ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାକିରିଆଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର। ଏବେ ଆପଣ ଗୁଗଲ୍ ପେ, ଫୋନ୍ ପେ କିମ୍ବା ପେଟିଏମ୍ ଭଳି UPI ଆପ୍ ମାଧ୍ୟମରେ ମାତ୍ର କେଇ ଘଣ୍ଟା ଭିତରେ ନିଜ ପିଏଫ୍ ଖାତାରୁ ଟଙ୍କା ଉଠାଇ ପାରିବେ। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସୂଚନା ଅନୁସାରେ, ଏହି ନୂଆ ବ୍ୟବସ୍ଥାର ସଫଳ ପରୀକ୍ଷଣ ସରିଛି ଏବଂ ଏହା ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି।
ପିଏଫ୍ ଟଙ୍କା ଉଠାଇବା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ କି କମ୍ପାନୀର ଚକ୍କର କାଟିବାକୁ ପଡ଼ିବ ନାହିଁ। EPFO 3.0 ବ୍ୟବସ୍ଥାରେ ପିଏଫ୍ ଉଠାଣ ପ୍ରକ୍ରିୟାକୁ ଏବେ ଅତି ସହଜ କରାଯାଇଛି। ପୂର୍ବରୁ ଯେଉଁଠି ଟଙ୍କା ଆସିବାକୁ ଅନେକ ଦିନ ଲାଗୁଥିଲା, ଏବେ ନୂଆ ସିଷ୍ଟମରେ କିଛି ଘଣ୍ଟା କିମ୍ବା କେଇ ଦିନ ଭିତରେ ଟଙ୍କା ସିଧା ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଯିବ।
ଏହି ନୂଆ ବ୍ୟବସ୍ଥାରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି। ଯେପରିକି:
UPI ଜରିଆରେ ସିଧାସଳଖ PF ଟଙ୍କା ଉଠାଣ।
ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର EPFO ATM କାର୍ଡର ସୁବିଧା।
₹୫ ଲକ୍ଷ ପର୍ଯ୍ୟନ୍ତ କ୍ଲେମ୍ର ଅଟୋ-ସେଟଲମେଣ୍ଟ।
ଏବଂ ଟଙ୍କା ଉଠାଇବା ପାଇଁ ନିଯୁକ୍ତିଦାତାଙ୍କ ମଞ୍ଜୁରୀର ଆବଶ୍ୟକତା ହ୍ରାସ।
UPI ରୁ କେମିତି ଉଠିବ ଟଙ୍କା ?
ପ୍ରଥମେ EPFO ପୋର୍ଟାଲ୍କୁ ଯାଇ ଲଗ୍-ଇନ୍ କରିବେ।
ଉଠାଣ ଯୋଗ୍ୟ ରାଶି ଯାଞ୍ଚ କରି “Withdraw via UPI” ଅପ୍ସନ ବାଛିବେ।
ଏହାପରେ ନିଜର UPI ID ଦେଇ, ଆଧାର OTP (Aadhaar OTP) ଜରିଆରେ ଯାଞ୍ଚ ପ୍ରକ୍ରିୟା ଶେଷ କରିବେ।
ଏହାପରେ ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଆସିବ।
କେବଳ ସେତିକି ନୁହେଁ, EPFO ଏବେ ନିଜ ସଦସ୍ୟମାନଙ୍କ ପାଇଁ ବ୍ୟାଙ୍କ ଡେବିଟ୍ କାର୍ଡ ଭଳି ଏକ ସ୍ୱତନ୍ତ୍ର ‘EPFO ATM କାର୍ଡ’ ଆଣିବାକୁ ଯୋଜନା କରୁଛି, ଯାହା ଦ୍ୱାରା ଆବଶ୍ୟକ ସମୟରେ ତୁରନ୍ତ ଟଙ୍କା ଉଠାଯାଇପାରିବ। ସେହିପରି ଯଦି ଆପଣଙ୍କର UAN ନମ୍ବର ଆଧାର ସହିତ ଲିଙ୍କ୍ ଅଛି ଏବଂ KYC ଅପଡେଟ୍ ଅଛି, ତେବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନେକ କ୍ଲେମ୍ କୌଣସି ମାନୁଆଲ୍ ଯାଞ୍ଚ ବିନା ସ୍ୱୟଂଚାଳିତ ଭାବେ ଅଟୋ-ସେଟଲ୍ ହୋଇଯିବ।
ଟଙ୍କା ଉଠାଇବା ପୂର୍ବରୁ କଣ ଯାଞ୍ଚ କରିବେ ?
ଆପଣଙ୍କ UAN ନମ୍ବର ଆକ୍ଟିଭ୍ ଥିବା ଜରୁରୀ।
UAN ସହ ଆଧାର (Aadhaar) ଏବଂ PAN କାର୍ଡ ଲିଙ୍କ୍ ଥିବା ଆବଶ୍ୟକ।
ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ସହ ମୋବାଇଲ୍ ନମ୍ବର ସଂଯୋଗ ହୋଇଥିବା ଉଚିତ୍।
କମ୍ପାନୀ ଚାକିରି ଛାଡ଼ିବା କିମ୍ବା ମେଡିକାଲ୍ ଏମରଜେନ୍ସି, ବିବାହ, ଘର ତିଆରି ଭଳି ସ୍ଥିତିରେ ଏହି ଆଂଶିକ ଓ ପୂର୍ଣ୍ଣ ପିଏଫ୍ ଉଠାଣ ନିୟମ କର୍ମଚାରୀଙ୍କ ପାଇଁ ବହୁତ ଲାଭଦାୟକ ହେବ। ଗ୍ରାହକମାନେ ଉମଙ୍ଗ (UMANG) ଆପ୍, ଏସଏମଏସ କିମ୍ବା ମିସ୍ଡ କଲ୍ ଜରିଆରେ ନିଜ କ୍ଲେମ୍ର ଷ୍ଟାଟସ୍ ମଧ୍ୟ ଚେକ୍ କରିପାରିବେ। ଏହି ନୂଆ ଡିଜିଟାଲ୍ ସଂସ୍କାର ଫଳରେ ଏବେ ଦେଶର କୋଟି କୋଟି କର୍ମଚାରୀ ଉପକୃତ ହେବେ।