟ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହି ୮୮ ମିଟର ଲମ୍ବର ଗୀତଗୋବିନ୍ଦ ପାଟ ପ୍ରସ୍ତୁତ ନେଇ ୪ ରୁ ୭ ଲକ୍ଷ ପୋକ ମାରିବାକୁ ପଡୁଥିଲା । ଏବେ ରେଶମ ପୋକ ନ ମାରି ରେଶମ ବସ୍ତ୍ର ଶ୍ରୀମନ୍ଦିରରେ ବ୍ୟବହାର ହେବ । ସୋମବାର ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧକ୍ଷତାରେ ନୀଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି ।

ହସ୍ତତନ୍ତ୍ର ନିର୍ଦ୍ଦେଶାଳୟ ସହଯୋଗରେ ନୂତନ ଓ ବୈଜ୍ଞାନିକ ଶୈଳୀରେ ଏହାକୁ ସାତ୍ୱିକ ରେଶମ ବୋଲି ନାମ ଦିଆଯିବ । ଏଥିସହିତ ଏହି ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନିତୀ ସବକମିଟି ଓ ଛତିଶା ନିଯୋଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ନିତୀନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ସ୍ନାନଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଚ୍ଛିନ ଦର୍ଶନ ଚାଲୁ ରହିବ । ସ୍ନାନବେଦୀରେ ଅବରୋଧମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ସ୍ନାନବେଦୀରେ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

୨୦୨୪ – ୨୫ ବର୍ଷ ସୁଦ୍ଧା ସେବାୟତ ପିଲାଙ୍କ ପାଇଁ ଆବଶ୍ୟକୀୟ ଗୁରୁକୁଳ ନିର୍ମାଣ କରାଯିବ । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଠିକ ସମୟରେ ସରିବ ବୋଲି କାର୍ଯ୍ୟକାରୀ ଅଧକ୍ଷ ସୂଚନା ଦେଇଛନ୍ତି । ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓ ଜରିଆରେ ବାରମ୍ବାର ବୈଠକ ହୋଇ ସମୀକ୍ଷା କରାଯିବ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.