Latest Odisha News

BREAKING NEWS

ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି

ସମାଜ ଯେତେ ପରିବର୍ତ୍ତନର ଧାରାରେ ସାମିଲ୍ ହେଉଛି ସେତେ ସାମାଜିକ ବ୍ୟାଧିଗୁଡ଼ିକୁ ନିଜ ପାଦରେ ଦଳିଚାଲିଛି ଏବଂ ଏହି ବ୍ୟାଧିଗୁଡ଼ିକୁ ନିପାତ କରିବାକୁ ମଧ୍ୟ ନୂଆନୂଆ ପ୍ରୟାସ କରୁଛି । ଆଉ ସେ ପ୍ରୟାସରେ ସଫଳ ହେଉଛି ମଧ୍ୟ । ତା’ମଧ୍ୟରୁ ଏବେ ଆମ ରାଜ୍ୟରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହୋଇଛି ତାହା ହେଲା ବାଲ୍ୟବିବାହର ସମସ୍ୟା । ସମସ୍ୟା ନୂଆ ନୁହେଁ, କାରଣ ଏ ବାଲ୍ୟ ବିବାହ ପ୍ରଥା ଆଗରୁ ଥିଲା, କିନ୍ତୁ ଯେତେବେଳେ ଆମେ ନୂଆ ନୂଆ ପ୍ରୟାସ କରୁଛେ ସମାଜକୁ ଅଗ୍ରଗତିର ଶିଖରରେ ପହଞ୍ଚେଇବାକୁ ସେତେବେଳେ ସଚେତନତାର ବାର୍ତ୍ତା ପଠେଇଲା ବେଳେ ଏ ସମସ୍ୟା ଯେତେବେଳେ ମୁଣ୍ଡ ଟେକୁଛି ଆମେ ତାକୁ ପୁଣି ଏକ ନୂଆ ସମସ୍ୟା ବୋଲି ନାମକରଣ ଦେଉଚେ । ଆଜି ବହୁତ ଗ୍ରାମରେ ବାଲ୍ୟ ବିବାହ ହେଉଛି । ଯେଉଁ ଯାଗାରେ ଅଭିଯୋଗ ଆସୁଛି ସେଠି ପ୍ରଶାସନ ରୋକିବାରେ ସଫଳ ହେଉଛି । କିନ୍ତୁ ଅନେକ ଯାଗାରେ ଲୋକେ ଭୋଜି ଖାଇ ମଦ ପିଇ ମଉଜ କରି ବଡ଼ ସୁରୁଖୁରୁରେ ବାଲ୍ୟ ବିବାହଟିକୁ ସମ୍ପର୍ଣ୍ଣ କରିଦେଉଛନ୍ତି । ଯାହାଫଳରେ କି ପରମୁହୂର୍ତ୍ତରେ ଝିଅଟି ହିଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛି ।

ବାଲ୍ୟ ବିବାହକୁ ରୋକିବା ପାଇଁ ଆମର ଆଇନ୍ ତିଆରି ହୋଇଛି । ବାଲ୍ୟ ବିବାହ ନିଷେଧ ପାଇଁ ଆଇନ୍‌ଗତ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ବାଲ୍ୟ ବିବାହ ନିଷେଧ ନିୟମାବଳୀ ୨୦୦୯ର ପରିବର୍ତ୍ତନ କରିଛନ୍ତି । ଓଡ଼ିଶା ବାଲ୍ୟ ବିବାହ ନିଷେଧ ନିୟମାବଳୀ ୨୦୧୯ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରିବା ପାଇଁ କାର୍ଯ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଥିରେ ୨୦୩୦ ବେଳକୁ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରାଯିବାର ସ୍ୱପ୍ନ ଦେଖାଯାଇଛି । ସଂଶୋଧିତ ଆଇନ୍ ଅନୁଯାୟୀ ଜଣେ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କୁ ଅଧିକ କ୍ଷମତା ମଧ୍ୟ ଦିଆଯାଇଛି । କେଉଁ ଯାଗାରେ ଯଦି ବାଲ୍ୟ ବିବାହ ହେଉଛି ତା’ହେଲେ ସେଇଠି ଅଧିକାରୀଜଣଙ୍କ ମଧ୍ୟ ପହଞ୍ଚି ତାକୁ ରୋକିପାରିବେ ଓ ଅଭିଯୋଗ ନିଜ ଆଡୁ ମଧ୍ୟ କରିପାରିବେ ।

ଯେକୌଣସି ମାଧ୍ୟମରେ ଆପଣ କୌଣସି ବାଲ୍ୟ ବିବାହ ବିଷୟରେ ଅବଗତ କରେଇପାରିବେ । ଯେମିତିକି ଚିଠି, ଟେଲିଫୋନ୍‌, ଇ-ମେଲ୍ ଆଉ ସବୁଠାରୁ ଗୋଟିଏ ମୁଖ୍ୟ କଥା ହେଲା ଆମେମାନେ ଏ ବିବାହ ସମ୍ପର୍କରେ ୧୦୯୮କୁ ମଧ୍ୟ ଜଣେଇପାରିବା, ଯାହାଦ୍ୱାରା କି ଆଉ ସହଜ ସମ୍ଭବ ହେବ ଏହି ବିବାହକୁ ରୋକିବାରେ । ଆଉ ଝିଅଟିର ପୁନଃ ବିବାହ ନ ହେବା ପର୍ଯ୍ୟନ୍ତ ଝିଅଟିର ସମସ୍ତ ଖର୍ଚ୍ଚ ପ୍ରଶାସନକୁ କରିବା ପାଇଁ ମଧ୍ୟ ଜିଲ୍ଲା ଅଦାଲତକୁ ସୁପାରିଶ କରାଯାଇପାରିବ । ପୁଲିସ୍ ସହାୟତାରେ ଅପରାଧିମାନଙ୍କୁ ଗିରଫ କରିବାରେ ବାଲ୍ୟ ବିବାହ ନିଶେଦ୍ଧ ଅଧିକାରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଆବଶ୍ୟକତା ଅନୁସାରେ ସଚେତନତା ସୃଷ୍ଟି, ଲୋକଙ୍କୁ ସମ୍ବେଦନଶୀଳ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ବା କାର୍ଯ୍ୟକ୍ରମ ପ୍ରସ୍ତୁତି କରିବାର ଦାୟୀତ୍ୱ ପ୍ରମୁଖ ଅଧିକାରୀଙ୍କ ନିକଟରେ ନ୍ୟସ୍ତ କରାଯାଇଛି । ଶିଶୁ ଅଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନ୍ ଗୁଡ଼ିକର କାର୍ଯ୍ୟକ୍ରମର ତଦାରଖ କରିବାର କ୍ଷମତା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କର ରହିଛି ।

ଏହି ନିୟମାବଳୀରେ (୨୦୧୯ର) ବାଲ୍ୟ ବିବାହ ନିଷେଧ ପାଇଁ କାର୍ଯ୍ୟକାରୀ ହେଉଥିବା ଆଇନ୍ ଓ କାର୍ଯ୍ୟକ୍ରମର ସମୀକ୍ଷା, ତଦାରଖ ଓ ପରାମର୍ଶ ଦେବାର ଉତ୍ତରଦାୟୀତ୍ୱ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଛି । ନୂଆ ନିୟମାବଳୀ ପ୍ରଣୟନ ଦ୍ୱାରା ସରକାରଙ୍କ ଆନ୍ତରିକତା ବାଲ୍ୟ ବିବାହକୁ ରୋକିବାରେ ଅଛି ବୋଲି ବିଶ୍ୱାସ ଲାଗୁଛି, କିନ୍ତୁ ପ୍ରଶାସନିକ ସ୍ତରରେ ସେହିପରି ଦୃଢ ପ୍ରୟାସ ରଖିଲେ ତା’ର ସଫଳ ହେବ ନିଶ୍ଚୟ ୨୦୩୦ରେ ସ୍ୱପ୍ନ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା । ଏ ଦିଗରେ ଆମର ମଧ୍ୟ ବହୁତ ବଡ଼ କର୍ତ୍ତବ୍ୟ ରହିଛି । ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୋକିବାକୁ ହେଲେ ସବୁ ସ୍ତରରେ ସହଯୋଗ ଲୋଡ଼ା, ଆଉ ଏଇ ଆନ୍ତରିକତା ଯଦି ସମସ୍ତଙ୍କର ପାଖରେ ରୁହେ ତା’ହେଲେ ନିଶ୍ଚୟ ଏଇ ପ୍ରୟାସ୍‌ରେ ସଫଳ ହେବା, ଝିଅଟିଏ ପଢିଲେ ଶିକ୍ଷିତ ହେଲେ ପିଢୀ ପରେ ପିଢୀ ଗୋଟିଏ ଭଲ ଶିକ୍ଷା ପାଇବ । ଆଉ ସେଇଥିପାଇଁ ବାଲ୍ୟ ବିବାହ ରୋକିବାକୁ ସମସ୍ତେ ଆନ୍ତରିକତାର ସହିତ ଅଣ୍ଟାଭିଡ଼ିବା ଉଚିତ୍ ।

ମୋ-୯୯୩୭୭୩୪୪୬୧

(ଲେଖିକା ଜଣେ ସମାଜସେବୀ)

Leave A Reply

Your email address will not be published.