ଗଳ୍ପ : ବାପା

ସ୍ବର୍ଣ୍ଣଲତା ମହାପାତ୍ର 

ମୁଁ ଲେମ୍ବୁ ଆଚାର ଚାଟିଚାଟି ମିଷ୍ଟର ଇଣ୍ଡିଆ ସିନେମା ଦେଖୁଥିଲି।ରାତି ପାହିଲେ ରାକ୍ଷୀ ପୁନେଇଁ।ମା ଶିଳରେ ବିରି ଚାଉଳ ବାଟୁଥିଲା,ଘର୍ ଘର୍ କରି।ମତେ ବିରକ୍ତ ଲାଗିଲା।ମୁଁ କବାଟ ଆଉଜାଇ ଗୋଡ ହଲେଇ ହଲେଇ ଶାନ୍ତିରେ ଟିଭି ଦେଖିଲି।

ବିକଳିଆ ଶବ୍ଦଟେ ବାହାରୁ ଶୁଭିଲା।କବାଟ ଖୋଲି ମା’ ପାଖକୁ ଗଲି।ବାପା ଅଫିସରୁ ଫେରି ଆସିଥିଲେ। ଗୁମ୍ ମାରି ବସିଥିଲେ।ମା ବଟାବଟି ବନ୍ଦ କରି ମୁଣ୍ଡରେ ହାତ ଦେଇ କାନ୍ଦୁଥିଲା।ମୁଁ କେତେ ପଚାରିଲି ସେ କିଛି କହିଲାନି।ବାପା ବାଥ୍ ରୁମ୍ ଗଲାପରେ କହିଲା, ପରି ଚାଲିଗଲେ।(ପରିକ୍ଷୀତ), ମାନେ ମୋ ସାନ ବାପା।ଗାଁ ରେ ବିଲକୁ ଯାଇଥିଲେ,ବର୍ଷା ହେଲା।ମଝି ବିଲରେ ଚଡକ ମାଇଲା।ସେ ଜଲ୍ଦି ଫେରିବେ କହି ଯାଇଥିଲେ।ଫେରିଲା ତାଙ୍କ ଦର ପୋଡ଼ା ମୃତଦେହ।ବଳଦ ହଳକ ଦର ମରା ହେଇ ବିଲରେ ଛଟ୍ ଛଟ୍ ହଉ ଥିଲେ ଯେ,ତାଙ୍କ ଆଡେ କାହର ନିଘା ନଥିଲା।ସାନବାପାଙ୍କୁ ଟେକି ଆଣି ପିଣ୍ଡାରେ ଶୁଆଇ ଦେଲେ ଗାଁ ଲୋକେ।ସାନ ମା’ ର ଚେତା ବୁଡ଼ି ଗଲା।

ମା’ ବାପା ଗାଁକୁ ବାହାରି ଗଲେ।ଆମେ ଭାଇ ଭଉଣୀ ଘର ଜଗିଲୁ।ମୁଁ ଶହେ ଚେଷ୍ଟା କଲି,ସାନବାପାଙ୍କ ମୁହଁଟା ଆଦୌ ମନେ ପଡିଲ ନାହିଁ। ହଠାତ ତାଙ୍କର କୌଣସିଟି କଥା ମନେ ପଡିଲା ନାହିଁ। ମୁଁ କାନ୍ଦିଲିନି।କ’ଣଟା ମନ ପକେଇ କାନ୍ଦିବି।କିଛି ତ ମନ ପଡୁନି।ଆମେ ଦଶ ଦିନରେ ଗାଁ କୁ ଗଲୁ।ଭୋଜି।ସବୁ କୁଣିଆ ଘରେ ଗଦା ହେଇଥାଆନ୍ତି।କିଏ ଆହା,,କିଏ ଚୁ ଚୁ କରୁ ଥାଆନ୍ତି।ତିନିଟା ଝିଅ, ଚାରି ବର୍ଷର ପୁଅ।ଏ ସ୍ତ୍ରୀ ଟା’ କେମିତି ଜୀବନ କାଟିବ?ଅକାଳରେ ପରି ଚାଲିଗଲା।ବୁଢ଼ା ବୁଢ଼ୀ ଥାଉ ଥାଉ ଯବାନ ଲୋକଟା ଚାଲିଗଲା।ଚାରିଟା ଛୁଆଙ୍କୁ କେମିତି ମଣିଷ କରିବ?କିଏ କାହାକୁ କୁଣ୍ଢେଇ ଧରି କାନ୍ଦୁଥାଏ ତ କିଏ ବାହୁନୁଥାଏ,ତାଙ୍କର ସବୁ ଭଲ ଗୁଣଗୁଡା ଗାଇ ଗାଇ।ମୋ ସାନ ମା’ ମୁହଁରେ ଲୁଗା ବିଣ୍ଡା ଦେଇ କାନ୍ଥକଡ଼କୁ ଆଉଜିହେଇ କୁଁ କୁଁ ହଉଥାଆନ୍ତି।

ସମସ୍ତଙ୍କ ଆଖି ଓଦା।କେବଳ ଜଣଙ୍କୁ ଛାଡି।ମୋ ଚାରିବର୍ଷର ସାନବାପା ପୁଅ ସାନଭାଇ।ତା’ ଆଖିରେ ଧାରେ ଧାପେ ବି ଲୁହ ବହୁନଥିଲା।ମୋ ଜେଜେ ତାକୁ ନଡ଼ିଆ ଖୋଳି ଦଉଥାଆନ୍ତି।ସେ ଖାଉଥାଏ।ଆଜି ରନ୍ଧା ଡେରିହବ।ମାଛ ହେଉଛି।ଗାଁ ସାରା ଲୋକ ଖାଇବେ ଭୋଜି।
ସିଏ ଖୁସି ଥିଲା। କଷା ଖାଇ ଖାଇ ପାଟିଟା ଅର୍ଚିଆ ହେଇ ଗଲାଣି।ଆଜି ମାଛ ଖାଇବ।ପୁଣି ଆଜି ତୁଠରୁ ଗାଧେଇ ସାରି ନୂଆ ଡ୍ରେସ ପିନ୍ଧିଛି।ତା ମାମୁଁ ଘର ଆଣିଛନ୍ତି।ସେ ଡେଉଁଥାଏ।କହୁଥାଏ

– ଏମାନେ କାଇଁ କାନ୍ଦୁଛନ୍ତି?

-ତୋ ବାପା କଥା କ’ଣ ତୋର ମନ ପଡୁନି?ସେ ଯେ ଆଉ ଫେରିବେନି।ସେଥିପାଇଁ…

-ଫେରିବେନି!କିଏ କହିଲା?ଜେଜେ କହିଛନ୍ତି ସେ ଫେରିବେ।ଖାଲି ରାତିରେ, ଦିନରେ ନୁହେଁ।ଏଇଇଇ ଆକାଶର ତାରା ହେଇକି।ଦେଖିବ ଦେଇ ,ଆଉ ଟିକେ ଗଲେ ଯେତେବେଳେ ଅନ୍ଧାର ହବନି…ସେତେବେଳେ ତାରା ହେଇକି ଆକାଶରେ ଫୁଟିବେ।

ଭୋଜି ପରେ ସମସ୍ତେ ଚାଲିଗଲେ।ଆମେ ଥିଲୁ।ଦ୍ବିପ୍ରହରେ ବର୍ଷା ଆସିଲା।ଧାନ ବସ୍ତାଟା ଓଦା ହେଇଯିବା ଭୟରେ ସାନ ମା’ ଟେକି ଟେକି ପିଣ୍ଡାରୁ ଘରକୁ ନେଲା ବେଳକୁ ସେ ଅଟକାଇଲା।

–ର’ ମା’ ..ମୁଁ ନେଇ ଯିବି।ତୋ ଅଣ୍ଟା ଧରିଛି, ତୁ ଟେକି ପାରିବୁନି।

କୁନ୍ଥେଇ ହେଇ ଦି ‘ପାହୁଣ୍ଡ ଯାଏ ଘୋଷାରି ନେଲା ବସ୍ତାଟା।ମୁଁ ତାଟକା ହେଇ ଚାହିଁଥାଏ।

–ର’ ବାପା ତୁ ନେଇ ପାରିବୁନି।ଛୁଆ ଲୋକ, ଛାଡ଼ି ଦେ।ସାନମା ‘ କହିଲେ।

–କାଇଁ ନେଇପାରିବିନି?ମୁଁ ପା ଏଥର ବାପା।ଜେଜେ କହିଛନ୍ତି।ଆଉ ତୁ ବି ତ ମତେ ବାପା ବୋଲି ଡାକୁଛୁ ନା…

ଏବେ ଯାଇ ମୋର ସାନ ବାପାଙ୍କ ମୁହଁ ଟା ମନେ ପଡିଗଲା।ତା ଅସୀମ ସାହସ ,ବଳ ଦେଖି ତା ଭିତରେ ମତେ ସାନ ବାପା ଦେଖାହେଲେ।

ଏଥର ମତେ ଖୁବ୍ ଯୋରେ କାନ୍ଦ ଲାଗିଲା।ମୁଁ ଓଳି ପଛପଟକୁ ଦୌଡ଼ି ଯାଇ ଖୁବ୍ କାନ୍ଦିଲି।ଏକୁଟିଆ।ନିରୋଳାରେ।ମତେ କାହା ଆଗରେ କାନ୍ଦିବାକୁ ଲାଜ ଲାଗେ।ମୁଁ କି ଏତେ କାନ୍ଦିପାରେ!!!ସେ ଦିନ ଜାଣିଲି।

କିଛି ବର୍ଷ ପରେ ମୁଁ ଗାଁ କୁ ଗଲି।ସେ ଟିକେ ବଡ଼ ହେଇଯାଇଥିଲା।ମତେ ଦେଖି ଖୁସି ହେଲା।ଭାଇ ଭଉଣୀ ବସି ବହୁତ ଗପିଲୁ।ତା’ବାପାଙ୍କ କଥା ପଡିଲାରୁ ଗମ୍ଭୀର ହେଇ ସେଠୁ ଉଠି କୁଆଡେ ଚାଲିଗଲା।ମୁଁ ତାକୁ ଖୋଜି ଖୋଜି ବାରିଆଡକୁ ଚାଲିଗଲି।ଓଳି ପଛ ତେନ୍ତୁଳି ଗଛ ମୂଳେ ମୁହଁ ମାଡ଼ି ବସିଥାଏ।

–କ’ଣ ହେଲା?କାନ୍ଦୁଛୁ କିରେ ବାପା।
–ନା ଦେଇ।ମୁଁ ତ କାନ୍ଦୁନି!!!
–ଓଃ…ମୁଁ ଭାବିଲି କାଳେ ବାପା କଥା ମନେପଡିଗଲା ବୋଲି,କାନ୍ଦୁଥିବୁ।
–ନା ଦେଇ ତୁ ଜାଣିନୁ କି..ବାପା ମାନେ କେବେ କାନ୍ଦନ୍ତିନି।ଶାସନ କରନ୍ତି।ଭୁଲ୍ ହେଲେ ଗାଳି କରନ୍ତି।ଘରର ସବୁ ଦାୟିତ୍ୱ ନିଅନ୍ତି।ସେମାନେ କେବେ ହାରନ୍ତିନି।କେବେ ମରନ୍ତିନି।ଜେଜେ କହି ନଥିଲେ,ମୁଁ ଏଥର ବାପା ବୋଲି?
ତା’ ସହ ମୁଁ ବି ଆଖି ପୋଛିଲି।ସତରେ ଏ ଓଳିପଛପଟ ଭାରି ଅଳିଆ।ଧୂଳି ଧୂସର।ଯିଏ ଆସିଲା ତା ଆଖିରେ କିଛି କି କିଛି ପଡ଼ିବ ହିଁ ପଡ଼ିବ।

ନୟାପଲ୍ଲୀ, ଭୁବନେଶ୍ୱର