Latest Odisha News

ଗଳ୍ପ : ବର୍ଷା

ମଞ୍ଜୁ ରାଣୀ ବେହେରା

କେଜାଣି କେଉଁଠି ଥିଲା ଏ ଅଦିନିଆ ବର୍ଷା ଏକା ସାଙ୍ଗରେ ଘଡ଼ ଘଡି, ବିଜୁଳି, ପବନ ଓ ସେଥିରେ କରକାପାତ। ତିନି ଘଣ୍ଟା ହେଲା ଲଗାତାର ବର୍ଷୁଛି ଯେ ଥମିବାର ନା ନାହିଁ। ରାସ୍ତାର ଡାହାଣ କଡ଼ରେ ଜରି ଟଣା ଏକ ଭଙ୍ଗା ଚାଳରୁ ବଇରି ସାଜିଥିବା ସେଇ ଶୂନ୍ୟ ଆକାଶକୁ ଦେଖି ଭାବୁଛି, ପିଲା ଦିଇଟା କେତେବେଳୁ ଖାଇବା ପାଇଁ ଅଝଟ କଲେଣି । ବର୍ଷ ଛାଡ଼ିଲେ ସିନା ଯିବ ସେ ଖାଦ୍ୟ ଅନ୍ୱେଷଣରେ ନିଜ କୁନି ଶାବକମାନଙ୍କ ପାଇଁ। ବାକ୍ ଶୂନ୍ୟ ହୋଇ ଭାବୁଥାଏ କଣ କହି ବୁଝେଇବ ଛୁଆଙ୍କୁ। ମାଁ ହେଇ କେମିତି ଖାଲି ପେଟରେ ନିଜ ଛୁଆଙ୍କୁ ଶୁଆଇବ, ସେଇ ଚିନ୍ତାରେ ଚୁପ୍ ଚାପ୍ ଆଖି ବନ୍ଦ କରି ନ ଶୁଣିବାର ଅଭିନୟ କରୁଛି ସେ ଭୋକରେ ଆଉଟୁ ପାଉଟୁ ହେଉଥିବା ପିଲାଙ୍କ ସ୍ୱରକୁ ।

ରାସ୍ତାର ବାଁ କଡରେ ଥିବା ତିନି ମହଲା କୋଠାର ମଝି ବଖରାର ଝରକା ଫାଙ୍କରୁ ମିନି ମାଡମ୍ କିନ୍ତୁ ଖୁବ୍ ଉତ୍ସୁକତାର ସହ ଉପଭୋଗ କରୁଛନ୍ତି ବର୍ଷାର ପ୍ରତିଟି ବୁନ୍ଦାର ସ୍ପର୍ଶକୁ ନିଜ ପାପୁଲିରେ ପାଇ। ମୋବାଇଲର କ୍ୟାମେରାରେ କଏଦ କରୁଛନ୍ତି ମୁହୂର୍ତ୍ତକୁ ସବୁ।କୁନି ପୁଅଟି ଆସି କେତେବେଳୁ ତାଙ୍କ ଶାଢୀର କାନି ଟାଣୁଛି ସେଥିପ୍ରତି ବି ନଜର ନାହିଁ। ଶେଷରେ ବିରକ୍ତ ହୋଇ ଡାଇନିଂ ଟେବୁଲ ପ୍ରତି ଇଙ୍ଗିତ କରି ତାକୁ ଚୁପ ଚାପ୍ ଖାଇ ଯିବାକୁ କହିଲେ।

କିଛି ସମୟ ପରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ଅପଡେଟ ହେଲା “ହ୍ୱଟ ଏ ବିଉଟିଫୁଲ୍ ରେନି ‘ଡେ , ଏଭରିଥିଙ୍ଗ ମେକସ ହାପି, ଏନଜଇଙ୍ଗ ୱିଦ୍ ଫେମିଲି।”

ମେଣ୍ଡା, ସୁବର୍ଣ୍ଣପୁର

Leave A Reply

Your email address will not be published.