Latest Odisha News

କବିତା : ସେ

ସ୍ମୃତି ରଞ୍ଜନ ତ୍ରିପାଠୀ

ସେ ନିତି
ପହଡ଼ ଭାଙ୍ଗେ
ଅଗଣାରେ , ତୁଳୀରେ
ମୋ ସ୍ବାଧୀନତାର
ଅଗଣତାନ୍ତ୍ରୀକ ଉହାଡରେ।

କୋଉଦିନଠୁ ହଜେଇଛି ସେ ଅପଶବ୍ଦ
ଭୋକିଲା ପେଟ ଚିହ୍ନେନି
ଗଣ ଆଉ ତନ୍ତ୍ର
ସେଥିପାଇଁ ତ
ମୁଁ ନିତି ତିଆରିଦିଏ ତା’ପାଇଁ
ନଈ, ନାଳ,
ପାହାଡ଼ି ଝରଣା।
ଜାଣ!
ଗଛ ଫାଙ୍କରୁ ବି
ଉଙ୍କି ମାରେ ଜୀବନ।।

ଶୁନ୍ୟକୁ ଛୁଇଁବା ଭ୍ରମରେ
ମେଘପକ୍ଷୀର ମୋହରେ
ଉଡାଣ କ୍ରିୟା ଧରେ
ଦିନାନ୍ତର ରଙ୍ଗ ଶୁଖିଲା ଯାଏଁ
ମୁରୁକି ହସେ ଆକାଶ
ବଳକା ରଙ୍ଗରେ
ଲେସି ହେଇଯାଏ ଛାଏଁ ଛାଏଁ
କୋଉ ଗଛ କୋରଡରେ
ଲୁହ ପାଇଁ ବସାଟିଏ
ହଁ ସେ ଏବେ ନୀଡ଼ମୁହାଁ
ତୋ ଆଡୁ ସରି ସରି ଆସୁଥିବା
ଗଣତନ୍ତ୍ର ର ସାମ୍ରାଜ୍ୟ ଆଡେ ।।

ସଞ୍ଜ ନଏଁ
ଏବେ ଭୟକୁ
ବେଖାତିର କରିବାର ସମୟ
ଭୋକମାନେ ବାଟ କଢ଼ାନ୍ତି
ଅପରଚିତ ଜାଗାକୁ,
ଆଲୁଅକୁ ଗିଳୁଥାଏ
ବାଡିପଟ ଅନ୍ଧାର
ମୋ ଚିତ୍ରଖାତା ବାହାରେ।।

ଗୋଟାଏ ଦୀର୍ଘଶ୍ଵାସର ସ୍ୱରରେ
ଫି ରାତି ବିଶ୍ୱାସର ତାରାମନେ
ଗୀତ ଗାଆନ୍ତି ବେଧଡକ
ଠିକ ନ୍ୟାୟ ପାଳିକା ଦୁଆରେ।

ଭୋର ଅପେକ୍ଷାରେ
ସେ ମୁହଁ ଦେଖେ ବାରମ୍ବାର
କିଛି କ୍ଷଣ ପାଇଁ ସ୍ଥିର ହୋଇଥିବା
ଜୀବନରେ,
ଅପବାଦ ର ସ୍ତବ୍ଧ ପିଣ୍ଡରେ।।।
ହଁ କେବେ ପୁଣି ବଦଳିବ
ଗଣତନ୍ତ୍ର ଇତିହାସ
ପୁଣି ସେ ଉଙ୍କି ମାରିବ
ମୋ ଚିତ୍ରଖାତା ଭିତରେ !

ମଲାଟରେ ଧୂଳି ଜମେ
ଅନୁଭବର ପରଶରେ
ପରଳ ବି ପଡେ ତା’ ଆଖିରେ,
ଚିତ୍ରଖାତାରୁ ପୃଷ୍ଠା ସରିଆସେ
ଏବେ ତା’ର ସଜ୍ଞା ହେବାର ବେଳ..
ଗୋଟେ ଦୀର୍ଘସ୍ବର ର ଆବେଗରେ
ଲମ୍ବି ଯାଇଥିବା
ପୂର୍ଣଛେଦ ପୂର୍ବର ସର୍ବନାମ ” ସେ “।
“ସେ” ହିଁ ଜୀବନ..

ତୁଳୀରୁ ଝରି ପଡିଥିବା
ବିନ୍ଦୁ ବିନ୍ଦୁ ପ୍ରେମରେ
ମୁଁ କିନ୍ତୁ ନିତି ତୋଳେ
ନଈ ପାହାଡ଼ ଝରଣା ପୃଷ୍ଠା ଭିତରୁ
ଖଣ୍ଡି ଖଣ୍ଡି ଦୁର୍ବାଦଳ
ଆଉ ତା’ ଭାଗର
ବାକିତକ ସକାଳ।
ହଁ ଏବେ ତ ଜୀଇଁବାର ବେଳ।।।

ଜଟଣୀ, ଖୋର୍ଦ୍ଧା

Comments are closed, but trackbacks and pingbacks are open.