ବ୍ୟସ୍ତତାରୁ ମୁକ୍ତି ପରେ

ଅନନ୍ତାଂଶୁ ଜେନା

ରାତିର ବାସି ସୂର୍ଯ୍ୟ ରକ୍ତିମ ହେଲାଣି
ଖରାବେଳ ନଈ ପଠା
ଗାଁ ହାଟ ବେସୁରା ବେସୁରା
ସତେକି ଆକାଶଟା ଛିଣ୍ଡି ପଡିଛି !

ବୀଣାର ମଧୁରତା କେଡ଼େ କର୍କଶ
ତୁମେ ଫେରିଗଲା ପରେ
ଏ କ’ଣ କାଳର ଅଟ୍ଟାହାସ୍ୟ !

ସତରେ, ଛୁଇଁଦେଲ ମୃତ୍ୟୁକୁ !
କାଳାନ୍ତକ ର ବାର୍ତ୍ତା କାହିଁ ?
କିଛି ପାଇଲ !

ଆନନ୍ଦ ନା ବିଷାଦ ର ରଡ଼ ନିଆଁ
ତୁମ ଛଡ଼ା ଆଉ କିଏ ଦେବ
ଅପହୃତ ମୃତ୍ୟୁର ସଂଜ୍ଞା ।

ଦୁଃଖ ଯେ ତୁମ ଚିରସାଥୀ, ସହୋଦର
ବିନା କାରଣରେ
କାନ୍ଦିବାର ଅଭିପ୍ରାୟ ନାହିଁ
ତୁମର ପୁଣି କି ଦୁଃଖ !

ସବୁଦିନ ଅଭ୍ୟସ୍ତ ଘଟଣାରେ
ଶେଷଥର ପାଇଁ ବିଦାୟ ନେବାକୁ
ଫେରନ୍ତନି ଥରେ, ଅଜାଣତରେ ।

ଶୁଣିଛ ? କେତେ କୋହ
ତୁମ ପାଇଁ, କେତେ ଛାତିରେ
ରାତିର ନିବିଡ଼ତା ଫିକା
ଗୋଲାପର ଗନ୍ଧ ନାକରେ ବାଜୁନି
ମୋର କି ଯାଏ ଆସେ
ତୁମେ ଥିଲେ କି ନ ଥିଲେ
ଆଗପରି, ମୁଁ ସେମିତି ହସେ ।

ରାଜକନିକା, କେନ୍ଦ୍ରାପଡ଼ା