ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୮ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ,ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯେଭଳି ସର୍ବବ୍ୟାପୀ, ସେଭଳି ସର୍ବନାମ ମଧ୍ୟ ।
ତେଣୁ ସମୟ ସମୟରେ, ନାରାୟଣ, ଗୋବିନ୍ଦ, ବାସୁଦେବ, ହୃଷିକେଶ, ବିଷ୍ଣୁ, ହରି ଓ ସର୍ବୋପରି ଜଗନ୍ନାଥ, ଜଗମୋହନ, ଜଗଦୀଶ, ଚକାନୟନ, କାଳିଆଠାକୁର, ରଙ୍ଗାଧର, ମହାବାହୁ, ଦୀନବନ୍ଧୁ, କୃପାସିନ୍ଧୁ ଇତ୍ୟାଦି ଅନେକ ଭାବରେ ଭକ୍ତ କଣ୍ଠରେ ଉଚ୍ଚାରିତ ହୁଅନ୍ତି। ଭକ୍ତ ତାର ନିଜସ୍ୱ ଭାବନା ଅନୁସାରେ ପ୍ରଭୁଙ୍କର ନାମ ନେଇଥାଏ । ତଥାପି ଏହିସବୁ ନାମ ମଧ୍ୟରେ ଅନେକ ନାମ କିଛି ତାତ୍ୱିକ ବିଶେଷତ୍ୱ ଥିବାରୁ ଏଠାରେ ଆଲୋଚନା କରୁଛି  । ଭାଗବତର ଉକ୍ତି ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ ।

ତେବେ ପ୍ରଥମେ ଗୋବିନ୍ଦ -ଗୋ +ବିନ୍ଦ ଶରୀର ତତ୍ତ୍ୱ ହିସାବରେ ବିବେଚନା କଲେ ଗୋ ଅର୍ଥ ଗାଈ ନହୋଇ ଏଠାରେ ଇନ୍ଦ୍ରିୟ ହେବ । ସେହିପରି ବିନ୍ଦ ଶବ୍ଦ ପାଳକ ନହୋଇ ବିନ୍ଦୁ ବା କେନ୍ଦବିନ୍ଦୁ ହିସାବରେ ଗ୍ରହଣ କଲେ ଗୋବିନ୍ଦ ଆମ ଇନ୍ଦ୍ରିୟମାନଙ୍କର କେନ୍ଦ୍ରବିନ୍ଦୁ ବା ଶକ୍ତି ଦାତା ଆତ୍ମା ରୂପୀ ଶ୍ରୀଜଗନ୍ନାଥ । କାରଣ ଶରୀରର ଇନ୍ଦ୍ରିୟ ଗଣ ଆତ୍ମା ବିହୁନରେ ସମ୍ପୂର୍ଣ ଅଚଳ, ଅନ୍ୟ ଅର୍ଥରେ କହିଲେ ଗୋବିନ୍ଦ ରୂପେ ଆମ ପାଞ୍ଚ କର୍ମ ଇନ୍ଦ୍ରିୟ ଓ ପାଞ୍ଚ ଜ୍ଞାନ ଇନ୍ଦ୍ରିୟ ମାନଙ୍କର ନିୟନ୍ତ୍ରଣ କର୍ତ୍ତା ହେଲେ ସ୍ୱୟଂ ଶ୍ରୀଜଗନ୍ନାଥ (ଗୋବିନ୍ଦ ସ୍ୱରୂପ )ବା ଆତ୍ମା ରୂପୀ କୃଷ୍ଣ ।

ହୃଷିକେଶ -ସେହି ଭାଗବତ କହେ ଇନ୍ଦ୍ରିୟ ଗଣମାନଙ୍କର ଯେଣୁ ଅଟନ୍ତି ସର୍ବେଶ୍ୱର, ତେଣୁ ହୃଷିକେଶ ବୋଲାନ୍ତି, ମହିମା କେହି ନଜାଣନ୍ତି । ଏଠାରେ ହୃଷିକ +ଇଶ =ହୃଷିକେଶ ହୃଷିକ ଅର୍ଥ ବି ଇନ୍ଦ୍ରିୟ ଓ ଇଶ ଅର୍ଥ ଈଶ୍ୱର ବା ମାଲିକ । ସାମଗ୍ରିକ ଭାବରେ ହୃଷିକେଶମାନେ ଇନ୍ଦ୍ରିୟମାନଙ୍କ ଈଶ୍ୱର, ସେ ଆଉ କେହି ନୁହନ୍ତି ସେହି ଆତ୍ମା ସ୍ୱରୂପ ଜଗନ୍ନାଥ ।

ବାସୁଦେବ -ସେହିପରି ବାସୁ +ଦେବ, ଶରୀର ତତ୍ତ୍ୱରେ ଏ ଶରୀର ହେଲା ବାସୁ ବା ବାସସ୍ଥାନ (ଘଟ )ଏବଂ ଏହାର ଦେବ ବା ଦେବତା ହେଲେ ନିଶ୍ଚିତ ଭାବେ ଆତ୍ମା (ଶ୍ରୀଜଗନ୍ନାଥ ) । ତେଣୁ ଯେଉଁ ଭାବରେ ଡାକିଲେ ମଧ୍ୟ ଶେଷରେ ଗୋଟିଏ ଚେତନା ହିଁ ସାର ହୁଏ । ତାହା ହେଉଛି ସବୁ କେବଳ ସେ ଭଗବତ ସତ୍ତାର ଅଂଶ ବିଶେଷ ବା ଆତ୍ମା ସ୍ୱରୂପ । ଏଠି ଶରୀର ଭେଦରେ ବିଭିନ୍ନତାର ସ୍ଥାନ ନାହିଁ । ହଁ ବ୍ୟାପକତା ଦୃଷ୍ଟିରୁ ଦେଖିଲେ ପରମାତ୍ମା ବିଷ୍ଣୁ ହିଁ ସମିଚୀନ ଉଚ୍ଚାରଣ । କାରଣ ସଂସ୍କୃତରେ ବିଷ୍ଣୁ ଅର୍ଥ ବ୍ୟାପକ, ଅର୍ଥାତ ଯେ ସର୍ବତ ବ୍ୟାପି ରହିଛନ୍ତି ସେହିଁ ସର୍ବ ଘାଟର ଆତ୍ମା ସତ୍ତାର ପୂର୍ଣ୍ଣ ସ୍ୱରୂପ ପରମାତ୍ମା ବିଷ୍ଣୁ -ସାରା ବିଶ୍ୱରେ ବ୍ୟାପ୍ତ ସବୁ ଜୀବଙ୍କ ଘାଟରେ ବିରାଜିତ ଚେତନ ଶକ୍ତି (ଆତ୍ମା )ହିଁ ବିଷ୍ଣୁ ।

ତଥାପି ଶ୍ରୀଜଗନ୍ନାଥ ଏସବୁ ଠାରୁ ଅନ୍ୟତମ
“ନାହଂ ଦେହୋ ନ ଚ ପ୍ରାଣନେଦ୍ରିୟାଣି ମନୋ ନ ହି,

ସଦା ସାକ୍ଷୀ ସ୍ୱରୂପ ତ୍ୱାଛିବ ଏବlଶ୍ମି କେବଳ (ଜାବାଳୋପନିଷଦ )। ଅର୍ଥାତ ମୁଁ ଦେହ ନୁହେଁ, ମୁଁ ପ୍ରାଣ ନୁହେଁ, ମୁଁ ଇନ୍ଦ୍ରିୟ ନୁହେଁ, ମୁଁ ମନ ନୁହେଁ, ମୁଁ ଜୀବ ନୁହେଁ, ମୁଁ ସଦା ସାକ୍ଷୀରୂପ ହୋଇ ଥିବାରୁ ଆତ୍ମା ବା ବ୍ରହ୍ମ ଅଟେ।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )