ଗପ : ଉପଦ୍ରବ

ଅମିତ୍ ଜେନା                                                                   

ହରିପୁର ଗାଁ ମଝିରେ ନରି ଅଜା ର ଘର । ପୁଅ ମାନେ ସହର ଗଲା ପରଠୁ ନରି ଅଜା ଆଉ ଫୁଲ ଆଈ ଟିକେ ଏକଲା ପଡିଯାଇଛନ୍ତି । ପୁଅ ମାନଙ୍କ ପାଖକୁ ବୁଲି ଯିବାକୁ ବୁଢ଼ାବୁଢ଼ୀ ଅନେକ ଦିନରୁ ମନ ବଳେଇଲେଣି । କିନ୍ତୁ ସବୁଥର କଣ ଗୋଟେ ବିଭ୍ରାଟ ହୋଇ ଆଉ ଏପର୍ଯ୍ୟନ୍ତ ସୁବିଧା ହେଇନି । ଅଜା ଆଈଙ୍କ ଅଗୋଚରରେ ଆଉ ଜଣେ ବି ରହୁଛି ସେ ଘରେ । ମହାଶୟ ଜଣକ ଜାତି ଆଉ ପ୍ରକୃତିରେ ଜଣେ ଭୂତ, ମଣିଷ ଥିଲା ବେଳେ ନାଁ ଥିଲା “ରାଧୁଆ” । ନିଇତି ତାଜା ଉପରେ ବସି ବୁଢ଼ାବୁଢ଼ୀଙ୍କ କେଁ କଟର ଶୁଣିବା ତାର କାମ । ହଁ, କେବେ କେବେ ନିଜର ବିରକ୍ତି ମେଣ୍ଟାଇବା ପାଇଁ ରୋଷେଇ ଘରକୁ ଦଉଡି ଯାଇ ବାସନକୁସନ ଟିକେ ଫୋପାଡ଼ି ଦିଏ । ମୋଟାମୋଟି ଉପରେ ଫୁଲ ଆଈକୁ ଚିଡ଼େଇବାରେ ବହୁତ ମଜା ପାଏ ସିଏ । ବିଚାରି ଆଈ ପଡିଶାଘର ଶଂଖୀ ବିଲେଇ କୁ ସମ୍ପି ସମ୍ପି ନୟାନ୍ତ ହେଲାଣି, କିନ୍ତୁ ରାତିରେ ବାସନକୁସନ ଝଣଝାଣ ହେବା ବନ୍ଦ ହେଉନି । ରାଧୁଆ ଟା ବି ସେ ସାହି ରେ ଏକୁଟିଆ ଗେହ୍ଲା ଭୂତ । କିନ୍ତୁ ବିଚରାଟାକୁ କେହି ଦେଖିବାକୁ ସକ୍ଷମ ହେଇନାହାନ୍ତି ଏଇଯାଏଁ, ଗେହ୍ଲା କରିବା ଦୂରର କଥା…..।

ଆଜି ଉପରବେଳା ବୁଢ଼ାବୁଢ଼ୀ ଭାରି ଖୁସି । ବଡ ନାତୁଣୀ କାଲି ସକାଳେ ତାଙ୍କ ପାଖକୁ ବୁଲି ଆସିବ ବୋଲି ଫୋନ୍ କରିଛି । ଆଈ ପାଟିରୁ ଏଇକଥା ଶୁଣି ରାଧୁଆ ମନ କୁଣ୍ଢେମୋଟ, ଯେତେହେଲେ ବି ଘରକୁ ନୂଆ ଲୋକ ଆସିବେ । ଅଜା ଆଈ କାମରେ ବ୍ୟସ୍ତ ହେଇଯାଇଛନ୍ତି, ଆଉ ଏଇ ସମୟରେ ଗୋଟେ ପାତି ମାଙ୍କଡ ବାଡିପଡୁ ଘରକୁ ପଶି ଆସିଛି । ବଗୁଲିଆ ରାଧୁଆ ଡେଇଁପଡ଼ି ଲାଙ୍ଗୁଡ଼ଟା ଭିଡିଆଣି ପାତିଟାକୁ ଘିରିଘିରି କରି ବୁଲେଇଦେଲା । ମାଙ୍କଡ ଭାଷାରେ ପାତିର “ମରିଗଲି, ମରିଗଲି” ଶୁଣି ବୁଢାବୁଢ଼ୀ ଦଉଡି ଆସିଲେ । ବୁଢ଼ାବୁଢ଼ୀ ଦୁଇଜଣଙ୍କୁ ବୟସ ଅଶି ଉପରେ, ତା ଉପରେ ଦୁହିଁଙ୍କ ଭୟାଳୁ ପ୍ରକୃତି ଟିକେ ଅଛି । ରାଧୁଆ ଆଉ ପାତି ର ତାଣ୍ଡବ ନୃତ୍ୟ ଆଉ ଦୁହିଁଙ୍କ ଦେହ ରେ ଗଲାନି, ଡରରେ ଠକ୍ ଠାକ୍ କରି ଗୋଟେ ପରେ ଗୋଟେ ସେଇଠି ଟଳିପଡିଲେ । ଦୁଇଜଣ ଧାର୍ମିକ ଲୋକ, ତେଣୁ ଦୁହିଁଙ୍କ ଆତ୍ମା ରାଧୁଆ କୁ ଯୋଗ ନଦେଇ ଅଲଗା ଦିଗ ରେ ମୁହାଁଇଁ କ୍ରମେ ଅଦୃଶ୍ୟ ହେଇଗଲା । ପାତିଟା ବି ସୁଯୋଗ ଦେଖି ଖସି ପଳେଇଲା । ଏବେ ଘରେଟ୍ଟ, ଦୁଇଟା ଶବ ଆଉ ରାଧୁଆ ।

ତା ପରଦିନ ସକାଳେ ନାତୁଣୀ ଆସି ପହଞ୍ଚିଗଲା । ରାଧୁଆ ଆଉ ଉପାୟ ନପାଇ ଆଈ ଦେହରେ ପଶିଗଲା । ଅଜାକୁ ନେଇ ପାଖ କୋଠରୀରେ ଖଟ ଉପରେ ଶୁଆଇଦେଇ ଚଟାପଟ କବାଟ ଖୋଲିଦେଲା । ଅଜା ଆଈଙ୍କ ଭାବଭଙ୍ଗୀ ସହ ରାଧୁଆ ଭଲଭାବରେ ପରିଚିତ । ତେଣୁ ଆଈ ଦେହରେ ଥାଇ ନାତୁଣୀ ସହ ଗପସପ କରିବାକୁ ଅସୁବିଧା ହେଲାନି ତାକୁ । ନାତୁଣୀ ବି ଆଈ ସହ ସତେ ପରିଚିତ ନୁହେଁ, ତେଣୁ ସନ୍ଦେହ ର ପ୍ରଶ୍ନ ବି ଉଠିଲାନି । ନାତୁଣୀ ଯିବାକୁ ବାହାରିଲା ବେଳେ ଅଜାଙ୍କୁ ଉଠେଇବାକୁ କହିବାରୁ ରାଧୁଆର ଅବସ୍ଥା ଢିଲା । ହେଲେ ବି ସାହସ ଜୁଟେଇ, ଆଈ ଦେହ ରେ ଥାଇ ଅଜାର ଶରୀରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲା ସେ । କିନ୍ତୁ ବଗୁଲିଆମି କରି କରି ଭୂତବିଦ୍ୟା ତ ବିଶେଷ କିଛି ଶିଖିନି, ତଥାପି ଅଜାକୁ ଶେଜ ରୁ ଉଠେଇ ଚଲେଇ ଆଣି ସୋଫା ଉପରେ ବସେଇଦେଲା । କିନ୍ତୁ ବିଚାରି ନାତୁଣୀ ଲକ୍ଷ୍ୟ କରିଥିଲା ଯେ ଏତେ ଧନ୍ଦା ବେଳେ ଅଜାର ଆଖି ପତା ବନ୍ଦ ଅଛି । ଡରି ମରି “ଆଈ ଆସୁଛି” କହି ବାହାରିବ କଣ , ରାଧୁଆର ହଠାତ୍ ଅଜା ଉପରୁ ଧ୍ୟାନ ହଟିଗଲା । ଫଳସ୍ୱରୂପ ସୋଫା ଉପରୁ ଚଟାଣ କୁ ଭୂସ୍ କରି ଗଳିପଡିଲା ଅଜାବୁଢା । “ଇଲୋ ମାଆ ଲୋ” କହି ଛିନ୍ ଛିନ୍ କରି ନାତୁଣୀ ଘର ବାହାରକୁ ଧାଇଁଗଲା । କଷ୍ଟେମଷ୍ଟେ ବୁଢାକୁ ନିୟନ୍ତ୍ରଣ କରି ନାତୁଣୀକୁ ବୁଝେଇବାକୁ ଚେଷ୍ଟା କଲା ରାଧୁଆ । କିନ୍ତୁ ଏତେ ଘଟଣା ଭିତରେ ରାଧୁଆ ମୁଣ୍ଡ ଗୋଳମାଳ, ଭୁଲରେ ଅଜାବୁଢାକୁ ନାତୁଣୀ ଆଗରେ ପଛୁଆ (ଓଲଟା) ଚଲେଇଦେଲା ସିଏ । ଏଇ ଅଦ୍ଭୁତ ଦୃଶ୍ୟ ଦେଖି ନାତୁଣୀ ଆଉ ସାଙ୍ଗରେ ଆସିଥିବା ଡ୍ରାଇଭର୍ ଚିରଚିରେଇ ଉଠିଲେ । କେତେବେଳେ ଗାଡି ଷ୍ଟାର୍ଟ ମାରି ଦୁଇଜଣ ସେଇଠୁ ଛୁ ମାରିଛନ୍ତି, ସେକଥା ଆଉ ଜଣା ନାହିଁ ।

ନାତୁଣୀ ଘରେ ପହଞ୍ଚି ଗୋଟିଗୋଟି କରି ସବୁକଥା କହିଗଲା । ପୁଅମାନେ ତା ପରଦିନ ଗାଡିରେ ଗାଁ କୁ ଆସି ଦେଖନ୍ତି ତ, ବୁଢ଼ାବୁଢ଼ୀଙ୍କ ଶରୀରରେ ଜୀବନ ନାହିଁ । ଶୁଦ୍ଧିକ୍ରିୟା ପାଇଁ ବାହାରିଲେ ସମସ୍ତେ । ଏଇ ଭିତରେ ସାଇପଡିଶାରେ କାଲିର ଘଟଣା ସବୁ ହାଲ୍ଲା ହେଇଗଲାଣି । ବୁଢ଼ାବୁଢ଼ୀଙ୍କ ଘର ବାହାରେ ରୁଣ୍ଡ ହେଇଥିବା ଲୋକଙ୍କ ଭିତରୁ କିଏ ଗୋଟେ କହୁଛି “ଆଲୋ, ବୁଢା ଟା ପାଗଳା ହେଇଯାଇଥିଲା । ମଲା ପୂର୍ବରୁ ଠିକ ସେ ଚାଲି ବି ପାରୁନଥିଲା । ଏ ଅଲାଜୁକ ପୁଅ ଗୁଡା, ଶେଷ ଅବସ୍ଥା ରେ ବୁଢ଼ାବୁଢ଼ୀଙ୍କୁ ଟିକେ ବି ପଚାରିଲେନି । ଏମିତି ଛୁଆ କାହାକୁ ନ ମିଳୁ । “ବଗୁଲିଆ ରାଧୁଆ, ବଡପୁଅ ପିଠିରେ ନାଉ ହେଇ କାରରେ ବସୁବସୁ ଏଇ କଥା ଶୁଣି ହିଃ ହିଃ କରି ହସିଦେଲା । “ଉପଦ୍ରବ, ଅଧ୍ୟାୟ ଏକ”ରେ ପୂର୍ଣ୍ଣଛେଦ ପଡିଯାଇଥିଲା, କିନ୍ତୁ ଆଗାମୀ ଅଧ୍ୟାୟ ସବୁ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା ରାଧୁଆ ।