Latest Odisha News

BREAKING NEWS

ସରିଥିଲା ପ୍ରାର୍ଥୀପତ୍ର ଦାଖଲ, ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ଆଶାୟୀ ପ୍ରାର୍ଥୀନୀ

ନୂଆପଡା: ଜଣେ ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ଅକାଳ ବିୟୋଗରେ ନୂଆପଡା ଜିଲ୍ଲା ଅରେଡା ପଂଚୟାତର ଚନୁଟମାଲ ଗାଁରେ ଶୋକ ଖେଳିଯାଇଛି । ମୃତକ ଜଣକ ଜଣେ ବିବାହିତା ମହିଳା ଓ ତାଙ୍କର ଗୋଟିଏ ପୁଅ, ଝିଅ ଥିବା ଜଣାପଡିଛି ।

ମୃତ ତୁଳସା ଶବର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସମିତି ସଭ୍ୟା ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅରେଡା ପଂଚାୟତରେ ସମିତି ସଭ୍ୟା ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ତୁଳସାଙ୍କର ବିଜୟ ଏକ ପ୍ରକାର ନିଶ୍ଚିତ ଥିଲା । ସରଳ ତଥା ଶିକ୍ଷିତ ହୋଇଥିବାରୁ ତୁଳସାଙ୍କୁ ନିର୍ବାଚନ ଲଢିବା ପାଇଁ ଗାଁ ଲୋକେ ଉତ୍ସାହିତ କରିଥିଲେ । ହେଲେ ଅକାଳରେ ତାଙ୍କ ନିଧନ ଗାଁ ଲୋକଙ୍କ ମନରେ ଟାଣିଦେଇଛି ଦୁଃଖ ଓ ଅବସାଦର ରେଖା ।

ତୁଳସାଙ୍କ ସ୍ୱାମୀ ଓ ଶାଶୁ ଦାଦନ ଖଟିବା ଲାଗି ଆନ୍ଧ୍ରପ୍ରଦେଶରେ ଡେରା ପକାଇଛନ୍ତି । ଅନ୍ୟପଟେ ଗାଁରେ ଶ୍ୱଶୁର ଓ ଦୁଇ ପିଲାଙ୍କ ସହ ତୁଳସୀ ରହୁଥିଲେ । ତେବେ ଗତ ସୋମବାର ଦିନ ହଠାତ୍ ତୁଳସାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଗିଡିବାରେ ଲାଗିଥିଲା । ଗାଁ ଲୋକଙ୍କ ସହାୟତାରେ ତୁଳସାଙ୍କୁ ପ୍ରଥମେ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତୁଳସାଙ୍କର ମୃତ୍ୟୁ ଘଟିଥିଲା ।

ତୁଳସାଙ୍କ ମୃତ୍ୟୁକୁ ଗାଁ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି । ଅନ୍ୟପଟେ ଏଭଳି ଘଡିସନ୍ଧି ମୁହୁର୍ତ୍ତ୍ୱରେ ତାଙ୍କ ସ୍ୱାମୀ ଓ ଶାଶୁକୁ ଫେରାଇ ଆଣିବା ଲାଗି ଗାଁ ଲୋକେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।

Comments are closed, but trackbacks and pingbacks are open.