ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୈତିକ ସଫଳତା । ମୋଦି ସରକାରଙ୍କ କୂଟନୀତି ପାଇଁ ବିଦେଶରେ ୧୦ ହଜାରରୁ ଅଧିକ ଭାରତର ନାଗରିକ ନୂଆ ଜୀବନ ପାଇଛନ୍ତି । ଜେଲରୁ ମୁକୁଳିଛନ୍ତି । କିଏ ୟୁଏଇ, କିଏ ପାକିସ୍ତାନ ତ ଆଉ କେହି ଇରାନର ଜେଲରୁ ମୁକୁଳିଛନ୍ତି । ମୋଦି ସରକାରଙ୍କ ନିରନ୍ତର କୂଟନୀତିକ ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଛି । ଭାରତର ହଜାର ହଜାର ନାଗରିକ କେବଳ ଜେଲରୁ ମୁକ୍ତି ପାଇନାହାନ୍ତି, ବରଂ ଜୀବନ ପାଇଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି UAE ଦ୍ୱାରା ୫୦୦ ଭାରତୀୟ କଏଦୀଙ୍କ କ୍ଷମା । ଯାହା ଭାରତ ଏବଂ ଉପସାଗରୀୟ ରାଷ୍ଟ୍ର ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରତିଫଳିତ କରିଛି । ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ବିକାଶକୁ ପ୍ରାଥମିକତା ଦେଇ ଆସିଛି । କୂଟନୈତିକ ସ୍ତରରେ ଆଲୋଚନା ଏବଂ ଉଚ୍ଚସ୍ତରୀୟ ହସ୍ତକ୍ଷେପ ମାଧ୍ୟମରେ ବିଦେଶରେ ବନ୍ଦୀ ଥିବା ପ୍ରାୟ 10,000 ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ମୋଦି ସରକାର ସୁନିଶ୍ଚିତ କରିଛନ୍ତି ।
ୟୁଏଇରେ ୨ ହଜାର ୭୮୩ ଭାରତୀୟଙ୍କୁ କ୍ଷମା । ଚଳିତ ରମଜାନ ପୂର୍ବରୁ ୫୦୦ରୁ ଅଧିକ ବନ୍ଦୀଥିବା ଭାରତୀୟ କଏଦୀଙ୍କୁ କ୍ଷମା ଦିଆୟାଇଛି । ସେହିପରି ୨୦୨୪ ଇଦ୍ ଅଲ୍ ଫିତର ଏବଂ UAEର ଜାତୀୟ ଦିବସ ପୂର୍ବରୁ ୯୪୪ ଭାରତୀୟ କଏଦୀଙ୍କୁ କ୍ଷମା ମିଳିଥିଲା । ୨୦୨୩ରେ ୟୁଏଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ୭୦୦ ରୁ ଅଧିକ ଭାରତୀୟ ବନ୍ଦୀଙ୍କୁ କ୍ଷମା କରାଯାଇଥିଲା । ୨୦୨୨ରେ ୬୩୯ ଭାରତୀୟ ବନ୍ଦୀଙ୍କୁ କ୍ଷମା କରି ଦେଇଥିଲା ୟୁନାଇଟେଡ ଆରବ ଏମିରେଟ୍ସ ।
ସେହିପରି ୨୦୧୯ରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଭାରତ ଗସ୍ତ ସମୟରେ ୮୫୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ମୋଦି ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ସଫଳତା ଥିଲା । ଏଥିସହ ୨୦୨୩ରେ କାତାରରେ ୮ ଜଣ ଭାରତୀୟ ନୌସୈନିକଙ୍କୁ ମୃତ୍ୟୁଦଣ୍ଡକୁ ଭାରତ ସରକାରଙ୍କ କୂଟନୈତିକ ହସ୍ତକ୍ଷେପ ଯୋଗୁଁ ଦଣ୍ଡ ହ୍ରାସ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ମୁକ୍ତ କରାଯାଇଥିଲା।
ମୋଦି ସରକାର ବେଳେ ଇରାନରୁ ବି ବହୁ ଭାରତୀୟ ନୂଆ ଜୀବନ ପାଇଛନ୍ତି । ୨୦୨୪ରେ ଇରାନ ବିଭିନ୍ନ ଅପରାଧରେ ଜେଲରେ ଥିବା ୭୭ ଭାରତୀୟଙ୍କୁ ମୁକ୍ତ କରିଥିଲା । ୨୦୨୩ରେ ୧୨ ମତ୍ସ୍ୟଜୀବୀଙ୍କ ସମେତ ୪୩ ଜଣ ଭାରତୀୟଙ୍କୁ ମୁକ୍ତ କରିଥିଲା ଇରାନ । ସେହିପରି ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାହାରିନ ଗସ୍ତ ବେଳେ ୨୫୦ ଜଣ ଭାରତୀୟଙ୍କୁ ଜେଲରୁ ମୁକ୍ତ କରିଥିଲା ବାହାରିନ । କୁଏତରେ ବି କୂଟନୈତିକ ବିଜୟ ହାସଲ କରିଥିଲେ ମୋଦି । ୨୦୧୭ରେ ୨୨ ଜଣ ଭାରତୀୟଙ୍କୁ ମୁକ୍ତ କରିବା ସହ ୯୭ ଜଣଙ୍କ ଦଣ୍ଡ ହ୍ରାସ କରିଥିଲା କୁଏତ । ଶ୍ରୀଲଙ୍କା ସହ ଭାରତର ଦ୍ବିପାକ୍ଷିକ ସମ୍ପର୍କ ଭଲ ରହିଛି । ଯାହା ଫଳରେ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ବନ୍ଦୀ ଥିବା ୩ ହଜାର ୬୯୭ ଜଣ ବାରତୀୟ ମତ୍ସ୍ୟଜୀବୀ ମୁକ୍ତ ହୋଇ ସ୍ବଦେଶ ଫେରିଛନ୍ତି । ପାକିସ୍ତାନରୁ ବି କୂଟନୈତିକ ସଫଳତା ମିଳିଛି । ମୋଦି ସରକାରଙ୍କ ନିରନ୍ତର କୂଟନୈତିକ ପ୍ରୟାସ ଯୋଗୁ ୨୦୧୪ରୁ ଏପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୨ ହଜାର ୬୩୯ ଜଣ ମତ୍ସ୍ୟଜୀବୀ ପାକିସ୍ତାନ ଜେଲରୁ ମୁକୁଳିଛନ୍ତି । ଏଥିସହ ୭୧ ଜଣ ଭାରତର ନାଗରିକ ବି ବନ୍ଦୀ ଜୀବନରୁ ମୁକ୍ତ ହୋଇଛନ୍ତି ।
Comments are closed.