ଗପ: କେତେ ରୂପରେ ମା

ପ୍ରସେନଜିତ ସେଠୀ                                                                         

ଦଶହରା ସମୟ। ଆଜି ନବମୀ। ଚାରିଆଡ ଉତ୍ସବମୁଖର। ବିଭିନ୍ନ ପ୍ରକାର ଲାଇଟ୍ ରେ ସଜା ହେଇଛି ରାସ୍ତାଘାଟ। ମାଇକ୍ ରେ ଅନେକ ପ୍ରକାର ଗୀତ ବାଜି ଚାରିଆଡ କମ୍ପେଇ ଦେଉଛି। ଶକ୍ତପୀଠ ମାନଙ୍କରେ ପୂଜା ଚାଲିଛି। ବିଭିନ୍ନ ପୂଜା ପେଣ୍ଡାଲରେ ମାଆ ଦଶଭୁଜା ବିରାଜିତ। ସବୁଠାରେ ଜନ ଗହଳି ଜୋରଦାର, ମାଛି ଉଡ଼ିବା ପାଇଁ ଜାଗା ନାହିଁ। ଅତ୍ୟନ୍ତ ଭକ୍ତିର ସହିତ ଲୋକମାନେ ମାଆଙ୍କର ଦର୍ଶନ କରୁଛନ୍ତି।

ସହର ତଳି ବସ୍ତିରେ ଆଜି ଲୋକବାକ କେହି ଗୋଟେ ଦିଶୁ ନାହାନ୍ତି। ଦିଶନ୍ତେ ବା କେମିତି, ବସ୍ତିର ହାଲତ ଯାହା, ଲୋକ ରହିବା ପାଇଁ ବି ଜାଗା ନାହିଁ, ମାଆଙ୍କ ପୂଜା କରିବେ କେଉଁଠି। ତେଣୁ ସମସ୍ତେ ସହରୀ ପୂଜା ମଣ୍ଡପରେ ଯାଇ ଅଧିଆ ପଡିଛନ୍ତି। ଖାଲି ଯାହା କୁକୁର ବୋବେଇବା ଶବ୍ଦ ଶୁଭୁଚି, ଆଉ କିଛି ନାହିଁ। ସମ୍ପୂର୍ଣ୍ଣ ନୀରବ। ହେଲେ ନିରବତାକୁ ଭଙ୍ଗ କରୁଛି, ବସ୍ତି ଶେଷ ମାଧବୀଲତାର ଜ୍ଵର ଗ୍ରସ୍ତ ଶିଶୁର ଚିତ୍କାର।

ଏଇ ସକାଳେ ତ ସବୁ ଠିକ୍ ଥିଲା। ସେ ତା ପୁଅ ସହିତ ଯାଇଥିଲା ପୂଜା ମଣ୍ଡପ ବୁଲି। ମାଆଙ୍କ ନିକଟରେ ପ୍ରାର୍ଥନା କରିଥିଲା ତା ପୁଅ ଓ ସ୍ୱାମୀର ମଙ୍ଗଳ କାମନା କରି। ହେଲେ ହଠାତିଆ ସନ୍ଧ୍ୟା ବେଳକୁ ଜ୍ଵର ମାଡି ଆସିଲା ପୁଅକୁ। ସାହି ମାଇପେଙ୍କ ସହିତ ରାତିରେ ପୁଅକୁ ନେଇ ବୁଲିବାକୁ ଯିବ ବୋଲି ଭାବିଥିଲା ମାଧବୀ, ହେଲେ ଏବେ ସବୁ ଯୋଜନା ପଣ୍ଡୁର୍ ହେଇଗଲା। ସ୍ୱାମୀ ତାର ଯାଇଚି ଅନ୍ୟ ସହରକୁ କାମରେ, ସପ୍ତାହେ ହେଲାଣି ଯାଇଛି। ଆହୁରି ଦଶ ଦିନ ପରେ ଆସିବ। ଏକୁଟିଆ ସେ ଘରେ। ଆଉ କେହି ପୁରୁଷ ନାହାନ୍ତି। ପୁଅଟାକୁ ଧିରେ ଧିରେ ଜ୍ଵର ବଢ଼ିଲାଣି, ଖାଲି କମ୍ପୁଛି, ମରିଯିବି ମରିଯିବି ବୋଲି ଚିଲାଉଛି। ରାତି ବଢିବା ସହିତ କଷ୍ଟ ବି ବଢୁଛି। କଣ କରିବ ମାଧଵୀ, ଔଷଧ ଆଣି ନଦେଲେ, କାଳେ କଣ ହେଇଯିବ ଭାବି ତାର ମୁଣ୍ଡ ଆଉ କାମ କରୁନି।

ରାତି ଆସି ନଅ ଟା ବାଜଲାଣି, ସାହସ ବାନ୍ଧିଲା ମାଧବୀ। ଡରି ରହିଲେ କିଛି ଲାଭ ନାହିଁ। ପାଞ୍ଚ ବର୍ଷର ପୁଅଟା, ଜ୍ଵର କୋପରେ ଚାଲି ପାରୁନି। ମାଧବୀ ଦେହରେ ଏବେ ସିଂହର ବଳ, ପୁଅକୁ ଯେମିତି ହେଉ ନେଇକି ଡାକ୍ତର ଦେଖେଇବ। ବାହାରେ ଗାଡ଼ି ମଟରର ସୋର୍ ଶବଦ ନାହିଁ। ପୁଅକୁ କାଖେଇ ଧରିଲା, ସିଧା ଚାଲିଲା ତାର ଜଣାଶୁଣା କ୍ଲିନିକ୍ ଆଡେ଼। ସାଢେ ତିନି କିଲୋମିଟର ବାଟ ଚାଲି ଚାଲି ଆସି ପହଞ୍ଚିଲା ଡାକ୍ତର ଙ୍କ ପାଖରେ, ମନେ ମନେ ଖାଲି ମାଆ ଦଶଭୁଜା ଙ୍କୁ ସ୍ମରଣ କରୁଥାଏ। ଯାହା ହେଉ ଡାକ୍ତର ବାବୁ ତା ପୁଅକୁ ଦେଖିଲେ। କହିଲେ, କିଛି ଅସୁବିଧା ନାହିଁ, ଟେଷ୍ଟ କରିବା ଆବଶ୍ୟକ ନାହିଁ, ଏଇ ଔଷଧ ନେଇ ଯାଆ, ତୋ ପୁଅ ଭଲ ହୋଇଯିବ। ମାଧବୀର ମନ ଆଶ୍ୱସ୍ତ ଲାଗିଲା। ଡାକ୍ତରଙ୍କୁ ତାଙ୍କ ଫି ଯାଚୁଥିଲା, ଡାକ୍ତର ବାବୁ ମନା କଲେ। ତାର ସ୍ୱାମୀ ମଝିରେ ମଝିରେ ଡାକ୍ତର ବାବୁଙ୍କ ବୋଲହାକ କରେ, ତେଣୁ ଏମିତି ଅନୁଗ୍ରହ।

ମାଧବୀ ସଙ୍ଗେ ସଙ୍ଗେ ଔଷଧ ଦୋକାନରୁ ଔଷଧ କିଣି, ବାହାରିଲା ନିଜ ଘରକୁ। ପୁଅକୁ କାନ୍ଧେଇଛି। ପୁଅ ତା ପିଠିରେ ନିଦରେ ଶୋଇ ଯାଇଛି। ଫେରିଲା ବେଳକୁ ଆସି ରାତି ଏଗାର ବାଜିଲାଣି, ତାକୁ ଭାରି ଡର ମାଡ଼ୁଛି। ଆଜି କାଲି ଯାହା ସେ ଟିଭି ଓ ଖବର କାଗଜରୁ ପଢୁଛି ସେ କଥା ମନେ ପଡିଲାକୁ ତାକୁ ଆହୁରି ଡର ଲାଗୁଥାଏ, ବାଟରେ ପୁଣି ମଶାଣି ଟାଏ ପଡ଼ିବ, ସେଠି ମଦୁଆ ଗଞ୍ଜଡିଆଙ୍କର ନିତି ଦିନିଆ ଖଟି। ଏଇ ତ ମଶାଣି ଆସି ପହଞ୍ଚିଲାଣି। ଭୂତ, ରାକ୍ଷସ ଅପେକ୍ଷା ଏଇ ନାରୀ ମାଂସ ଖିଆ ନର ରାକ୍ଷସ ଗୁଡ଼ାକ ପ୍ରତି ତାର ଭାରି ଭୟ। କିଛି ଦୂରରେ ତିନି ଜଣ ଭେଣ୍ଡିଆ ବସି ଗଞ୍ଜେଇ ଫୁଙ୍କୁଥିଲେ, ତାକୁ ଦେଖି ଜଣେ କହିଲା, “ଆବେ ଆଜି ବେଶୀ ଗଞ୍ଜେଇ ମାରିଦେଲେ ବୋଧେ!! ମୋତେ କଣ ଦୂରରୁ ଗୋଟେ ଛନ୍ ଛନିଆ ଟୋକିଟାଏ ଦେଖା ଗଲାଣି!!” ତା କଥା ଶୁଣି ଆଉ ଜଣେ କହିଲା, “ସତରେ ବେ, ଆଜି ପ୍ରବଳ ନିଶା। ମୋତେ ବି ସେମିତି ଦେଖା ଯାଉଛି!!” ସେମାନଙ୍କ କଥା ଶୁଣି ସାରି ତୃତୀୟ ଜଣକ କହିଲା, “ଆବେ ସତରେ ବେ!! ଟୋକିଟେ ଯାଉଛି!! ଦେଖୁନୁ କେମିତି ଆମ ପାଟି ଶୁଣି ଧାଇଁବାକୁ ଲାଗିଲାଣି!! ଚାଲ ଚାଲ ଧରିବା ତାକୁ!! ଏଭଳି ଅପୂର୍ବ ସୁଯୋଗ କଣ୍ ମିଳେ କେବେ!!”” ମାଧବୀ ଗତି ଦୃତ କରିଦେଲା, ଯାହାବି ଦଉଡ଼ି ପାରନ୍ତା, ହେଲେ ଛୁଆଟା ପିଠିରେ ଅଛି। ଏଇ ତ ଟୋକା ଗୁଡ଼ାକ ପାଖେଇ ଆସିଲେଣି, ସେ ଏକୁଟିଆ କରିବ କଣ୍!! “ହେ ମାଆ ମଶାଣି ଚଣ୍ଡୀ, ହେ ମାଆ କଟକ ଚଣ୍ଡୀ, ହେ ମାଆ ଦୁର୍ଗା ମାଆ ବଞ୍ଚା ମୋତେ!!” ଏଇ ତ କିଏ ଜଣେ ଗୋଟେ ପିଠିରେ ହାତ ପକେଇଲାଣି! ମାଧବୀ ତା ହାତକୁ ଛାଟି ଦେଇ ଦଉଡ଼ିବାକୁ ଲାଗିଲା, ହେଲେ ପାରିଲାନି!! ଟୋକାଟା ଦେହ ଖରାପ ବୋଲି, ସନ୍ଧ୍ୟା ବେଳଠୁ କିଛି ଖାଇନି ସେ!! ପୁଅ ସେବାରେ ଲାଗିଛି ଯାହା। ସେ ଥକି ଯାଇ ରହିଗଲା। ତିନି ଜଣ ଯାକ ତାକୁ ଘେରି ଗଲେଣି, ତଥାପି ସେ ପୁଅକୁ ଆଉ ଔଷଧ ଜରିଟା ସେମିତି ଜାବୁଡ଼ି ଧରିଛି। ମନେ ମନେ ମାଆଙ୍କୁ ସ୍ମରଣ କରୁଛି!!

ଆରେ, ଏ କଣ!! କୋଉଠି ଥିଲେ ତିନି ଚାରିଟା ବୁଲା କୁକୁର, ଭୋ ଭୋ ହୋଇ ମାଡି ଆସିଲେ!! ମାଧବୀର ଟିକେ ସାହସ ସଞ୍ଚୟ ହେଲା, ହେଲେ ଥକି ଯାଇଥିବାରୁ ଉଠି ପାରିଲାନି। ଜଣେ କହିଲା, ତମେ ଦୁଇଜଣ ସେ କୁକୁର ଗୁଡ଼ାକୁ ଘଉଡାଅ ଯାଇକି, ସେତେବେଳ ଭିତରେ ମୁଁ ଆ କଥା ବୁଝୁଛି। ଅନ୍ୟ ଦୁଇ ଜଣ କୁକୁର ଉଡ଼ାଇବା ପାଇଁ ଗଲେ, ହେଲେ କୁକୁର ଗୁଡ଼ାକ କାହିଁ ସେମାନଙ୍କୁ ଶୁଣିବେ, ଓଲଟା ଆହୁରି ଜୋରେ ଭୁକି ଭୁକି ମାଡି ଆସୁଛନ୍ତି। ମାଧବୀ ଏଇ ସମୟରେ ଶକ୍ତି ସଞ୍ଚୟ କରି ଗୋଟେ ଜୋର୍ ଲାତ ମାରିଲା ତା ଆଡକୁ ଆସୁଥିବା ବ୍ୟକ୍ତି ଜଣକୁ, ସେ ଏକାବେଳେ ବିକଟାଳ ଚିତ୍କାର କରି ପଡ଼ିଲା ସେଇଠି। ଅନ୍ୟ ଦୁଇ ଜଣକୁ କୁକୁର ଗୋଡ଼େଇ ଗୋଡ଼େଇ ଘଉଡ଼ାଇ ଦେଲେ। ମାଧବୀ ଆଶ୍ବସ୍ତ ହେଲା। ପୁଅକୁ କାନ୍ଧରେ ଧରି ଘର ମୁହାଁ ଚାଲିଲା। କିଛି ବାଟ ଯାଇଛି, କଣ୍ ମନେ ହେଲା ପଛକୁ ଅନେଇଲା, ହେଲେ କୁକୁର ଗୁଡ଼ାକ ଦେଖା ଯାଉ ନଥିଲେ, ମାଧବୀ ମାଆଙ୍କ ନାମ ଜପି ଜପି ଆସି ଘରେ ପହଞ୍ଚିଲା!!

ବାଲିଆ , ଗୋପୀନାଥପୁର ଜଗତସିଂହପୁର