ଭୁବନେଶ୍ଵର: ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ। ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥ୍ୟରେ ଏହା ପାଳନ କରାଯାଏ । ଏହିଦିନ ଦେଶର ପ୍ରାୟ ସବୁ ପ୍ରାନ୍ତରେ ଭକ୍ତମାନେ ଉପବାସ ପାଳନ କରି ମହାଦେବଙ୍କ କୃପା ଲାଭ କରିଥାନ୍ତି । ମହାଶିବରାତ୍ରୀ ଅବସରରେ ଓଡ଼ିଶାର ପ୍ରତ୍ୟେକ ଶୈବପୀଠ ଏବଂ ଭାରତର ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କଠାରେ ବିଶେଷ ଆଳତି ଓ ଭୋଗ ଲାଗି କରାଯାଏ। ଶିବରାତ୍ରୀଦିନ ବ୍ରତଧାରୀମାନେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ସାରା ଉଜାଗର କରିବାର ରହିଛି। କୁହାଯାଏ ମହାଦେବଙ୍କର ବେଶଭୂଷା ଅନ୍ୟ ଦେବତା ମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ ।
ଜାଣନ୍ତୁ, ମହାଦେବଙ୍କର ବେଶଭୂଷାକୁ ନେଇ କ’ଣ ରହିଛି ରହସ୍ୟ
ଚନ୍ଦ୍ର- ଭଗବାନ ଶିବଙ୍କୁ ସୋମନାଥ ନାମରେ ମଧ୍ୟ ଉପାସନା କରାଯାଇଥାଏ । ଯାହାର ଅର୍ଥ ଚନ୍ଦ୍ର ଏବଂ ଚନ୍ଦ୍ର ମନର କାରକ ହୋଇଥାନ୍ତି । ମହାଦେବ ଶିବଙ୍କୁ ଜଟାରେ ଧାରଣ କରିବାର ଅର୍ଥ ହେଉଛି ମନ ଉପରେ ନିୟନ୍ତ୍ରଣ ରଖିବା ।
ତ୍ରିଶୁଳ- ରୁଦ୍ରଙ୍କର ହାତରେ ତ୍ରିଶୁଳ ରହିଥାଏ । ଏହା ଏଭଳି ଏକ ଅସ୍ତ୍ର ଯାହାର ଶକ୍ତି ଆଗରେ କେହିବି ଠିଆ ହୋଇପାରନ୍ତି ନାହିଁ । ଏହା ଦୈବିକ ଓ ଭୌତିକ ବିନାଶର ପ୍ରତୀକ ଅଟେ ।
ଜଟା- ଭୋଳାନାଥଙ୍କୁ ଅନ୍ତରୀକ୍ଷର ଦେବତା ମନା ଯାଇଥାଏ । ଯାହାଙ୍କର ଅନ୍ୟନାମ ବ୍ୟୋମକେଶ ମଧ୍ୟ । ଶବିଙ୍କର ଜଟା ବାୟୁମଣ୍ଡଳର ପ୍ରତୀକ ଅଟେ ।
ଡମ୍ବରୁ- ଡମରୁକୁ ଭଗବାନ ଶିବଙ୍କର ପ୍ରିୟ ମନାଯାଇଥାଏ । ଏପରିକି ମହାଦେବଙ୍କୁ ସଙ୍ଗୀତର ଜନକ ମଧ୍ୟ କୁହାଯାଇଥାଏ ।
ଗଙ୍ଗା- ଶିବଙ୍କ ଜଟାରେ ଗଙ୍ଗା ସମାହିତ ହେବା ପଛରେ ମଧ୍ୟ ଏକ କାହାଣୀ ରହିଛି । ଯେତେବେଳେ ଗଙ୍ଗାମାତା ଧରିତ୍ରୀକୁ ଅଣାଯାଉଥିଲା, ସେସମୟରେ ଗଙ୍ଗାଙ୍କର ପ୍ରଖର ସ୍ରୋତକୁ କିପରି ଅଟକାଯିବ ସେନେଇ ସମସ୍ତେ ଆଶଙ୍କାରେ ଥିଲେ । ପରେ ମହାଦେବ ଗଙ୍ଗାକୁ ନିଜ ଜଟାରେ ଧାରଣ କରିଥିଲେ ।
ଭସ୍ମ- ଭୋଳାନାଥ ଶରୀରରେ ଭସ୍ମ ଲଗାଇଥାନ୍ତି । ମୋହ ଓ ଆକର୍ଷଣରୁ ମୁକ୍ତିର ପ୍ରତୀକ ହୋଇଥାଏ ଭସ୍ମ ।
ସର୍ପ- ସର୍ପକୁ ଭଗବାନ ଶିବ ଗଳାରେ ଧାରଣ କରିଥାନ୍ତି । କୁହାଯାଏ ଏହର ରହସ୍ୟ ସମୁଦ୍ର ମନ୍ଥନ ସହ ଜଡିତ ।
ତୃତୀୟ ନୟନ- ଶିବଙ୍କର ତୃତୀୟ ନୟନ ପ୍ରଳୟ ଆଣିଥାଏ । ଏହାକୁ ଜ୍ଞାନ ଓ ସର୍ବ ଭୁତର ପ୍ରତୀକ କୁହାଯାଇଥାଏ ।
ଋୁଦ୍ରାକ୍ଷ- ମାନ୍ୟତା ରହିଛି ଯେ ରୁଦ୍ରାକ୍ଷର ଉତ୍ପତ୍ତି ଶିବଙ୍କର ଲୁହରୁ ହୋଇଥାଏ । ଏହାକୁ ଧାରଣ କରିବା ଦ୍ୱାରା ସକରାତ୍ମକ ଉର୍ଜା ମିଳିଥାଏ ଓ ରକ୍ତ ପ୍ରବାହ ସନ୍ତୁଳିତ ହୋଇଥାଏ ।
ବାଘ ଛାଲ- ଶିବ ଶଙ୍କର ନିଜ ଦେହରେ ହସ୍ତୀ ଓ ବାଘ ଛାଲ ଧାରଣ କରିଥାନ୍ତି । ହାତୀ ଅଭିମାନର ପ୍ରତୀକ ହୋଇଥିବା ବେଳେ ବାଘ ହିଂସାର ପ୍ରତୀକ ।
Comments are closed.