ଆଜିର ଜୀବନରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏକ ପୂରା ବିଶ୍ୱରେ ଚିନ୍ତାର ବିଷୟ ହୋଇଛି। କର୍ମ କ୍ଷେତ୍ରରେ ଚାପ, ପାରିବାରିକ ଓ ସାମାଜିକ କାରଣରୁ ସ୍ଟ୍ରେସ୍ ଓ ଚିନ୍ତା (ଏନଜାଇଟି) ଏକ ସାଧାରଣ ଘଟଣା ହୋଇଯାଇଛି। ଯାହା ଗମ୍ଭୀର ହେଲେ ଡିପ୍ରେସନ୍ (ଅବସାଦ)ରେ ପରିଣତ ହେଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଡିପ୍ରେସନ୍ ଏକ ଗମ୍ଭୀର ମାନସିକ ରୋଗ, ଯାହା ମଣିଷର ଚିନ୍ତାଧାରା ଓ ବ୍ୟବହାରକୁ ନକାରାତ୍ମକ ଭାବେ ପ୍ରଭାବିତ କରିଥାଏ। ଏହା କେବଳ ମନକୁ ନୁହେଁ, ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ଆଘାତ ଦେଇଥାଏ।
୨୦୨୪ ତଥ୍ୟ ଅନୁସାରେ, ବିଶ୍ୱରେ ପ୍ରାୟ ୨୬.୪ କୋଟି ଲୋକ ଡିପ୍ରେସନ୍ରେ ପୀଡ଼ିତ। ଭାରତରେ ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ, ପ୍ରତି ୨୦ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଏପରି ସମସ୍ୟାର ଶିକାର ହେଉଛନ୍ତି। କୋଭିଡ୍ ମହାମାରୀ ପରେ ଏହି ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି, ଯାହା ସାମାଜିକ ଓ ଆର୍ଥିକ ଅସ୍ଥିରତାକୁ ଇଙ୍ଗିତ କରୁଛି। ହେଲେ ସବୁଠାରୁ ବଡ଼ କଥା ହେଉଛି ଯେ ମହିଳା କିମ୍ବା ପୁରୁଷ, କାହାକୁ ଏହା ଅଧିକ ପ୍ରଭାବିତ କରୁଛି ଏପରି ଡିପ୍ରେସନ୍?
ଲଣ୍ଡନର କିଙ୍ଗ୍ସ କଲେଜର ଗବେଷକମାନେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମହିଳା ଓ ଝିଅମାନଙ୍କୁ ଡିପ୍ରେସନ୍ର ବିପଦ ପୁରୁଷ ଓ ପୁଅମାନଙ୍କ ତୁଳନାରେ ଦ୍ୱିଗୁଣିତ। ୨୦୨୪ରେ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (ସିଡିସି) ରିପୋର୍ଟ ଅନୁସାରେ, ୫୩% କିଶୋରୀ ଝିଅ ଉଦାସୀ ଓ ନିରାଶା ଭଳି ଡିପ୍ରେସନ୍ର ଲକ୍ଷଣ ଅନୁଭବ କରିଛନ୍ତି, ଯେତେବେଳେ କିଶୋର ପୁଅମାନଙ୍କ ମଧ୍ୟରେ ଏହି ସଂଖ୍ୟା ମାତ୍ର ୨୮%। ଏହା ସହ ଝିଅମାନଙ୍କ ମଧ୍ୟରେ ଆତ୍ମହତ୍ୟାର ଚିନ୍ତା ମଧ୍ୟ ଅଧିକ ଦେଖାଯାଇଛି।
କିଙ୍ଗ୍ସ କଲେଜ ଲଣ୍ଡନର ଗବେଷକମାନେ ୧୫ ବର୍ଷ ବୟସର ୭୫ ଜଣ ଝିଅ ଓ ୭୫ ଜଣ ପୁଅଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଏଥିରୁ ଜଣାପଡ଼ିଛି ଯେ, ଯେଉଁ ଝିଅମାନଙ୍କ ମସ୍ତିଷ୍କରେ ନ୍ୟୁରୋପ୍ରୋଟେକ୍ଟିଭ୍ କମ୍ପାଉଣ୍ଡସ୍ (ନ୍ୟୁରନ୍କୁ କ୍ଷତିରୁ ରକ୍ଷା କରୁଥିବା ପଦାର୍ଥ)ର ମାତ୍ରା କମ୍ ଥିଲା, ସେମାନଙ୍କୁ ଡିପ୍ରେସନ୍ର ବିପଦ ଅଧିକ ଥିଲା। କିନ୍ତୁ ପୁଅମାନଙ୍କ କ୍ଷେତ୍ରରେ ଏହି ମାତ୍ରାର ପାର୍ଥକ୍ୟ ସେଭଳି ପ୍ରଭାବ ଦେଖାଇ ନଥିଲା। ଗବେଷକ ଡକ୍ଟର ନାଗମେହ ନିକ୍ଖେସ୍ଲାଟ୍ କହିଛନ୍ତି, “ମସ୍ତିଷ୍କରେ ସୁଜନ (ଇନ୍ଫ୍ଲାମେସନ୍) କମାଇ କିମ୍ବା ନ୍ୟୁରୋପ୍ରୋଟେକ୍ଟିଭ୍ ଉତ୍ପାଦନ ବଢ଼ାଇ ଡିପ୍ରେସନ୍ର ବିପଦକୁ ହ୍ରାସ କରାଯାଇପାରିବ। ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ ଏଥିରେ ଉପକାରୀ ହୋଇପାରେ।”
ଗବେଷଣାରୁ ଜଣାପଡ଼ିଛି ଯେ, ମହିଳାଙ୍କ ମଧ୍ୟରେ ଡିପ୍ରେସନ୍ ବଢ଼ିବାରେ ଆନୁବଂଶିକତା ସହ ପରିବେଶଗତ ଓ ମାନସିକ କାରଣ ମଧ୍ୟ ଦାୟୀ। ହରମୋନ୍ର ଉତ୍ଥାନ-ପତନ, ଜୀବନରେ ଚାପପୂର୍ଣ୍ଣ ଘଟଣା ଓ ସାମାଜିକ ପରିସ୍ଥିତି ଏହାକୁ ଆହୁରି ବଢ଼ାଇଥାଏ। ଉଦାହରଣ ସ୍ୱରୂପ, ମହିଳାମାନେ ଘର ଓ କାମର ଅଧିକ ଦାୟିତ୍ୱ, ସାମାଜିକ ଚାପ ଓ ଲିଙ୍ଗଗତ ଅସମାନତାର ଶିକାର ହୋଇଥା’ନ୍ତି, ଯାହା ସେମାନଙ୍କୁ ଅଧିକ ଦୁର୍ବଳ କରିଥାଏ।
ଏହି ଗବେଷଣା ମାନସିକ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ନୂଆ ଦିଗ ଦେଖାଇଛି। ନ୍ୟୁରୋପ୍ରୋଟେକ୍ଟିଭ୍ କମ୍ପାଉଣ୍ଡସ୍ର ଭୂମିକା ଓ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧର ଉପଯୋଗ ଡିପ୍ରେସନ୍ର ଚିକିତ୍ସାରେ ଏକ ନୂଆ ଆଶା ସୃଷ୍ଟି କରିଛି। ଏହା ସହିତ ସଚେତନତା, ସଠିକ ଜୀବନଶୈଳୀ ଓ ସମୟମତେ ଚିକିତ୍ସା ମାଧ୍ୟମରେ ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି।
Comments are closed.