ନୂଆଦିଲ୍ଲୀ : ଭାରତରେ ପ୍ରଖ୍ୟାତ ଔପନ୍ୟାସିକ ସଲମାନ୍ ରୁସ୍ଦିଙ୍କ ରଚିତ ପୁସ୍ତକ ଦି ସାଟାନିକ୍ ଭର୍ସେସ୍ ନେଇ ଏବେ ଚର୍ଚ୍ଚା ବଢ଼ିଛି । ପ୍ରକାଶନର ୩୬ ବର୍ଷ ପରେ ଭାରତର ବିଭିନ୍ନ ପୁସ୍ତକ ଦୋକାନରେ ଏହା ଉପଲବ୍ଧ ହୋଇଛି । ୧୯୮୮ରେ ସେତେବେଳର ରାଜୀବ ଗାନ୍ଧି ସରକାର, ଭାରତରକୁ ଏହି ବହିର ଆମଦାନୀ ଉପରେ ରୋକ ଲଗାଇଥିଲେ ।
ପୁସ୍ତକ ପ୍ରକାଶନ ପରେ ପରେ ଭାରତର ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉପନ୍ୟାସ ମାଧ୍ୟମରେ ସଲମାନ୍ ରୁସ୍ଦି, ଇସଲାମ୍ ଧର୍ମୀୟ ଭାବନାକୁ କ୍ଷତି ପହଞ୍ଚାଇ ଥିବା ଅଭିଯୋଗ ହୋଇଥିଲା । ତେବେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଭାରତକୁ ଏହାର ଆମଦାନୀ ଉପରେ କଟକଣା ଲଗାଇଥିଲେ ସେତେବେଳର ରାଜୀବ ଗାନ୍ଧି ସରକାର । କିନ୍ତୁ ନିକଟରେ ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କଟକଣା ସମ୍ପର୍କିତ ସେହି ଚିଠି ମାଗିଥିଲେ ଦିଲ୍ଲୀ ହାଇକୋର୍ଟ । ଯାହା ଉପଲବ୍ଧ ନଥିବା କେନ୍ଦ୍ର ସରକାର ଜଣାଇବା ପରେ ଦି ସାଟାନିକ୍ ଭର୍ସେସ୍ ବହିର ଆମଦାନୀ ଉପରେ ଥିବା କଟକଣା ଆପେ ଆହେ ହଟିଯାଇଛି । ଯେଉଁଥି ପାଇଁ ଏବେ ବଜାରରେ ତାହା ଉପଲବ୍ଧ ହୋଇଛି ।
ଦି ସାଟାନିକ୍ ଭର୍ସେସ୍ ଏବେ ଭାରତରେ ଉପଲବ୍ଧ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ରାଜୀବ ଗାନ୍ଧି ସରକାର ଏହାକୁ ନିଷିଦ୍ଧ କରିଥିଲେ ବୋଲି କହୁଛି ବିଜେପି । ସେପଟେ ପୁସ୍ତକ ବ୍ୟାନ୍ ହୋଇ ନଥିଲା, କେବଳ ଭାରତରେ ଏହା ଉପଲବ୍ଧିତା ଉପରେ ରୋକ୍ ଲଗାଯାଇ ଥିଲା ବୋଲି କହିଛି କଂଗ୍ରେସ । ସମ୍ବେଦନଶୀଳତାକୁ ବିଚାରକୁ ନେଇ ସେତେବେଳର ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛି କଂଗ୍ରେସ ।