Latest Odisha News

ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ଥିଲେ ଉଦ୍ଧବ ସରକାର, ଇସ୍ତଫା ଦେବା ପରେ ସାମ୍ନା କରିବେ କି ଚ୍ୟାଲେଞ୍ଜ?

ମୁମ୍ବାଇ: ଉଗ୍ର ହିନ୍ଦୁତ୍ୱର ଆଭିମୁଖ୍ୟ ରଖୁଥିବା ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ପରେ ପ୍ରଥମରୁ ବିବାଦ ଘେରକୁ ଆସିଥିଲା। କାରଣ ନିଜର ଘୋର ବିରୋଧୀ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରି କ୍ଷମତାରେ ବସିଥିଲା ଶିବସେନା। କିନ୍ତୁ ଅଢେଇ ବର୍ଷର ଶାସନ କାଳ ଭିତରେ ଶିବସେନାର ମୂଳ ନୀତି ଆଦର୍ଶକୁ ନେଇ ପ୍ରଶ୍ନ ଉଠାଇଥିଲା ବିରୋଧୀ ବିଜେପି।

ନିଜର ଅଢେଇ ବର୍ଷର ସରକାର ଭିତରେ ମହାରାଷ୍ଟ୍ରରେ ପାଲଘରରେ ସାଧୁଙ୍କୁ ପିଟି ପିଟି ନିର୍ମମ ହତ୍ୟା କରାଯାଇଥିବାର ଅଭିଯୋଗ ରହିଛି। ହେଲେ ଏପରି ଅଭିଯୋଗର ସତ୍ୟତାକୁ ଜାଣିବା ପରିବର୍ତ୍ତେ ନିରବ ରହିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ। ଯାହା ନିଜର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ତିଆରି କରିଥିଲା ବୋଲି କୁହାଯାଏ।

ସେହିପରି ମିଡିଆ ବିରୋଧରେ ଅଭିଯାନ ଚଳାଇବା। ରିପବ୍ଲିକ ଟିଭିର ସଂପାଦକଙ୍କୁ ଏକ ପୁରୁଣା ମାମଲାରେ ଘରୁ ପୁଲିସ ଉଠାଇ ଆଣି ଗିରଫ କରିବା ପରେ ସୁପ୍ରିମକୋର୍ଟରେ କଡା ସମାଲୋଚନାର ଶିକାର ହୋଇଥିଲେ ଉଦ୍ଧବ ସରକାର । ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଉଦ୍ଧବ ସରକାରକୁ ସମାଲୋଚନା କରିବା ପରେ କଙ୍ଗନାଙ୍କ ଘରକୁ ବେଆଇନ କହି ଉଦ୍ଧବ ସରକାର ପ୍ରଶାସନ ଜରିଆରେ ଘର ଭାଙ୍ଗିଥିଲେ। ପରେ ନ୍ୟାୟାଳୟ ସରକାରର ଏପରି ଆଭିମୁଖ୍ୟ ପାଇଁ କଙ୍ଗନାଙ୍କୁ କ୍ଷତିଭରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାବାଦ କରୋନା ବେଳେ ସବୁଠୁ ଚର୍ଚ୍ଚାରେ ଥିଲା ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା। ଯେଉଁ ମାମଲାରେ ଅନେକ ନେତା ମନ୍ତ୍ରୀଙ୍କ ସଂପୃକ୍ତି ପରୋକ୍ଷରେ ରହିଥିବା କୁହାଯାଏ। ଆଉ ଏହି ମାମଲା ସିବିଆଇ ତଦନ୍ତ କରୁ ବୋଲି ଦାବି ହେବା ପରେ ସରକାର ସମସ୍ତ ପ୍ରକାର ପ୍ରୟାସ କରି ସିବିଆଇକୁ ହସ୍ତାନ୍ତର ନକରିବାକୁ ପ୍ରୟାସ କରିଥିଲେ। ପରେ ବିଫଳ ହୋଇଥିଲେ। ଏହି ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟା, ମେଡିକାଲ ରିପୋର୍ଟ ଆଦି ସନ୍ଦେହ ଘେରରେ ରହିଛି। ଯାହାର ରିପୋର୍ଟ ଏଯାବତ ସାର୍ବଜନୀନ ହୋଇନି।

ସେହିପରି ସୁଶାନ୍ତଙ୍କ ମୃତ୍ୟୁ ବେଳେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଏବେ ଅନେକ ବଲିଉଡ କଳାକାର ଥିବା ଚର୍ଚ୍ଚା ହୁଏ। ହେଲେ ମହାମେଣ୍ଟ ସରକାରର ସମର୍ଥନ ପାଇଁ ତଦନ୍ତକାରୀ ସଂସ୍ଥାର ରାଡାରରୁ ଏହିସବୁ ବ୍ୟକ୍ତିବିଶେଷ ବର୍ତ୍ତିଯାନ୍ତି ବୋଲି କୁହାଯାଏ। ଏହାବାଦ ବିଭିନ୍ନ ସମୟରେ ପୁଲିସ ଆସି ବିଜେପି ନେତା ଏବଂ ସମର୍ଥକଙ୍କୁ ହଇରାଣ କରିବା ସହିତ ଧମକ ଚମକ ଦେଉଥିବାର ଅଭିଯୋଗ ରହିଛି।

ସେହିପରି ଜମି ଦୁର୍ନୀତି ମାମଲାରେ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତଙ୍କୁ ଇଡି ଏବେ ସମନ କରି ସାରିଛି। ରାଜ୍ୟରେ ସରକାର ବଦଳିବାକୁ ଯାଉଥିବାରୁ ସଞ୍ଜୟଙ୍କ ପାଇଁ ଅଭିଯୋଗକୁ ଏଡାଇଯିବା ଏତେ ସହଜ ହେବନି। ନିକଟରେ ଦଳର ଏକନାଥ ଗୋଷ୍ଠୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ ସଞ୍ଜୟ। କିନ୍ତୁ ସେହି ଏକନାଥ ନୂଆ ସରକାରରେ ବେଶ ପ୍ରଭାବଶାଳୀ ହେବେ ବୋଲି ସୂଚନା ରହିଛି। ତେଣୁ ସଞ୍ଜୟ ବିଭିନ୍ନ ସମୟରେ ନେତା ମାନଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଟିକା ଟିପ୍ପଣୀ କରିବା ଏବେ ମହଙ୍ଗା ପଡ଼ିପାରେ।

ସେହିପରି ନବାବ ମଲ୍ଲିକ, ଅନୀଲ ଦେଶମୁଖ ଭଳି ନେତା ଏବେ ଜେଲ ଚାରି କାନ୍ଥ ଭିତରେ ଦୀର୍ଘଦିନ ହେବ ରହିଲେଣି। ତେଣୁ ଏହିସବୁ ନେତା କିପରି ପଦ ହରାଇବା ସେ ଦିଗରେ ନୂଆ ସରକାର ପଦକ୍ଷେପ ନେଇପାରେ।

ଉଲ୍ଲେଖଯୋଗ୍ୟ, ଶିବସେନା ବିରୋଧୀ ଏନସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଢିଥିବାରୁ ଦଳର ଅଧିକାଂଶ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ଯେଉଁ ପ୍ରସଙ୍ଗରେ ଶିବସେନା ମୁହଁ ଖୋଲୁଥିଲା ସରକାର ଗଢିବା ପରେ ସମାନ ପ୍ରସଙ୍ଗରେ ଓଲଟା ଆଭିମୁଖ୍ୟ ରଖିବାରୁ ଦଳର ଅନେକ ବିଧାୟକ ଉଦ୍ଧବଙ୍କୁ ସମର୍ଥନ ନକରି ଏକନାଥ ସିନ୍ଦେଙ୍କୁ କରିଛନ୍ତି।

Leave A Reply

Your email address will not be published.