କବିତା : ରାଗ କୁହୁକ

ରାମକୃଷ୍ଣ 

ଯେଉମାନେ ଆଖିରେ କଳାପଟି ବାନ୍ଧିଲେ
ସୁଖର ଦିବାସ୍ବପ୍ନରେ
ସେମାନେ ପ୍ରାୟ ପ୍ରାୟ ମୃତ
ଯେଉଁମାନେ ରୋକଠୋକ୍ ମନା କରିଦେଲେ
ସେମାନଙ୍କ ଆଖିରୁ ଝରିବା ଆ ଆରମ୍ଭ କଲାଣି
ବୁନ୍ଦା ବୁନ୍ଦା ରକ୍ତ ।

ଲୋକଟା ଭାରି ମାରାତ୍ମକ
ଆଉ ତାର ବଂଶୀରେ ରାଗ କୁହୁକ ।

ଶବ୍ଦମାନେ ମାମୁଁଘର ଚଉଁରିରେ
ବ୍ୟସ୍ତ ଏବେ ଚକାଚକା ଭଉଁରୀରେ
ତୂଣୀରରେ ବନ୍ଧା ଶବ୍ଦଭେଦୀ
ରୁଦ୍ଧ ବୈଠକୀରେ ରୁଣୁଝୁଣୁ
ଭାବର ଘୁଙ୍ଗୁର !

ଫଜେରା ଫାଟୁନି ଆଉ ପ୍ରଭାତୀରେ
ଶବ୍ଦ ଛାଟି ପାରୁନି ବିଜୁଳି ଅନ୍ଧାର
ସ୍ଲୋଗାନରେ ଦେଇପାରୁନି ଶାଣ
କବିତା ଅଗ୍ନି ସଂଯୋଗ କରିପାରୁନି ମଶାଲରେ
ପଡିଆସୁଛି ପ୍ରଶ୍ନର ପତା
ଲିଭିଆସୁଛି ଆଖିର ଆଲୁଅ
ଝଡ଼ ବତାସରେ ଉଡିଯାଉଛି ଛାତ
ତଥାପି ଜାରି ରହିଛି
ନୃତ୍ୟ ଓ ସଙ୍ଗୀତ ଆସର
ବନ୍ଦ କୋଠରୀରେ !

ବଡ ମାରାତ୍ମକ ସେ ଲୋକଟା
ଆଉ ତାର ବଂଶୀରେ ରାଗ କୁହୁକ ।

ବଂଶୀ ବାଦକର ପଛେ ପଛେ
ମୂଷାପଲ ପରି
ଅନ୍ଧ ବଧୀର ମୂକ ମୂଢ ଜନତା
ଯାଇ ଛିଡା ହେଲେଣି
ଆଗ୍ନେୟ ଗିରିର ଦାଢରେ
ତଥାପି ଦଳେ ପାଗଳ ପ୍ରେମିକ
ଆତ୍ମବିଭୋର କଳ୍ପନାର ଉଡାଣରେ ।

ସବୁଠି ଲୋଭ ଲାଭର ଲୟ
ବଡ ମାରାତ୍ମକ ସେ ଲୋକଟା
ଆଉ ତାର ବଂଶୀରେ ରାଗ କୁହୁକ !