ଯାଜପୁର: ନେତା, ଅଭିନେତା, ଶିଳ୍ପୀ, ପ୍ରଶାସକ ସବୁ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ୧୬ଟି ଦେଶର ପ୍ରତିନିଧି, ୨୦ ଜଣ ଅନ୍ତର୍ଜାତୀୟ କଳାକାର, ୫୦ରୁ ଉର୍ଦ୍ଧ୍ବ ବକ୍ତା ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧିଙ୍କ ଗହଣରେ ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ। ତିନିଦିନ ଧରି ଚାଲିବ ଏହି ସମ୍ମିଳନୀ ।
ଆଜି ପୂର୍ବାହ୍ନରେ ଭର୍ଚୁଆଲ ମୋଡ଼ରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ଏଭଳି ଏକ ବଡଧରଣର ସମ୍ମିଳନୀ । ଉଦଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ରୀତା ସାହୁ, ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ବଲିଉଡ଼ ଅଭିନେତ୍ରୀ ଦିୟା ମିର୍ଜାଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଜାନୁଆରୀ ୨୦ ଓ ୨୧ ତାରିଖ ୨ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏଥିରେ ଭାରତ ସମେତ ମୋଟ ୧୬ଟି ଦେଶର ପ୍ରତିନିଧି, ୨୦ ଜଣ ଅନ୍ତର୍ଜାତୀୟ କଳାକାର, ୫୦ରୁ ଊର୍ଦ୍ଧ୍ବ ବକ୍ତା ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧି ସାମିଲ ହୋଇଛନ୍ତି । ହସ୍ତଶିଳ୍ପରେ ଓଡ଼ିଶାକୁ ଗ୍ଲୋବାଲ ବ୍ରାଣ୍ଡ ଭାବରେ ସ୍ଥାନିତ କରିବାପାଇଁ ଏଭଳି ସମ୍ମିଳନୀର ଅୟୋଜନ କରାଯାଇଥିବା କୁହାଯାଇଛି ।
ଯାଜପୁର ଜିଲ୍ଲା କାରିଗରୀ, କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧ ଲାଭ କରିଛି । ଯାଜପୁରର ହସ୍ତଶିଳ୍ପ ଓ କଳା କାରିଗରୀକୁ ଏହି ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଏକ ପ୍ଲାଟଫର୍ମ ପ୍ରଦାନ କରିବ ଆଉ ଏହା ହିଁ ସମ୍ମିଳନୀ ଆୟୋଜନର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ସମ୍ମିଳନୀର ପ୍ରଥମ ସଂସ୍କରଣ ୨୦ ଏବଂ ୨୧ ଜାନୁୟାରୀରେ ଯାଜପୁରର ବ୍ୟାସନଗର ଠାରେ ଅନୁଷ୍ଠିତ ହେଉଥିବା ବେଳେ UNDP, UNESCO, UNHABITAT, UNICEF ପରି ବିଶ୍ବସ୍ତରୀୟ ସଂଗଠନଗୁଡିକର ବିଶେଷଜ୍ଞ ଏବଂ ବିଶ୍ବସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ।
ଏଭଳି ଆୟୋଜନକୁ ନେଇ ଭାରତ ଏବଂ ବିଦେଶର କଳାକାର ଓ କାରିଗରମାନେ ମଧ୍ୟ ଶତମୁଖରେ ପ୍ରଶଂସା କରିଛନ୍ତି । ସେପଟେ ଯାଜପୁର ତଥା ଓଡିଶାର କଳା, ସଂସ୍କୃତି ଓ ହସ୍ତଶିଳ୍ପର ସୁରକ୍ଷା ଓ ଏହାକୁ ସମୃଦ୍ଧ କରିବା କ୍ଷେତ୍ରରେ ଏହା ବାହାର ଦେଶ ଉପରେ ପ୍ରଭାବ ପକାଇବ ବୋଲି ମତପ୍ରକାଶ ପାଇଛି । ଏହା ଦ୍ବାରା ଏସବୁର ସାମଗ୍ରିକ ବିକାଶ ପାଇଁ ଏବଂ କାରିଗରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଦେଶୀମାନେ ମଧ୍ୟ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଆଶାପ୍ରକଟ ହୋଇଛି ।
Comments are closed.