Latest Odisha News

BREAKING NEWS

ନିର୍ବାଚନ କମିଶନଙ୍କୁ ଦୋଷ ଦେଲେ ଅଖିଳେଶ ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଉତ୍ତର ପ୍ରଦେଶ ବିଧାନସଭା ଏବଂ ଉପ ନିର୍ବଚାନରେ ହାରିବା ପରେ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ନିର୍ବାଚନ ଆୟୋଗଙ୍କ ଅସାଧୁତା ପାଇଁ ତାଙ୍କ ଦଳ ସରକାର ଗଠନ କରିପାରିନଥିବା ସେ ଅଭିଯୋଗ କରିଛନ୍ତି ।  ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ  ନିର୍ବାଚନ ଆୟୋଗର ଅସାଧୁତା ଏବଂ ବିଜେପିକୁ ସହଯୋଗ  ପାଇଁ ସମାଜବାଦୀ ପାର୍ଟି ୟୁପି ନିର୍ବାଚନରେ ​​ହାରିଗଲା ।  ଅଖିଳେଶ ଯାଦବ କହିଛନ୍ତି ଦେଶରେ ସବୁ ଅନୁଷ୍ଠାନ ଏବେ ବିଜେପି ଇଙ୍ଗିତରେ ଚାଲିଛି । ଏପରିକି କୈାଣସି ଅନୁଷ୍ଠାନ ଦେଶରେ ନିରପେକ୍ଷ ଅନୁଷ୍ଠାନ ହୋଇ ରହିନଥିବା  ସେ ଅଭିଯୋଗ କରିଛନ୍ତି । ବିଜେପି ଯାହା କହୁଛି ଏହି ଅନୁଷ୍ଠାନଗୁଡ଼ିକ  ଚାପରେ ସେ ସବୁ କାର୍ଯ୍ୟ କରୁଥିବା ଅଖିଳେଶ ଅଭିଯୋଗ କରିଛନ୍ତି ।

ଜାତୀୟ ଗଣମାଧ୍ୟମକୁ ଅଖିଳେଶ ଯାଦବ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଗତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ବିଜୟୀ ହୋଇ ସରକାର ଗଠନ କରିଥାନ୍ତା । କିନ୍ତୁ କରିପାରିଲା ନାହିଁ । ସେହିପରି  ରାମପୁର ଏବଂ ଆଜମଗଡ ଲୋକସଭା ଆସନରେ ସପାପ୍ରାର୍ଥୀ ବିଜୟୀ ହୋଇଥାନ୍ତେ, କିନ୍ତୁ ହୋଇପାରିଲେ ନାହିଁ । ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନରେ ​​ଏସପି ର ପରାଜୟ ପାଇଁ ନିର୍ବାଚନ ଆୟୋଗ ହିଁ ମୁଖ୍ୟତ ଦାୟୀ ବୋଲି କହିଛନ୍ତି ଏସପି ନେତା ।  ଯଦି କମିଶନ ସଚ୍ଚୋଟ ଭାବରେ କାମ କରିଥାନ୍ତେ  ତେବେ ସବୁ  ଫଳାଫଳ ଅଲଗା ହୋଇଥାନ୍ତା ଏବଂ ଆଜି ତାଙ୍କର ସରକାର ଶାସନ କରୁଥାନ୍ତା  ବୋଲି ଅଖିଳେଶ କହିଛନ୍ତି ।

ଅଖିଳେଶ କହିଛନ୍ତି ଯେ ନିର୍ବାଚନ ଆୟୋଗ  ଅସାଧୁ କାର୍ଯ୍ୟରେ ଲିପ୍ତ ରହିଲେ। ବହୁ ସଂଖ୍ୟକ ଭୋଟରଙ୍କ ନାମ ନିର୍ବାଚନ ତାଲିକାରୁ ହଟାଇ ଦିଆଯାଇଥିଲା। ରାମପୁର ଲୋକସଭା ଉପ-ନିର୍ବାଚନରେ ​​ଏସପି କର୍ମୀଙ୍କୁ ଭୋଟ୍ ଦେବାକୁ ବି ଅନୁମତି ଦିଆଯାଇନଥିଲା । ଆଜମଗଡରେ ଏସପି କର୍ମଚାରୀଙ୍କୁ ଭୋଟ ଦେବାକୁ ଦିଆଗଲାନାହିଁ । ନିର୍ବାଚନ କମିଶନର ଜାଣତରେ ଏସବୁ ହେଉଥିଲା । ଆମ ନେତା ଏବଂ କର୍ମୀମାନେ ଯେତେ ଅଭିଯୋଗ କଲେ ତା ପ୍ରତି ଧ୍ୟାନ ଦିଆଗଲାନାହିଁ ବୋଲି ଅଭିଯୋଗ କରିଛନ୍ତି ଅଖିଳେଶ ।

ଏହା ସହିତ ଅଖିଳେଶ ଆଶା ପ୍ରକଟ କରିଛନ୍ତି ଯେ 2024 ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ସବୁ ବିରୋଧୀ ଦଳ ଏକଜୁଟ ହେବେ । ଯାହା କି ସରକାର ପରିବର୍ତ୍ତନକୁ ଏକ ସକରାତ୍ମକ ସଙ୍କେତ ଦେବ ବୋଲି ସେ କହିଛନ୍ତି ।  ସେ ଦାବି କରିଛନ୍ତି ଯେ ଉତ୍ତରପ୍ରଦେଶରେ ମଧ୍ୟ ବିହାର ଭଳି ବିଜେପିକୁ ଧକ୍କା ମିଳିବ । ୟୁପିରେ ବିଜେପିର ଯେଉଁମାନେ ଏବେ ସହଯୋଗୀ ଦଳ ଅଛନ୍ତି ସେମାନେ ବିଜେପିଠୁ ଆଗାମୀ ଦିନରେ ଅଲଗା ହେବେ ବୋଲି ଅଖିଳେଶ କହିଛନ୍ତି ।

ଏହା ସହ ଆସନ୍ତା ଲୋକସଭା ନିର୍ବାଚନରେ ​​ବିଜେପି ବିରୋଧରେ ଏକ ଦୃଢ଼ ବିରୋଧୀ ମେଂଟ  ପ୍ରସ୍ତୁତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅପନା ଦଳ, ଏବଂ ନିଶାଦ ପାର୍ଟି ଉତ୍ତରପ୍ରଦେଶରେ ବିଜେପିର ସହଯୋଗୀ ଦଳ ଭାବେ ଏବେ ସରକାରକୁ ସହଯୋଗ କରୁଛନ୍ତି। 2024 ଲୋକସଭା ନିର୍ବାଚନରେ ​​ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ଶରଦ ପାୱାରଙ୍କ ସହ ଆଲୋଚନା ହୋଇ ଏକ  ବିକଳ୍ପ ମେଂଟ ଉପରେ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ 2019 ମସିହାରେ ଏସପି, ବହୁଜନ ସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଉତ୍ତରପ୍ରଦେଶର 80 ଟି ଲୋକସଭା ଆସନରେ ଏକାଠି ନିର୍ବାଚନ ଲଢ଼ିଥିଲେ। ଫଳାଫଳ ପରେ ବିଏସପି 10 ଟି ଆସନ ପାଇଥିଲା ଏବଂ ଏସପି 5ଟି ଆସନ ପାଇଥିବା ବେଳେ ଆରଏଲଡି ଜମାରୁ ଜିତିପାରିନଥିଲା । ଏପରିକି  ଗତ ଜୁନ୍ ମାସରେ ରାମପୁର ଏବଂ ଆଜମଗଡ ଲୋକସଭା ଉପନିର୍ବାଚନ ହାରିବା ପରେ ଏସପି ସଦସ୍ୟଙ୍କ ସଂଖ୍ୟା ଲୋକସଭାରେ ତିନିକୁ ଖସି ଆସିଛି। ତେଣୁ ଆଗାମୀ ଦିନରେ ଉତ୍ତରପ୍ରଦେଶରେ ଏସପି କୁ ଲୋକେ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.