ଅଣୁଗଳ୍ପ : ଅଦିନିଆ ପଖାଳ ପ୍ରେମ

🖋️ ଭକ୍ତିମୟୀ ଜେନା 

                                         ( ୧ )

ସକାଳୁ ପଖାଳ ବେଲାଏ ଖାଇକି କଲେଜ ଯାଉଥିବା ଆମ ପରିଡ଼ା ବାବୁଙ୍କ ଝିଅ ଲୋନି ଇଜ୍ଜତ ଚାଲିଯିବା ଡରରେ ସାଙ୍ଗ ମାନଙ୍କୁ କୁହେ ମୁଁ ଆଜି ଉପମା, ପୁରୀ, ମ୍ୟାଗୀ, ଚଉମୀନ ଖାଇକି ଆସିଛି।କିନ୍ତୁ ଆଜି ଅପାର କଣ ହେଇଛି ତା ସାଙ୍ଗକୁ କେମିତି ସତରେ କହୁଛି ପଖାଳ ଖାଇକି ଆସିଛି ବୋଲି??ସୋନି ମନରେ ଆଜି ଏଇ ପ୍ରଶ୍ନ ?

                                         ( ୨ )

ଆଜି ସକାଳୁ ସକାଳୁ ସୀମା ଦେବୀ ତାଙ୍କ କାମବାଲୀ ଉଦ୍ଦେଶ୍ୟରେ କହିଲେ ଆଲୋ ରେଖା ଆଜି ଖରାବେଳେ ପଖାଳ କରିଦେବୁ ଆଉ ଟିକେ ଆଳୁ ଚଟଣୀ, ବଡ଼ି ଚୁରା , ଶାଗ ଭଜା ବାଇଗଣ ଭଜା ଏମିତି ଟିକେ ଟିକେ କରିଦେବୁ। ଆଜି ବର୍ଷା କହିଛି ପଖାଳ ଖାଇବା ବୋଲି। ରୋଷେଇ ଘରକୁ ଯିବା ବେଳେ ରେଖା ମନେ ମନେ ଭାବୁଥିଲା ୧୫ଦିନ ତଳେ ମୋ ଦେହ ଖରାପ ଥିବା ବେଳେ ମା କହିଲେ ତୋ ଦେହ ଖରାପ ପଖାଳ କରିଦେଲେ ହୁଅନ୍ତା ଯେ, କିନ୍ତୁ ସେଇ ବର୍ଷା ପଖାଳ ଖାଇବ ରୋଷେଇ କରିଦେ ! କିନ୍ତୁ ଆଜି ସୂର୍ଯ୍ୟ କୋଉ ଦିଗରେ ଉଦୟ ହେଲେ ?

                                         ( ୩ )

ସମ୍ବିତ ଗାଁର ପରିବେଶ ଛାଡି ସହରର ଚାକଚକ୍ୟରେ ଆସି ରହୁଛି । ସବୁଦିନ ପଖାଳ ଖାଇବା ପାଇଁ ମନ ଡହଳ ବିକଳ ହେଲେ ବି ନିଜ  ସହକର୍ମୀ ମାନଙ୍କ ଆଗରେ ନିଜ ସମ୍ମାନ ହରେଇବା ଡରରେ ଖାଇ ପାରେନି । କିନ୍ତୁ ଆଜି ସମ୍ବିତର ମନ ବହୁତ ଖୁସି କାହିଁକି ନା ଆଜି ପଖାଳ ଖାଇବାର ଇଚ୍ଛା ତାର ଏକା ନୁହଁ ବୋଧେ ସମସ୍ତଙ୍କର ହେଇଛି ସେଥିପାଇଁ ତ ଅଫିସ କ୍ୟାଣ୍ଟିନରେ ସମସ୍ତଙ୍କ ଟେବୁଲ ଉପରେ ଆଜି ପଖାଳ କଂସା ଥୁଆ ହେଇଛି ।
                                          ( ୪ )

ନେହା ଆଜି ପଖାଳ କଂସାର ଫୋଟୋ ଉଠେଇ ହ୍ଵାଟ୍ସଆପରେ ଅପଲୋଡ଼ କରିବା ସମୟରେ ତା ବାପା ପଚାରିଲେ ମା କ’ଣ କରୁଛୁ କି? ଉତ୍ତରରେ ନେହା କହିଲା ବାପା ଜାଣିନ କି ଆଜି ପା ୨୦ ମାର୍ଚ୍ଚ ବିଶ୍ଵ ପଖାଳ ଦିବସ । ବାପା ଟିକେ ହସିକି କହିଲେ,  ‘ଆଲୋ ମା ଏଇ ପଖାଳ ଦିବସଟା ପ୍ରତି ଅଣ ଓଡ଼ିଆଙ୍କ ପାଇଁ ଆଜି କିନ୍ତୁ ପ୍ରତି ଓଡ଼ିଆଙ୍କ ପାଇଁ ତାଙ୍କର ପ୍ରତ୍ୟେକ ସକାଳ ହିଁ ପଖାଳ ଦିବସ ହେଇଥାଏ ।ନେହା ବୋଧ ହୁଏ ବାପାଙ୍କ କଥାଟା ବୁଝି ପାରିନଥିବ । କିନ୍ତୁ ପ୍ରତ୍ୟେକ ଓଡ଼ିଆ ମଧ୍ୟବିତ୍ତ ପରିବାରର ଲୋକ ନେହାର ବାପାଙ୍କ କଥା ବୁଝି ପାରୁ ଥିବେ ।

ଭୁବନେଶ୍ୱର