ନୂଆଦିଲ୍ଲୀ: ଫୋନ୍ ହଜିବା କିମ୍ବା ଚୋରି ହେଲେ ସବୁଠାରୁ ବଡ଼ ଭୟ ରହୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ (ଫଟୋ, ବ୍ୟାଙ୍କ ଡିଟେଲ୍ସ, ପାସୱାର୍ଡ) ଅନ୍ୟ କାହା ହାତକୁ ଚାଲିଯିବା। କିନ୍ତୁ ଏବେ ଏହି ସମସ୍ୟାର ପୂର୍ଣ୍ଣ ସମାଧାନ କେନ୍ଦ୍ର ସରକାର ଦେଇସାରିଛନ୍ତି। ‘ସଞ୍ଚାର ସାଥୀ’ (Sanchar Saathi) ପୋର୍ଟାଲ ଓ ମୋବାଇଲ୍ ଆପ୍ ଠିକ୍ ଏହି ଉଦ୍ଦେଶ୍ୟରେ ତିଆରି ହୋଇଛି – ଯାହା ଆପଣଙ୍କ ଫୋନ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ସହ ଚୋରିରେ ରୋକିବାରେ ସାହାଯ୍ୟ କରିବ ।
ଏକ କ୍ଲିକ୍ରେ ଚୋରି ଫୋନ୍ ବ୍ଲକ୍
ସଞ୍ଚାର ସାଥୀର ସବୁଠାରୁ ଶକ୍ତିଶାଳୀ ଫିଚର ହେଉଛି – ଫୋନ୍ ହଜିଗଲେ କିମ୍ବା ଚୋରି ହେଲେ ଆପ୍ରେ ଯାଇ କେବଳ ‘Lost/Stolen’ ମାର୍କ କରନ୍ତୁ। ତୁରନ୍ତ ଫୋନ୍ର IMEI ନମ୍ବର ଦେଶର ସବୁ ଟେଲିକମ୍ କମ୍ପାନୀ (ଯେମିତି ଜିଓ, ଏୟାରଟେଲ, ଭୋଡାଫୋନ୍-ଆଇଡିଆ) ତାଲିକାରେ ବ୍ଲକ୍ ହୋଇଯିବ। ଚୋର ଅନ୍ୟ କୌଣସି ସିମ୍ ପୁରାଇ ଫୋନ୍ ଚଳାଇ ପାରିବ ନାହିଁ। ତା’ ହାତରେ ସେହି ଫୋନ୍ କେବଳ ଗୋଟାଏ ଇଟା ପରି ହୋଇରହିବ।
ଚୋର ଫୋନ୍ ଚଳାଇଲେ ଲୋକେସନ୍ ଧରାପଡ଼ିବ
ଫୋନ୍ ବ୍ଲକ୍ କରିଦେଲା ପରେ ଯଦି ଚୋର ସିମ୍ ବଦଳାଇବାକୁ କିମ୍ବା ବ୍ଲକ୍ ହଟାଇବାକୁ ଚେଷ୍ଟା କରେ, ତା’ର ଲୋକେସନ୍ ସିଧା ପୁଲିସ୍ ଓ ସମ୍ପର୍କିତ ଏଜେନ୍ସି ପାଖକୁ ପହଞ୍ଚିଯିବ। ଏହି ଫିଚର ଚୋରି ହୋଇଥିବା ଫୋନ୍ ଫେରି ପାଇବାର ସମ୍ଭାବନା କେତେକ ଗୁଣ ବଢ଼ାଇ ଦେଇଛି।
ଆଜିକାଲି ଠକେଇ କଲ୍, ଫେକ୍ SMS ଓ ହ୍ୱାଟ୍ସଆପ୍ ମେସେଜ୍ ସବୁବେଳେ ବିପଦ ସୃଷ୍ଟି କରୁଛି। ସଞ୍ଚାର ସାଥୀର ‘ଚକ୍ଷୁ’ (Chakshu) ଫିଚର ସାହାଯ୍ୟରେ ଯେ କୌଣସି ସନ୍ଦେହଜନକ ନମ୍ବର କିମ୍ବା ଠକେଇ ମେସେଜ୍ ତୁରନ୍ତ ରିପୋର୍ଟ କରିପାରିବେ। ସରକାର ଓ ଟେଲିକମ୍ କମ୍ପାନୀମାନେ ଏହି ରିପୋର୍ଟ ଆଧାରରେ ଠକମାନଙ୍କ ନମ୍ବର ବନ୍ଦ କରିଦିଅନ୍ତି।
ଆପଣଙ୍କ ନାମରେ କେତେ ସିମ୍ ଚାଲୁଛି?
ଅନେକ ଥର ଠକମାନେ ଆମର ଆଧାର୍ ବ୍ୟବହାର କରି ଅଜଣାତରେ ସିମ୍ କାଢ଼ି ଅପରାଧରେ ବ୍ୟବହାର କରନ୍ତି। ସଞ୍ଚାର ସାଥୀରେ ଗୋଟିଏ କ୍ଲିକ୍ରେ ଦେଖିପାରିବେ ଆପଣଙ୍କ ନାମରେ କେତେଗୁଡ଼ିଏ ନମ୍ବର ଆକ୍ଟିଭ୍ ଅଛି ଏବଂ କୌଣସି ସନ୍ଦେହଜନକ ନମ୍ବର ଦେଖିଲେ ତୁରନ୍ତ ରିପୋର୍ଟ କରିପାରିବେବେ।