Latest Odisha News

BREAKING NEWS

ପତ୍ନୀଙ୍କୁ ବାପଘର ବୁଲାଇ ନେବାକୁ ଡାକି ବାଟରେ ହତ୍ୟା; ୪ ଦିନ ପରେ ଜଙ୍ଗଲରୁ ମିଳିଲା ଶବ

ନୂଆପଡ଼ା: ବାପଘର ନେଇ ଯିବେ ବୋଲି ସୁୁଆଗରେ ପତ୍ନୀ ସୁନେଙ୍କୁ ଡାକିଥିଲେ । ପତ୍ନୀ ବି ମନଖୁସିରେ ସଜବାଜ ହୋଇ ବାହାରି ପଡିଲେ । ସ୍ୱାମୀଙ୍କ ମନରେ ଏତେ ଜଘନ୍ୟ ଚିନ୍ତାଧାରା ବୁଲୁଛି ବୋଲି ସେ ବା କାହିଁକି ଜାଣିବେ ? ସାଇକେଲରେ ସ୍ୱାମୀ-ସ୍ତ୍ରୀ ଦୁହେଁ ବାହାରି ପଡିଲେ ବାପଘର ବୁଲି । ହେଲେ ଏ ଯାତ୍ରା ସୁନେଙ୍କ ପାଇଁ ଥିଲା ଶେଷ ଯାତ୍ରା । ବୁଝି ପାରିଲେନି ସ୍ୱାମୀ ତାଙ୍କ ସହ ଛଳନା କରୁଛନ୍ତି ବୋଲି । ବାପଘର ଯିବା ନାଁରେ ଜଙ୍ଗଲକୁ ନେଇ ମାରି ଫିଙ୍ଗିଦେଲେ ସ୍ୱାମୀ ଜଗବନ୍ଧୁ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଛତା ଗାଁରେ  ।

ପରକୀୟ ପ୍ରୀତି ସନ୍ଦେହ ସାଜିଲା କାଳ । ମଣିଷକୁ କରିଲା ସୈତାନ  । ଗତ ୨୪ ତାରିଖ ଦିନର ଘଟଣା ।  ସ୍ୱାମୀ ଜଗବନ୍ଧୁ ଓ ସ୍ତ୍ରୀ ସୁନେ ତାଣ୍ଡି ଦୁଇ ଜଣ ମିଶି ଶଶୁର ଘର ଯିବାକୁ ସାଇକେଲରେ  ବାହାରି ଥିଲେ। ହେଲେ ସୈତାନ ସ୍ୱାମୀ ଦେଓଧରା ଘୋଡାଘାଟ ନଦୀ ପାଖରେ ସ୍ତ୍ରୀକୁ  ହତ୍ୟା କରି ଥିଲା ।  ପାଖାପାଖି ୧୦୦ ମିଟର ଜଙ୍ଗଲ ଭିତରକୁ ମୃତଦେହକୁ ଘୋଷାଡି ନେଇ ସେଠାରେ ଫିଙ୍ଗି  ଫେରାର ହୋଇ ଯାଇଥିଲା ଜଗବନ୍ଧୁ।

ଅପରପକ୍ଷରେ ବାପା ମା ଘରକୁ ନ ଫେରିବାରୁ ଜଗବନ୍ଧୁଙ୍କ ପୁଅ ସୁରେନ୍ଦ୍ର  ୨୭ ତାରିଖ ଦିନ କୋମନା ଥାନରେ ଏକ ନିଖୋଜ ମାମଲା ଦାଏର କରିଥିଲେ । ଠିକ ସେହି ଦିନ ଦେଓଧରା ଜଙ୍ଗଲରେ ସୁନେତାଣ୍ଡି ଙ୍କ ମୃତ ଦେହ ମିଳିଥିଲା ଓ ଜଗବନ୍ଧୁ ଫେରାର ଥିବା ଜାଣିବାକୁ ପାଇଥିଲେ । ଘଟଣା ସମ୍ବନ୍ଧରେ କୋମନା ପୋଲିସକୁ ଖବର ଦେଲାପରେ କୋମନା ପୋଲିସ  ପହଞ୍ଚି ଶବକୁ ଜବତ କରିଥିଲା ।

ପୋଲିସ ସାଇଣ୍ଟଫିକ ଟିମ ସହ ତଦନ୍ତ ଆରମ୍ଭ କରିଥିଲେ । ନୂଆପଡା ଏସ.ପି. ନିର୍ଦ୍ଦେଶ କ୍ରମେ ନୂଆପଡ଼ା SDPO, କୋମନା ଆଇଆଇସିଙ୍କୁ ନେଇ ଏକ ସ୍ୱତନ୍ତ ଟିମ   ଶବ ଜବତ ହେବାର ୨୪ ଘଣ୍ଟା ଭିତରେ ସିନାପାଲି ଥାନା ସରଧାପୁର ଗାଁରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ପରେ ଜଗବନ୍ଧୁ ପୋଲିସ ଉପସ୍ଥିତିରେ ହତ୍ୟା ସ୍ଥଳର ସିନ ରିକ୍ରିଏସନ ହୋଇଥିଲା । ବର୍ତ୍ତମାନ ଅଭିଯୁକ୍ତଙ୍କୁ କୋମନା ପୋଲିସ କୋର୍ଟ ଚାଲାଣ କରିଥିବା SP ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ଏକ ମୋବାଇଲ, ଗୋଟିଏ ସାଇକେଲ ସହ ଭଙ୍ଗା ଲାଠିକୁ ଜବତ କରାଯାଇଛି । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ  ତଦନ୍ତ ଜାରି ରଖିଛି କୋମନା ପୋଲିସ ।

 

Leave A Reply

Your email address will not be published.