Latest Odisha News

BREAKING NEWS

ଆଇଏଏସ ନିକୁଞ୍ଜ ଧଳ ହେଲେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, ସତ୍ୟବ୍ରତ ସାହୁଙ୍କୁ ଏସଆରସି ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଏକ ଛୋଟିଆ ଅଦଳ ବଦଳ କରିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ସୁଶୀଲ କୁମାର ଲୋହାନୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ପଦରୁ ଅବ୍ୟାହତି ଦେଇ ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାପୂର୍ବରୁ ନିକୁଞ୍ଜ ଧଳ ଏସଆରସି ଭାବେ ଦାଯିତ୍ବ ତୁଲାଉଥିଲେ। ସାଧାରଣ ପ୍ରଶାସନ ବିଭାଗ ଶୁକ୍ରବାର ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା ନିକୁଞ୍ଜ ବିହାରୀ ଧଳ ଲୋହାନୀଙ୍କ ଭଳି ଅତିରିକ୍ତ ଦାୟିତ୍ୱରେ ରହିବେ ନାହିଁ। ସେ କେବଳ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ସୁଶୀଲ ଲୋହାନୀ ନିର୍ବାଚନ କମିଶନଙ୍କ ସହିତ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜି ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିଲେ ତେଣୁ ନିକଟରେ ହୋଇଥିବା ଧାମନଗର ଉପନିର୍ବାଚନ ବେଳେ ବିରୋଧୀ ବିଜେପି ଏହାକୁ ପ୍ରସଙ୍ଗ କରି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା। ତେଣୁ ବୋଧହୁଏ ରାଜ୍ୟ ସରକାର ଏଥର ଯିଏ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ତାଙ୍କୁ ଗୋଟିଏ ପଦରେ ରଖି ଆଉ ସରକାରଙ୍କର କୌଣସି ବିଭାଗର ଦାୟିତ୍ୱ ଦେଇ ନାହାନ୍ତି। ସାଧାରଣତଃ ଓଡ଼ିଶାରେ ଜଣେ ବାବୁଙ୍କ ନିକଟରେ ଅନେକ ବିଭାଗ ବା ଅତିରିକ୍ତ ଦାୟିତ୍ୱ ରହିବାର ନଜିର ରହିଛି।

ଚଳିତ ବର୍ଷ ଫେବ୍ରୁଆରିରେ ପ୍ରଦୀପ ଜେନାଙ୍କ ସ୍ଥାନରେ ନିକୁଞ୍ଜଙ୍କୁ ଏସଆରସି ଭାବେ ନିଯୁକ୍ତି ଦିଆଯାଇଥିଲା। ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ଧଳ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ଭାବେ ଦାୟିତ୍ୱ ତୁଲାଉଥିଲେ। ଏବେ କିନ୍ତୁ ତାଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ଲୋହାନୀ ଏବେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଛନ୍ତି। ସେ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ତଥା ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନରଞ୍ଜନ ଦାସଙ୍କୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.