କବିତା : ଶୀତ

ଶୁଭ୍ରାଂଶୁ ଶେଖର ମାହୁନ୍ତ

କାର୍ତ୍ତିକ ମାସରେ ପଲ୍ଲୀ ନବବଧୂ
ପ୍ରତ୍ୟୁଷରୁ ସ୍ନାନ କରି ,
ଚଉଁରା ମୂଳରେ ଘିଅଦୀପ ଜାଳେ
ମୂରୂଜ ପକେଇ ସାରି ।

ମୁକୁତା ସମ ଯେ କାକର ଝରଇ
ସିକ୍ତ କରେ ତନୁମନ ,
ଗାଆଁ ମନ୍ଦିରର ଶଙ୍ଖ ଘଣ୍ଟା ଧ୍ବନି
ପବିତ୍ର କରେ ଜୀବନ ।

ଦିଗନ୍ତ ବିସ୍ତାରୀ ସବୁଜିମା କ୍ଷେତ
ଲାଗେ ପରା ଭରପୁର,
ପକ୍ବ ଧାନକେଣ୍ଡା ନିଆରା ବାସନା
ଅଟେ ବଡ଼ ଚମତ୍କାର ।

ହଳଦୀ ରଙ୍ଗର ସୋରିଷ କ୍ଷେତରେ
ଅପୂର୍ବ ରୂପ ସମ୍ଭାର,
ଉପଭୋଗ୍ୟ ସତେ ଧରଣୀର ଦୃଶ୍ୟ
ଆସେ ଯେବେ ମଗୁଶିର ।।

ଶୀତର ପ୍ରକୋପ ଅଧିକ ହୁଅଇ
ପୌଷ ମାସ ଆଗମନେ,
ଧୂମଜ ଦିଶେ ଦୂର ଦିଗବଳୟ
କୁହୁଡି ଆସଇ ଯେହ୍ନେ ।

ବନେ ଉପବନେ ନାନାବିଧ ପୁଷ୍ପ
ସ୍ନିଗ୍ଧ କରେ ପରିବେଶ,
ଉଲ୍ଲସିତ ହୁଏ ପଲ୍ଲୀର ଜୀବନ
ଶାନ୍ତ ଲାଗେ ଚଉପାଶ ।

ବାଘ ପରି ଆସେ ମାଘମାସ ଶୀତ
ତୀବ୍ର ହୁଏ ଶୀତକ୍ଳେଶ,
ନିର୍ଜନତା ଭରେ ପ୍ରାଣେ ଶିହରଣ
ନିସ୍ତବ୍‌ଧ ପରିବେଶ ।

ଶୀତଋତୁ ଆଣେ ମନରେ ପୁଲକ
ପୂର୍ଣ୍ଣତା ପରିପ୍ରକାଶେ,
ଫସଲ ପ୍ରାଚ୍ୟୁର୍ଯ୍ୟେ ପ୍ରଫୁଲ୍ଲିତ ଚିତ୍ତେ
ମାଟି ମାଆ ଆମ ହସେ ।

ଭଦ୍ରକ