Latest Odisha News

BREAKING NEWS

କବିତା : ଭଙ୍ଗା ଶଗଡ଼

ପିନାକୀ ମିଶ୍ର

ଗାଁଦାଣ୍ଡ ରଗଡ଼ାବାଲିରେ ଦିନେ ଗଡୁଥିଲା ଚକ,
ଗଡ଼ ଜିଣିବା ଠାଣିରେ
ତାମଡ଼ା ବଳଦଙ୍କ ବେକହଲା ଚାଲି,
କ୍ଷେତଖମାର, ଲକ୍ଷ୍ମୀଖଳା
ଥିରିପବନ, ମୁଣ୍ଡଖରା,
କୃଷକଛାତିର ଝାଳ ,ସବୁକୁ ଠୁଳେଇ
ଗାଁରେ ଗଦଉଥିଲା ଆହାର,
ହସର ଧାରେ ସରୁଗାର
ପରବପିଠାର ପୁରିଲାଘର,
ପୁଡୁଗଧାନ ସମ୍ଭାଳି ଗାଁଦାଣ୍ଡରେ
ଚାଲୁଥିଲା ଶଗଡ଼ ।

ସେ ଅତୀତ
ବହୁତ ପଛକୁ ଠେଲି ହେଇଗଲା,
ନା -ଗଡ଼ଗଡ଼ ଗଡିଯିବାର ଶବ୍ଦ
ନା -ଶଗଡିଆର ଗୀତ,
ଏବେ ବାଡିପଟ ସଜନାମୂଳେ ଅଲୋଡା
ଖୁବ୍ ଖାଉଛି ଖରାବର୍ଷା,
ଦଦରା କାଠ କେଇଖଣ୍ଡ –
ଜଳିଯିବାକୁ ବାକି ।

କେତେ ବୋହିଛି ମହଣ ମହଣ ଧାନ,
ହଳେ ବଳଦଙ୍କ ବେକରେ ଭରାଦେଇ
ଫୁଲେଇଛି ସାହୁକାରର ଛାତି,
ମୂଲିଆର ଆଖିରେ କଅଁଳ ସାନ୍ତ୍ବନା
ଦାଣ୍ଡ ଦୁଲୁକେଇଛି ଫଗୁଣରେ,
ହାଉଲେ ଅଟକିଛି ପୁଣି –
ଗାଁଛୁଆଙ୍କ ଦୁଷ୍ଟାମିରେ ।

ଏବେ ଟ୍ରାକ୍ଟର ଧୂଆଁରେ
ଲୁଚିଗଲା ତା ଛାଇବର୍ଣ୍ଣ,
ଲାଳୁଆ ଆଖିକୁ, ଯନ୍ତ୍ରଯୁଗକୁ –
ସୋହିଲାନି ତା କାଠଗଢା ଦେହ
ଘଡଘଡ ବିଳମ୍ବିତ ଯାତ୍ରା,
ତାକୁ ବାଦ୍ ଦିଆଗଲା ଗାଁମାଟିର ପୋଥିରୁ ।

ହୁଏତ କେବେ
ନାଲି -ହଳଦୀ ଲୁଗା ଢଙ୍କେଇ
ଛାଡି ଆସିଥିବ ଏ ଗାଁ ଝିଅଙ୍କୁ –
ତା’ ଅଜଣାପ୍ରିୟର ଦେଶେ ।

“ଶୂନ୍ୟନୀଳ”
ଚର୍ଚ୍ଚ ପାଖ, ଜେଲ୍ ରୋଡ,କେନ୍ଦୁଝର -୧
ମୋ – ୯୪୩୮୧୧୮୩୯୭

Leave A Reply

Your email address will not be published.