ନୂଆଦିଲ୍ଲୀ : ବର୍ଷ ଶେଷରେ ଭାରତ ରଚିଲା ଇତିହାସ । ଭରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ମିଳିଛି ବଡ଼ ସଫଳତା । ସଫଳ ହୋଇଛି ଇସ୍ରୋର `ସ୍ପେଡେକ୍ସ’ ମିଶନ ଲଞ୍ଚିଂ । ସଫଳତାର ସହ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ୍ ହୋଇଥିଲା ବହୁ ପ୍ରତିକ୍ଷିତ ସ୍ପେଡେକ୍ସ ମିଶନ । ୧୦ଟା ବାଜି ୧୫ ସେକେଣ୍ଡରେ ଇସ୍ରୋ ପକ୍ଷରୁ ମିଶନ ସ୍ପାଡେକ୍ସ ଲଞ୍ଚ୍ କରାଯାଇଥିଲା । ଏହି ମିଶନ ଭାରତର ଆଗାମୀ ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ଗୁରୁତ୍ବ ରଖୁଛି ।
ବିଶେଷ କରି ଭାରତର ନିଜସ୍ବ ସ୍ପେଶ ଷ୍ଟେସନ ନିର୍ମାଣ ହେଉ କି ଗଗନାୟନ ମିଶନ ଓ ଚନ୍ଦ୍ରଯାନ ୪ ଅଭିଯାନ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଏହା ଦ୍ବାରା ସ୍ପେସ୍ ‘ଡକିଂ’ ଟେକ୍ନୋଲୋଜିର ପରୀକ୍ଷଣ କରିବ ଇସ୍ରୋ । ଭାରତର ସବୁଠାରୁ ନିର୍ଭରଯୋଗ୍ୟ ରକେଟ PSLV C60 ରକେଟ୍ ସାହାଯ୍ୟରେ ମହାକାଶକୁ ଦୁଇଟି ଛୋଟ ମହାକାଶଯାନ ବା ସ୍ପେଶକ୍ରାଫ୍ଟ SDX01 ଓ SDX02 ପଠାଯାଇଛି । ଦୁଇଟି ଯାକ ସ୍ପେଶକ୍ରାଫ୍ଟର ଓଜନ ୨୨୦ କିଲୋଗ୍ରାମ ରହିଛି । SDX01 ହେଉଛି ‘ଚେସର’ ଓ SDX02 ହେଉଛି ‘ଟାର୍ଗେଟ୍’ ।
ଏହି ଦୁଇଟି ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷରେ ପହଞ୍ଚିବା ପରେ ଏହାକୁ ସଂଯୋଗ କରାଯିବ । ଯାହାକି ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ବା BAS ନିର୍ମାଣ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍ପେଶ ଡକିଂ ଏକ୍ସପେରୀମେଣ୍ଟ ସଫଳ ହେଲେ ଆମେରିକା, ରୁଷିଆ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର ଯିଏ ଏହି ମହାରତ ହାସଲ କରିବ । ଏଥିସହ ମହାକାଶରେ ୨୪ଟି ବୈଜ୍ଞାନିକ ପରୀକ୍ଷଣ କରିବ ଇସ୍ରୋ । ଏହି ମିଶନର ଅବଧି ୬୬ ଦିନ ରହିଛି ।
Comments are closed.