ନୂଆଦିଲ୍ଲୀ: ଆସନ୍ତା ୧୬ ଡିସେମ୍ବରରେ ଆବୁଧାବୀର ଅତ୍ୟାଧୁନିକ ଏତିହାଦ ଏରିନାରେ ହେବାକୁ ଯାଉଛି IPL ୨୦୨୬ର ମେଗା ମିନି ନିଲାମି। ୧୫ ନଭେଭେମ୍ବରରେ ସବୁ ଫ୍ରାଞ୍ଚାଇଜି ନିଜର ରିଟେନ୍ ଖେଳାଳି ତାଲିକା ଘୋଷଣା କରିସାରିଛନ୍ତି ଏବଂ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି, କିଏ କେତେ କୋଟିରେ ବିକିବେ।
ହେଲେ ଏହି ସମୟରେ ଅନେକଙ୍କ ମନରେ ପ୍ରଶ୍ନ ଆସୁଛି ଯେ, ଦୁନିଆର କେଉଁ T20 ଲିଗ୍ ନିଜ ଖେଳାଳିଙ୍କୁ ସବୁଠାରୁ ଅଧିକ ଟଙ୍କା ଦେଉଛି? ଆସନ୍ତୁ ଦେଖିବା ଏହି ତାଲିକାରେ IPL କେଉଁଠି ରହିଛି।
IPL କେବଳ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୁହେଁ, ଏହା ଏକ ଆର୍ଥିକ ମହାଶକ୍ତି। ଖେଳାଳିଙ୍କ ଦରମା କଥା ଉଠିଲେ IPL ସବୁବେଳେ ନମ୍ବର-୧ ସ୍ଥାନରେ ରହୁଛି। ଏକ IPL ଖେଳାଳିଙ୍କ ଗଡ଼ ଦରମା ପ୍ରାୟ ୪.୦୧ କୋଟି ଟଙ୍କା (ପ୍ରତି ସିଜନ)। ଏହା କେବଳ ଗଡ଼ ହିସାବ। ଟପ୍ ଷ୍ଟାର୍ ଖେଳାଳିମାନେ ଗୋଟିଏ ସିଜନ୍ରେ ୧୬ କୋଟିରୁ ମଧ୍ୟ ଅଧିକ ଟଙ୍କା ପାଆନ୍ତି। ମିନି ନିଲାମିରେ ତ ଏହି ରେକର୍ଡ଼ ଆହୁରି ଭାଙ୍ଗିଯାଏ। ଅର୍ଥାତ୍ ଅନ୍ୟ ଲିଗ୍ IPL ସହ ପ୍ରତିଯୋଗିତା କରୁନାହାନ୍ତି, ବରଂ IPL ସହ ପ୍ରତିଯୋଗିତା କରିବାକୁ ଚେଷ୍ଟା କରୁଛନ୍ତି।
ଏହା ପଛକୁ ରହିଛି ଦୁବାଇର ଇଣ୍ଟରନ୍ୟାଶନାଲ୍ ଲିଗ୍ T20 (ILT20)। ଏଠାରେ ଖେଳାଳିଙ୍କ ଗଡ଼ ଦରମା ପ୍ରାୟ ୧.୧୫ କୋଟି ଟଙ୍କା। ସାଉଥ୍ ଆଫ୍ରିକାର SA20 ଲିଗ୍ ତୃତୀୟ ସ୍ଥାନରେ ରହିଛି, ଯେଉଁଠି ଗଡ଼ ଦରମା ୧.୦୧ କୋଟି ଟଙ୍କା।
ଅଷ୍ଟ୍ରେଲିଆର ବିଗ୍ ବ୍ୟାଶ୍ ଲିଗ୍ (BBL) ଓ ଇଂଲଣ୍ଡର ଦି ହଣ୍ଡ୍ରେଡ୍ରେ ଗଡ଼ ଦରମା ପ୍ରାୟ ୬୨ ଲକ୍ଷ ଟଙ୍କା। ପାକିସ୍ତାନ ସୁପର୍ ଲିଗ୍ (PSL)ରେ ଏହା ଆହୁରି କମ୍, ମାତ୍ର ୪୪ ଲକ୍ଷ ଟଙ୍କା। ସ୍ପନ୍ସରସିପ୍ ଓ ମାର୍କେଟ୍ ସାଇଜ୍ କମ୍ ଥିବାରୁ PSL ଏବେ ବହୁତ ପଛରେ ରହିଛି।
ବ୍ରଡ଼କାଷ୍ଟିଂ ରାଇଟ୍ସ, ସ୍ପନ୍ସରସିପ୍, ଫ୍ରାଞ୍ଚାଇଜି ମାନଙ୍କ ମୂଲ୍ୟ ଓ ଗ୍ଲୋବାଲ୍ ଦର୍ଶକ ସଂଖ୍ୟା, ସବୁ କ୍ଷେତ୍ରରେ IPL ଅନ୍ୟ ସବୁ T20 ଲିଗଠାରୁ ଅନେକ ଗୁଣ ଆଗରେ। ଅର୍ଥନୈତିକ ଦୃଷ୍ଟିରୁ ଦେଖିଲେ ଦୁନିଆର କୌଣସି T20 ଲିଗ୍ IPLର ଧାରା ଛୁଇଁ ପାରୁନି। ତେଣୁ ଆସନ୍ତା ମିନି ନିଲାମିରେ ଆଉ ଏକାଥର ପ୍ରମାଣ ହେବ, କ୍ରିକେଟ୍ର ଟଙ୍କାର ରାଜା କେବଳ ଓ କେବଳ IPL!