କବିତା : ସମୟର କବର ତଳେ

ସାଧନା ପଣ୍ଡା 
ଆୟୁଷର କଅଁଳ ଡେଣାରେ
ସମୟ ଅଜାଡି ଦିଏ
କୁଢ କୁଢ ମୃତ୍ୟୁର ଅଙ୍ଗାର ,
କହି ହୁଏନା ଶେଷ କେଉଁଠି !
ଏଇ ତ ଆରମ୍ଭ ମାତ୍ର
ବଞ୍ଚିବାର କୁହେଳିକା ଭିତରେ
ଅନ୍ଧାରରେ ଦେଖେ ଆଜି
ଆପଣାର ମୁହଁ ଆଉଥରେ
ଆରମ୍ଭେ ସେଇଠି  !!

ବନ୍ଦୀ ସେ ଚିରକାଳ
ଏଇ ସମୟର କବର ତଳେ
ଧୂଆଁଳିଆ ସଞ୍ଜ ବେଳେ
ମୃତ୍ୟୁ ର ଗଜଲ୍ ଗାଇବା ହିଁ ସାର
ଚାରିଆଡେ ଦୁଃଖ- କୁହୁଡି ରାଜୁତି
କେହି ବୁଝେନା କାହା ହୃଦୟର କଥା
କିଏ ବା ବୁଝିବ କହ
ଏଇ ଉଦୁଉଦିଆ ଖରାବେଳେ ର ବ୍ୟଥା??
ସବୁ ମିଳେଇ ଯାଏ
ସମୟର ଖୋଳପା ଭିତରେ !

ଖୋଜୁଛି ସେ ସାରା ଜୀବନ
ତା’ କବରର ଠିକଣା
ନେଇଛି ସମାଧି ,
ନା ଗଣି ପାରୁଛି ସମୟର ଢେଉ
ନା ଭିଜି ପାରୁଛି ଜୋଛନାରେ
ନା ଚାହିଁ ପାରୁଛି ଉତ୍ତପ୍ତ ସୂର୍ଯ୍ୟଙ୍କୁ
ବିଶାଳ ଯେ ପରିଧି !

ଉଦାଶ ଆକାଶକୁ ଚାହିଁ
ଦେଖେ ଯେବେ ତାରାଙ୍କୁ
ପାଦତଳେ ମାଟି ଧସେଇ ଯାଏ
ତଳକୁ ଆହୁରି ତଳକୁ !
ହେମାଗ୍ନିର ଧୂଆଁଧାରେ
ବଳକା ଆୟୁଷର ବିସ୍ତୃତ ପରିଧି !
ଆହୁତ ଆତ୍ମାର ସ୍ତବ୍ଧତା
ଆକଳନ କରେ ସ୍ଥିତି  !
ଛାତିର ଭଗ୍ନାଂଶରେ ଛୁଇଁ ଯାଏ
ଅନ୍ତରଙ୍ଗତାର ସ୍ୱର ,
ସମୟ ସରିଯିବା ପରେ
ଛାଇଯାଏ ବିଷାଦର କବର !

 ଭୁବନେଶ୍ବର