ରମେଶ ରଥ
ରଥପରେ ତୋତେ ଦେଖିବି ବୋଲିରେ
କେତେ କରିଥିଲି ଆଶା,
ସବୁ ଆଶା ମୋର ହୋଇଲା ନିରାଶା
ପଡ଼ିଲାକି ଶନି ଦଶା।।
ବରଷକେ ଥରେ ଆସୁ ରଥପରେ
ପତିତ ଉଦ୍ଧାର ପାଇଁ,
ହେଲେ ଏ ବରଷ କିମ୍ପାଇଁ ନିରାଶ
କରିଲୁ ଜଗତ ସାଇଁ।।
ଅନାଥର ନାଥ ତୁମ୍ଭେ ଜଗନ୍ନାଥ
ଭକତର ଭାବଗ୍ରାହି
ତୋ ରଥ ଗଡ଼ିଲା ବିନା ଭକତରେ
କେମିତି ପାରିଲୁ ସହି।।
ଏ କଳି ଯୁଗରେ ତୋ ବିନା ଜଗାରେ
କେ ଭବୁ କରିବ ପାରି,
ବାମନ ରୂପରେ ତୋତେ ରଥ ପରେ
ପାରିଲିନି ଦେଖି ହରି।।
କୋଟି କୋଟି ଭକ୍ତ ଚାହିଁ ବସିଥିଲେ
ତୋ ରଥ ଟାଣିବେ ଧରି,
ସଭିଙ୍କର ଆଶା ଆଶାରେ ରହିଲା
କପଟ କଲୁକି ହରି।।
ଏତିକି ଆଶା ମୁଁ କରିଛି ଜଗାରେ
ଧରି ତୋ ରଥ ଦଉଡି,
ତୋ ଚକାଡୋଳାକୁ ଦେଖୁଥିବା ବେଳେ
ପ୍ରାଣପକ୍ଷୀ ଯିବ ଉଡି।।
ଆହେ ଇଛାମୟ ଇଛାକୁ ତୋହର
କେ ଅବା ପାରିଛି ଜାଣି,
ବିନା ଭକତରେ ତୋର ଘୋଷଯାତ୍ରା
କରିଅଛୁ ଜାଣିଶୁଣି।।
ପାଣି ଫୋଟକାଠୁ ହିନ ଏ ଜୀବନ
କେ ଅବା ଦେଖିଛି କାଲି,
ଆର ବରଷକୁ ବଞ୍ଚିଥିଲେ ଜଗା
ଯିବି ତୋ ଶରଧା ବାଲି।।